ହାତୀ ପାଇଁ ସ୍କୁଲ ଛୁଟି ! ୨୨ ହାତୀପଲଙ୍କ ଆତଙ୍କ ଯୋଗୁଁ କରଞ୍ଜିଆର ସାନଦେଉଳି ପ୍ରାଥମିକ ସ୍କୁଲ ବନ୍ଦ

ହାତୀ ଭୟରେ ଆଗୁଆ ସତର୍କ ହେଲେ ସ୍କୁଲ କର୍ତ୍ତୃପକ୍ଷ

593

କନକ ବ୍ୟୁରୋ: ହାତୀ ପାଇଁ ସ୍କୁଲ ଛୁଟି । ପାଠ ପଢିବାକୁ ସ୍କୁଲକୁ ଯିବାକୁ ଭୟ କରୁଛନ୍ତି ଛାତ୍ରଛାତ୍ରୀ । ତେଣୁ ସ୍କୁଲକୁ ଛୁଟି କରିଦିଆଯାଇଛି । ଏପରି ଏକ ଘଟଣା ସାମ୍ନାକୁ ଆସିଛି ମୟୂରଭଂଜ ଜିଲ୍ଲାର କଂରଜିଆ ଅଂଚଳରୁ । ଝାଡଖଣ୍ଡ ହାତୀ ପଲଙ୍କ ଭୟରେ ମୟୂରଭଂଜ ଜିଲ୍ଲାର କରଂଜିଆ ଅଂଚଳରେ ଥିବା ସାନଦେଉଳି ଉଚ୍ଚ ପ୍ରାଥମିକ ସ୍କୁଲକୁ ଛୁଟି କରିଦିଆଯାଇଛି । ଝାଡଖଣ୍ଡରୁ ପସି ଆସିଥିବା ୨୨ ଟିକିଆ ହାତୀ ପଲ ଜନବସତି ନିକଟରେ ଏବେ ଚଳପ୍ରଚଳ କରୁଛନ୍ତି ।

ଏହାକୁ ନେଇ ଭୟରେ ଜୀବନ ବିତାଉଛନ୍ତି ଗ୍ରାମବାସୀ । ଗାଁ ରାସ୍ତା ଉପରେ ଅଧିକ ସମୟ ଧରି ହାତୀ ପଲ ଠିଆ ହୋଇ ରହୁଛନ୍ତି । ଫଳରେ ଯାତାୟତ ଅନେକ ସମୟ ଧରି ବାଧାପ୍ରାପ୍ତ ହୋଇଛି । ତେଣୁ ହାତୀ ଭୟରେ , କୌଣସି ପ୍ରକାର ଅଘଟଣକୁ ଏଡାଇବା ପାଇଁ ସ୍କୁଲକୁ ବନ୍ଦ କରିଦିଆଯାଇଥିବା ଜଣାପଡିଛି । ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତେ ଭୟଭୀତ ଅବସ୍ଥାରେ ଅଛନ୍ତି ।