ନନ୍ଦନକାନନରେ ହାତୀ ମଡକ । ଆଖି ବୁଜିଲା ୭ ବର୍ଷର ମାଈ ହାତୀ ‘କମଳା’ । ଘାତକ ‘ହର୍ପିସ୍’ ଭୂତାଣୁ ସଂକ୍ରମଣରେ ମୃତ୍ୟୁ ଘଟିଥିବା ସୂଚନା

୨୫ ଦିନ ମଧ୍ୟରେ ନନ୍ଦନକାନନରେ ହେଲାଣି ୩ଟି ହାତୀଙ୍କର ମୃତ୍ୟୁ

300

କନକ ବ୍ୟୁରୋ: ନନ୍ଦନକାନନରେ ‘ହର୍ପିସ୍’ ଭୂତାଣୁ ଆତଙ୍କ । ଭୂତାଣୁ ଆକ୍ରମଣରେ ଆଉ ଏକ ହାତୀର ମୃତ୍ୟୁ । ଆଜି ୭ ବର୍ଷର ହାତୀ କମଳା ପ୍ରାଣ ହରାଇଛି । ‘ହର୍ପିସ୍’ ଭୂତାଣୁ ଯୋଗୁ ମାଇ ହାତୀ କମଳାର ମୃତ୍ୟୁ ହୋଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସନ୍ଦେହ କରୁଛନ୍ତି । ଗତକାଲି ସଂଧ୍ୟାରୁ କମଳା ଅସୁସ୍ଥ ହୋଇପଡିଥିଲା । ତାକୁ ସୁସ୍ଥ କରିବା ପାଇଁ ପ୍ରାଣୀ ଉଦ୍ୟନର ଡାକ୍ତରୀ ଟିମ୍ ପ୍ରାଣପଣେ ଚେଷ୍ଟା କରିଥିଲେ, ହେଲେ ସେମାନେ କମଳାର ଜୀବନ ବଂଚାଇ ପାରିନାହାନ୍ତି । ‘ହର୍ପିସ୍’ ଭୂତାଣୁ ନନ୍ଦନକାନନର ଆଉ ଏକ ହାତୀର ଜୀବନ ନେଇଛି । ଗତ ୨୬ ଦିନ ଭିତରେ ନନ୍ଦନକାନନର ୩ଟି ହାତୀ ପ୍ରାଣ ହରାଇଛନ୍ତି ।

ପୂର୍ବରୁ ଅର୍ଥାତ୍ ଅଗଷ୍ଟ ୨୫ ତାରିଖରେ ଆଉ ଏକ ମାଇ ହାତୀ ଜୁଲି ଏହି ଭୂତାଣୁର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ବେଳେ ସେପ୍ଟମ୍ବର ୧୫ ତାରିଖରେ ନନ୍ଦନକାନନର ଦନ୍ତା ହାତୀ ଚନ୍ଦନ ବି ଆଖି ବୁଜି ସାରିଛି । ନନ୍ଦନକାନନରେ ପର୍ଯ୍ୟଟକଙ୍କ ମନମୋହୁଥିବା ହାତୀପଲରୁ ଗୋଟିଏ ପରେ ଗୋଟିଏ ହାତୀଙ୍କ ମୃତ୍ୟୁ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି । ‘ହର୍ପିସ୍’ ଭୂତାଣୁକୁ କିଭଳି ପ୍ରତିହତ କରାଯିବ ସେଥିପାଇଁ ଚିନ୍ତାରେ ପଡିଛନ୍ତି କର୍ତ୍ତୃପକ୍ଷ ।