ହାତୀ ବି ରହିବ ଫିଟ୍ : ବୁଝୁଛି ବ୍ୟାୟାମର ଉପକାରିତା । ସୁ୍ସ୍ଥ ରହିବା ପାଇଁ ଦିନକୁ ୧୦ ମିନିଟି କରୁଛି ବ୍ୟାୟାମ, ମାହୁନ୍ତକୁ ପିଠିରେ ବସାଇ ମହାନଦୀରେ କରୁଛି ଜଳକ୍ରୀଡା

258

କନକ ବ୍ୟୁରୋ: ମଣିଷ ସୁସ୍ଥ ରହିବା ପାଇଁ ପ୍ରତ୍ୟେକ ଦିନ ବ୍ୟାୟାମ କରୁଥିବା ଦେଖିଛନ୍ତି ହେଲେ କେବେ ଗଜରାଜକୁ ବ୍ୟାୟାମ କରିଥିବା ଶୁଣିଛନ୍ତି ନା ଦେଖିଛନ୍ତି କି ? ହେଲେ ଆଜି ଆମେ ଏମିତି ଏକ ହାତୀର ବ୍ୟାୟମ କରୁଥିବା କଥା କହିବୁ ଯାହାକୁ ଶୁଣିଲେ ଆପଣ ବି ଚକିତ ରହିଯିବେ । ସୁସ୍ଥ ରହିବା ପାଇଁ କେବଳ ଯେ ମଣିଷ ପ୍ରତ୍ୟେକ ଦିନ ବ୍ୟାୟାମ କରୁଛି ତାହା ନୁହେଁ ବରଂ ହାତୀ ମଧ୍ୟ ଫିଟ୍ ରହିବା ପାଇଁ ବ୍ୟାୟାମ କରୁଛି ।

ସମ୍ବଲପୁରର ଡେବ୍ରିଗଡ ଅଭୟାରଣ୍ୟ, କାଠ ମାଫିଆଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିବା ତଥା ଓଡିଶାର ବହୁ ଚର୍ଚିତ ଖରସେଲ ହାତୀ । ଦିନେ ମଣିଷଙ୍କ ମନରେ ଭୟ ସୃଷ୍ଟି କରୁଥିଲା ଆଜି ବ୍ୟାୟମ କରୁଛି । ଜଙ୍ଗଲ ସୁରକ୍ଷାରେ ନିୟୋଜିତ ହାତୀ ନିଜକୁ ସୁସ୍ଥ ରଖିବା ପାଇଁ ସବୁଦିନ ବ୍ୟାୟମ କରୁଛି । ଖରସେଲକୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ଦିନ ସକାଳ ୬ଟାରେ ଉଠବସ ସହିତ ବିଭିନ୍ନ ପ୍ରକାର ବ୍ୟାୟାମ କରାଇଥାନ୍ତି ମାହୁନ୍ତ ।

ସକାଳୁ ସକାଳୁ ୧୦ ମିନିଟର ଧରି ବ୍ୟାୟାମ କରିବା ପରେ ୫ କିଲୋମିଟର ଚାଲି ଚାଲି ମହାନଦୀ ଜଳଭଣ୍ଡାରକୁ ଯାଇଥାଏ ଖରସେଲ । ସେଠି ମାହୁନ୍ତକୁ ପିଠିରେ ଠିଆ କରି ପ୍ରାୟ ୧୦ ମିନିଟ ପାଣିରେ ପହଁରିଥାଏ ହାତୀ । ଏହାସହ ହାତୀର ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ତା’ ମୁଣ୍ଡରେ ଅଧା ଲିଟର ରାଶି ତେଲ ମାଲିସ କରିଥାନ୍ତି ମହୁନ୍ତ । ରୁଟିନ୍ ଅନୁସାରେ ବ୍ୟାୟମ ଓ ଖାଦ୍ୟପେୟ ସାରିବା ପରେ କାଠ ମାଫିଆଙ୍କୁ ସାବାଡ କରିବା ପାଇଁ ମହନ୍ତ ସହ ଦେବ୍ରିଗଡ ଜଙ୍ଗଲ ଭିତରକୁ ଚାଲିଯାଏ ଖରସେଲ । ହାତୀର ଏଭଳି ବ୍ୟାୟାମ ଯେ କେବଳ ହାତୀକୁ ସୁସ୍ଥ ରଖୁଛି ତାନୁହେଁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ମଣିଷକୁ ସୁସ୍ଥ ରହିବାର ଶିକ୍ଷା ଦେଉଛି ।