ଧାନବିଲକୁ ହାତୀ ଭୟ । କେନ୍ଦୁଝରରେ ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉତ୍ପାତ । ଫସଲ ନଷ୍ଟ ଭୟରେ ତରତର ହୋଇ କାଦୁଅ ବିଲରୁ ଧାନ କାଟି ଆଣୁଛି ଚାଷୀ

156

କନକ ବ୍ୟୁରୋ: ବର୍ଷ କର ପରିଶ୍ରମ ହାତୀ ମୁହଁରେ କିମ୍ବା ପାଦ ତଳେ ଯାଉଛି । ବହୁ କଷ୍ଟରେ ଧାର କରଜ କରି ଚାଷ କରିଛି ଚାଷୀ । ସେହି ଚାଷକୁ ହାତୀ ନଷ୍ଟ କରି ଦେବା ଭୟରେ ସମୟ ଆଗରୁ ଧାନ କାଟି ନେଉଛି ଚାଷୀ । ହାତୀ ଭୟରେ ପ୍ରମାଦ ଗଣୁଛି କେନ୍ଦୁଝର ଜିଲ୍ଲାର ଚାଷୀ ।

ଧାନବିଲକୁ ହାତୀ ଭୟ । ଧାନ କାଟିବାକୁ ଚାଷୀ ତରତର । ଧାନ ପାଚି ଗଲାଣି । ହେଲେ ବିଲରୁ ପାଣି ଶୁଖିନି, କି ଗଛ ବି ଶୁଖିନି । କିନ୍ତୁ ଧାନ କାଟି ଖଳାରୁ ଆଣିବା ପାଇଁ ତରତର ହେଲେଣି ଚାଷୀ । କାରଣ ଧାନ ବିଲରେ ଉତ୍ପାତ କରୁଛନ୍ତି ହାତୀପଲ । ହାତୀ ମୁହଁରୁ ବର୍ଷକ ପରିଶ୍ରମକୁ ବଂଚାଇବାକୁ ଉଦ୍ୟମ କରୁଛନ୍ତି କେନ୍ଦୁଝର ଜିଲ୍ଲା ଚାଷୀ । ଜିଲ୍ଲାର ସମସ୍ତ ବନାଂଚଳରେ ହାତୀପଲ ଧାନକ୍ଷେତ ମୁହାଁ ହୋଇଛନ୍ତି । ଦିନରେ ଜଙ୍ଗଲରେ ରହୁଥିବା ହାତୀପଲ ରାତି ହେଲେ ପାଚିଲା ଧାନ ବିଲକୁ ଦଳି ଚକଟି ନଷ୍ଟ କରୁଛନ୍ତି । ତେଣୁ ଧାନ ସଂପୂର୍ଣ୍ଣ ପାଚିବା ଆଗରୁ କାଟି ଆଣିଛନ୍ତି ଚାଷୀକୂଳ ।

କେନ୍ଦୁଝର ସଦର ବନାଂଚଳ ଭାଲୁଘର, ଡିମ୍ବୋ, ନରଣପୁର, ଚକ ଆଦି ଅଂଚଳରେ ଘୁରି ବୁଲୁଛନ୍ତି ୧୫ଟିକିଆ ହାତୀପଲ । ଧାନ ପାଚିବା ସମୟରେ ହାତୀପଲ ଜଙ୍ଗଲ ଛାଡି ଚାଷ ଜମି ମୁହାଁ ହେଉଥିବା ସ୍ୱୀକାର କରିଛି ବନ ବିଭାଗ । ହାତୀ କବଳରୁ ଚାଷ ଜମିକୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନିଆଯାଉଥିବା କହିଛନ୍ତି କେନ୍ଦୁଝର ଏସଏଫ । ମୁଣ୍ଡ ଝାଳ ତୁଣ୍ଡରେ ମାରି, ଧାର କରଜ କରି ଚାଷୀ ଧାନ ଚାଷ କରିଛି । ଆଶା ପରିବାର ପାଇଁ ବର୍ଷକ ଆହାର ରଖିବା ପରେ ଧାନ ବିକ୍ରି କରି ଚାଷ ପାଇଁ କରିଥିବା କରଜ ସୁଝିବ । ହେଲେ ଅମଳ ବେଳେ ହାତୀ ଉତ୍ପାତ ଚାଷୀର ସେହି ସବୁ ଆଧାକୁ ପାଦତଳେ ଚାପି ଦେଉଛନ୍ତି ।