ବନ ବିଭାଗ ଅବହେଳା ପାଇଁ ଗଲା ହାତୀ ଜୀବନ! ଉତ୍ତରଘୁମୁସର ବନଖଣ୍ଡରେ ଆଖି ବୁଜିଲା ଦନ୍ତା ।

୨ ବର୍ଷରେ ଗଲାଣି ୯ ହାତୀଙ୍କ ଜୀବନ

71

କନକ ବ୍ୟୁରୋ: ରାଜ୍ୟରେ ପୁଣି ଏକ ହାତୀର ମୃତ୍ୟୁ । ବନ ବିଭାଗର ଅବହେଳା ପାଇଁ ଅସୁସ୍ଥ ଥିବା ଦନ୍ତା ହାତୀ ଆଖି ବୁଜିଥିବା ଅଭିଯୋଗ ହୋଇଛି । ଉତରଘୁମୁସର ବନଖଣ୍ଡ କରଡ଼ାବଣି ନିକଟରେ ଏକ ଦନ୍ତା ହାତୀ ଅସୁସ୍ଥ ହୋଇ ଘୁରି ବୁଲୁଥିଲା । ହାତୀର ଗୋଡ଼ରେ ଆଘାତ ଲାଗିଥିବା ବେଳେ ଛୋଟେଇ ଛୋଟେଇ ଚାଲୁଥିବାର ଖବର ଗଣମାଧ୍ୟମରେ ମଧ୍ୟ ପ୍ରସାରିତ ହୋଇଥିଲା । କିନ୍ତୁ ହାତୀକୁ ଚିହ୍ନଟ କରି ଚିକିତ୍ସା କରିବା ବଦଳରେ ବନ କର୍ମଚାରୀଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଓ ନୂତନ ଅଧିକାରୀଙ୍କୁ ସ୍ୱାଗତ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିଲେ ସମସ୍ତ ବନ କର୍ମଚାରୀ । ଯାହା ଫଳରେ ଦନ୍ତା ହାତୀକୁ ଉପଯୁକ୍ତ ଚିକିତ୍ସା ମିଳିପାରି ନଥିବା ଅଭିଯୋଗ ହୋଇଛି ।

ଗତବର୍ଷ ମଧ୍ୟ ଡିଏଫଓଙ୍କ ସ୍ୱାଗତ ସମ୍ବର୍ଦ୍ଧନା ବେଳେ ମୁଜାଗଡ଼ରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା । ୨ ବର୍ଷ ମଧ୍ୟରେ ଏହି ବନଖଣ୍ଡରେ ୯ଟି ହାତୀଙ୍କର ମୃତ୍ୟୁ ହେଲାଣି । ଯାହା ବନ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି । ଆଜି ଭୁବନେଶ୍ୱରରୁ ଯୁଗ୍ମ ଯାଂଚ ଦଳ ପହଁଚିବା ପରେ ମୃତ ଦନ୍ତାର ବ୍ୟବଚ୍ଛେଦ ହେବ । ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ବନ କର୍ମଚାରୀ ।