କନକ ବ୍ୟୁରୋ: ରାସ୍ତା ଉପରେ ଯାତ୍ରୀବାହି ବସକୁ ଆକ୍ରମଣ କଲା ଦନ୍ତାହାତୀ । ବସ ଭିତରେ ଯାତ୍ରୀ ଥିବା ବେଳେ ହାତୀ ଆକ୍ରମଣ କରି ବସର ସାମ୍ନାପଟ କାଚ ଭାଙ୍ଗି ଦେଇଛି । ସେଠାରେ ଉପସ୍ଥିତ ଲୋକ ହୋହଲ୍ଲା କରିବା ପରେ ବସକୁ ଛାଡି ଲୋକଙ୍କୁ ଗୋଡାଇଛି ଜଙ୍ଗଲୀ ଦନ୍ତା । ଏଭଳି ଲୋମଟାଙ୍କୁରା ଦୃଶ୍ୟକୁ କେହି ମୋବାଇଲରେ କଏଦ କରି ସୋସିଆଲ ମିଡିଆରେ ଛାଡିବା ପରେ ଭାଇରାଲ ହେବାରେ ଲାଗିଛି । ରାୟଗଡାରୁ ଆନ୍ଧ୍ରପ୍ରଦେଶର ପାର୍ବତିପୁରକୁ ଯାତାୟତ କରିଥିବା ଶ୍ରୀବିଜୟ ଦୁର୍ଗା ବସକୁ ଆଜି ଦିନ ପ୍ରାୟ ସାଢେ ୧୨ଟାରେ ରାସ୍ତାରେ ଅଟକାଇ ଆକ୍ରମଣ କରିଛି ଜଙ୍ଗଲି ହାତୀ । ପାର୍ବତୀପୁର ଠାରୁ ୫ କିଲୋମିଟର ଦୂର ଆର୍ଥମ ଗାଁ ନିକଟ କାଲିକୁଟ ଛକରେ ବାସକୁ ଅଟକାଇ ହାତୀ ଉପଦ୍ରବ କରିଛି । ସୂଚନା ମୁତାବକ ଆର୍ଥମ ଗାଁ ଆଖ ପାଖରେ ପନିପରିବା ତଥା କଦଳୀ ଚାଷ ବହୁଳ ଭାବେ ଚାଷ ହେଉଛି । ତେଣୁ ଜଙ୍ଗଲୀ ହାତୀ ଖାଦ୍ୟ ଅନ୍ୱେଷଣରେ ବାରମ୍ବାର ଗାଁକୁ ଚାଲିଆସୁଛି । ଆଜି ଗାଁ ମୁହାଁ ହୋଇଥିବା ଦନ୍ତା ହାତୀର ହାବୁଡରେ ପଡିଯାଇଥିଲା ଯାତ୍ରୀବାହୀ ବସ । ବସକୁ ଦେଖି ଦନ୍ତା ରାସ୍ତା ଉପରେ ଛିଡା ହୋଇଯିବାରୁ ଲୋକେ ଆତଙ୍କିତ ହୋଇଥିଲେ । ଏହାପରେ ହାତୀଟି ବସକୁ ଆକ୍ରମଣ କରୁଥିବାରୁ ରୋମାଂଚକର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ତେବେ ଏଥିରେ କେହ ଆହତ ହୋଇନଥିବା ସୂଚନା ମିଳିଛି ।