କନକ ବ୍ୟୁରୋ : ଅମଳ ଆଗରୁ ଧାନ ବିଲରେ ବୁଲୁଛନ୍ତି ହାତୀ । ଦିନରେ ଜମି ପାଖ ଜଙ୍ଗଲରେ ରହୁଛନ୍ତି, ସଂଧ୍ୟା ହେଲେ ଧାନ ବିଲକୁ ଆସି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଉଛନ୍ତି । ପାହାଡ ପାଖ ଧାନ କ୍ଷେତରେ ହାତୀଙ୍କ ପାର୍ଦୁଭାବ ବଢିଛି । ହାତୀ ପାଦତଳେ ବର୍ଷକର ଆହାର ଉଜୁଡି ଯାଉଥିବା ଦେଖି ଚାଷୀଙ୍କ ହୋଶ ଉଡିଯାଉଛି । ବାଲେଶ୍ୱର ଜିଲ୍ଲାର ଔପଦା ବ୍ଲକ ଓ ସୋର ବ୍ଲକରେ ଧାନ ଫସଲ ନଷ୍ଟ କରି ପାକାଉଛନ୍ତି ହାତୀ । ହାତୀ କବଳରୁ ଧାନ ଫସଲକୁ ବଂଚାଇବା ପାଇଁ ଗଛ ଉପରେ ଅସ୍ଥାୟୀ ମଂଚା ବାନ୍ଧିଛନ୍ତି ଚାଷୀ । ହାତୀ ଉତ୍ପାତ ଯୋଗୁଁ ଚାଷୀ ଘରକୁ ଭୁଲି, ମଂଚାରେ ରହୁଛନ୍ତି । ରାତିରେ ହାତୀ ହେଉ ବା ଅନ୍ୟଜନ୍ତୁ ଜମିକୁ ଆସିଲେ, ଚାଷୀମାନେ ଡକାଡକି ହୋଇ ଘଉଡାଉଛନ୍ତି ।

Advertisment

ସେପଟେ ଗଂଜାମ ଜିଲ୍ଲାରେ ମାତିଛନ୍ତି ବାରହା ପଲ, ନଷ୍ଟ କରୁଛନ୍ତି ଫସଲ । ହାତରେ ଟର୍ଚ୍ଚ ଧରି ରାତି ଉଜାଗର ରହୁଛନ୍ତି ଚାଷୀ । ଆସ୍କା ଓ ଧରାକୋଟ ବ୍ଲକରେ ହେକ୍ଟର ହେକ୍ଟର ଚାଷଜମିରେ ଫସଲ ନଷ୍ଟ କରୁଛନ୍ତି ବାରହା ପଲ । ଗୋଟିଏ ପଟେ ସ୍ୱଳ୍ପ ବୃଷ୍ଟିପାତକୁ ନେଇ ଚାଷୀର ଚିନ୍ତା ବଢିଥିବା ବେଳେ ବାରହା ଦ୍ୱାରା ଫସଲ ନଷ୍ଟ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ବନବିଭାଗ ଏନେଇ କୌଣସି ପଦକ୍ଷେପ ନେଉନାହିଁ । ତେଣୁ ବାଧ୍ୟ ହୋଇ ଚାଷୀମାନେ ଜମିରେ ଲଣ୍ଠନ ଜାଳି, ହାତରେ ଠେଙ୍ଗା ଧରି ରାତି ଉଜାଗର ରହି ଫସଲ ଜଗି ଜଗୁଛନ୍ତି ।

ବନ ବିଭାଗ ପକ୍ଷରୁ ହାତୀ ଘଉଡେଇବା ପାଇଁ ବ୍ୟବସ୍ଥା କରାଗଲେ, ଚାଷୀମାନେ ସୁରକ୍ଷିତ ଭାବେ ଫସଲ ଅମଳ କରିପାରନ୍ତେ ।