ପାଟିରେ ଫୁଟିଥିଲା ବୋମା, ଦୀର୍ଘଦିନ ଚିକିତ୍ସିତ ହେବା ପରେ ଭରତପୁର ଜଙ୍ଗଲରେ ଆଖି ବୁଜିଲା ଦନ୍ତା ହାତୀ ।

116

କନକ ବ୍ୟୁରୋ : ଭରତପୁର ଜଙ୍ଗଲରେ ଆଖି ବୁଜିଲା ଦନ୍ତା ହାତୀ । ପାଟିରେ ବୋମା ବିସ୍ଫୋରଣ ଘଟି ଗୁରୁତର ହୋଇଥିବା ହାତୀର ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି । ହାତୀଟି ଗୁରୁତର ହୋଇ ଭରତପୁର ଜଙ୍ଗଲରେ ପଡିଥିବାବେଳେ ଡିଏଫଓ ଶରତ ଚନ୍ଦ୍ର ବେହେରା ଓୟୁଏଟି ଓ ନନ୍ଦନକାନନର ପଶୁ ଚିକିତ୍ସକଙ୍କୁ ଡକାଇ ହାତୀର ଚିକିତ୍ସା କରାଇଥିଲେ ।

ପ୍ରାଥମିକ ଚିକିତ୍ସାବେଳେ ଜଣାପଡିଥିଲା ଯେ, ବୋମା ଖାଇ ହାତୀର ଜିଭ ଛିଡିଯାଇଥିବାବେଳେ ମାଢି ଓ ମୁହଁରେ ହାଡ ନଷ୍ଟ ହୋଇଯାଇଥିଲା । ହାତୀଟି ଅନେକ ଦିନରୁ କିଛି ଖାଇପାରିନଥିବାରୁ ଅସୁସ୍ଥ ହୋଇପଡିଥିଲା ବୋଲି କହିଥିଲେ ଚିକିତ୍ସକ । ହାତୀଟି ଅସୁସ୍ଥ ଥିବାରୁ ଆଂଟି ବାୟୋଟିକ ଦେବା ସହ ଡ୍ରେସିଂ କରାଯାଇଥିଲା । ଓୟୁଏଟି ପ୍ରଫେସର ଡାକ୍ତର ଇନ୍ଦ୍ରମଣି ନାଥ, ନନ୍ଦନକାନନ ଡାକ୍ତର ସନ୍ତୋଷ ଗୁପ୍ତା ହାତୀର ଚିକିତ୍ସାରେ ଲାଗିଥିଲେ । ବନ ବିଭାଗର ସୂଚନା ଅନୁଯାୟୀ, ହାତୀଟି ପ୍ରାୟ ୧୦-୧୨ ଦିନ ହେବ ଖୋର୍ଧା ଅଂଚଳରୁ ଭରତପୁର ଜଙ୍ଗଲକୁ ଆସିଥିଲା । ତେବେ କେଉଁ ଜାଗାରେ କେଉଁ ପରିସ୍ଥିତିରେ ହାତୀଟି ବୋମା ଖାଇଛି ବୋଲି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।