ହାତୀ ମୁହଁରେ ଫସଲ : ଆଠଗଡ ଅଂଚଳର ଚାଷ ଜମିରେ ହାତୀ ଉପଦ୍ରବ, ଏକର ଏକର ଜମିରେ ପରିବା ଓ ଧାନ ଫସଲ ନଷ୍ଟ; କ୍ଷତିପୂରଣ ପ୍ରତିଶ୍ରୁତି ଦେଲା ବନବିଭାଗ

134

କନକ ବ୍ୟୁରୋ : ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରୁଛନ୍ତି ଚାଷୀ । ଆଉ ଫସଲ ସବୁ ହାତୀ ପାଟିକୁ ଯାଉଛି । କଟକ ଜିଲ୍ଲା ଆଠଗଡ ବନଖଣ୍ଡ ଅଂଚଳର କିଆରିରେ ପଶି ହାତୀ ପଲ ଖାଇଯାଉଥିବା ଅଭିଯୋଗ ଆଣିଛନ୍ତି ଚାଷୀ । କରୋନା ଯୋଗୁଁ ପନିପରିବା ଚାଷୀ ନିଜ ଉତ୍ପାଦିତ ପରିବା ବିକ୍ରି କରିବାରେ ସମସ୍ୟାର ସାମ୍ନା କରୁଛନ୍ତି । ଏପଟେ ଦାଉ ସାଧିବାରେ ଲାଗିଛନ୍ତି ହାତୀ ପଲ । ପରିବା କିଆରିରେ ପଶି  ହାତୀପଲ ମନଇଛା ପନିପରିବା ଖାଇଯିବା ସହ କ୍ଷେତକୁ ଉଜାଡି ଦେଇ ଚାଲି ଯାଉଛନ୍ତି । ଆଠଗଡ ଅଂଚଳର ମାଧପୁର, ମହାକାଳ ବସ୍ତ ପଂଚାୟତର ଚାଷୀ ଏବେ ହାତୀକୁ ନେଇ ଚିନ୍ତାରେ ପଡିଛନ୍ତି । ଏକର ଏକର ଜମିରେ ପୋଟଳ, ବାଇଗଣ, ଭେଣ୍ଡି, କଲରା, କାକୁଡି ଚାଷ କରିଥିଲେ ଚାଷୀ ।

ଏବର୍ଷ ଭଲ ଚାଷ ମଧ୍ୟ ହୋଇଥିଲା ହେଲେ ବଣୁଆ ହାତୀ ଫସଲକୁ ଉଜାଡି ଦେଉଛନ୍ତି । ଧାର କରଜ କରି ଚାଷ କରିଥିବା ଚାଷୀ କେମିତି ରୁଣ ପରିଶୋଧ କରିବେ ସେହି ଚିନ୍ତାରେ ଘାରି ହେଉଛନ୍ତି । ଏନେଇ ବନବିଭାଗକୁ ଜଣାଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠା ନିଆଯାଉନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଆଠଗଡ ରେଞ୍ଜର କହିଛନ୍ତି, କ୍ଷତି ହୋଇଥିବା ଚାଷ ଜମିକୁ ତଦନ୍ତ କରାଯାଇ ଚାଷୀଙ୍କୁ ସହାୟତା ଦିଆଯିବ ।