ପିପିଲି-ଡେଲାଙ୍ଗ ଅଂଚଳରେ ବଣୁଆ ହାତୀର ଆତଙ୍କ । ହାତୀ ଦଳିଦେବାରୁ ୪ଜଣଙ୍କ ମୃତ୍ୟୁ, ୫ ଆହତ

249

କନକ ବ୍ୟୁରୋ : ପ୍ରଥମଥର ପାଇଁ ପିପିଲି ଅଂଚଳରେ ଆତଙ୍କ ଖେଳାଇଛି ବଣୁଆ ହାତୀ । ପିପିଲି ଓ ନିମାପଡା ଅଂଚଳରେ ୪ ଜଣଙ୍କ ଜୀବନ ନେଲାଣି , ୫ ଜଣ ଗୁରୁତର ଆହତ ହୋଇଛନ୍ତି । ତିନି ଦିନ ହେଲା ପିପିଲି, ଡେଲାଙ୍ଗ ଏବଂ ନିମାପଡା ଅଂଚଳରେ ଘୁରି ବୁଲୁଥିବା ଏହି ହାତୀ, ଆଜି ସକାଳୁ ୪ ଜଣଙ୍କୁ ଦଳି ମାରିଦେଲାଣି । ବନବିଭାଗ ଯେତେ ଚେଷ୍ଟା କଲେବି ହାତୀଟି ଆୟତକୁ ଆସିପାରୁନାହିଁ । ଖୋର୍ଦ୍ଧା ବନଖଣ୍ଡରୁ ଭାର୍ଗବୀ ଓ ଦୟା ନଦୀ ପାର କରି ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଦେଇ ପିପିଲିକୁ ପଶି ଆସିଥିବା ଏହି ହାତୀକୁ ଘଉଡାଇବାକୁ ନାକେଦମ୍ ହୋଇଛି ବନବିଭାଗ ।

ପ୍ରଥମ ଥର ପାଇଁ ପିପିଲିରେ ପଶିଛି ଦନ୍ତା ହାତୀ । ୩ ଦିନ ହେଲା ଉତ୍ପାତ ମଚାଇଛି । ଡେଲାଙ୍ଗ ଅଂଚଳରେ ବ୍ୟାପକ ଫସଲ ନଷ୍ଟ କରିବା ପରେ ରବିବାର ସକାଳୁ ନିମାପଡା ଓ ପିପିଲି ଅଂଚଳରେ ପହଁଚିଥିଲା ବଣୁଆ ଦନ୍ତା । ନିମାପଡା ବ୍ଳକ୍ ବଳଙ୍ଗା ଗୋପିନାଥପୁରରେ ଜଣେ ବୃଦ୍ଧଙ୍କୁ ଦଳିବା ପରେ ପିପିଲି ଚନ୍ଦ୍ରାଦେଇପୁର ଓ ସୋଁପୁର ଅଂଚଳରେ ଦୁଇ ଜଣଙ୍କୁ ଦଳି ମାରିଦେଇଛି ।

ବର୍ତମାନ ହାତୀଟି ପିପିଲିର ଚନ୍ଦ୍ରାଦେଇପୁର ଓ ସୋଁପୁର ପଂଚାୟତ ଭିତରେ ରହିଛି । ତେବେ ହାତୀକୁ କାବୁ କରିବାକୁ ବନବିଭାଗ ନାକେଦମ ହୋଇଛି । ବନବିଭାଗ ହାତୀର ପ୍ରତିଟି ଗତିବିଧି ଉପରେ ନଜର ରଖିଛି । ହାତୀ ଯେମିତି ଗାଁ ଭିତରକୁ ନପଶିପାରିବ ସେନେଇ ବନ କର୍ମଚାରୀ ଜଗି ରହିଛନ୍ତି । ରାତିରେ ବାଣ ଫୁଟାଇ ଏବଂ ନିଆଁ ଜାଳି ହାତୀକୁ ଘଉଡାଇବାକୁ ଉଦ୍ୟମ କରାଯିବ ।

ପ୍ରଥମଥର ପାଇଁ ପିପିିଲି ଅଂଚଳରେ ହାତୀର ଆତଙ୍କ ଦେଖିବାକୁ ମିଳିଛି । ଖୋର୍ଦ୍ଧା ବନଖଣ୍ଡରୁ ହାତୀଟି କଣାସ ଓ ଡେଲାଙ୍ଗ ଦେଇ ପିପିଲିରେ ପଶିଥିବା ଅନୁମାନ କରାଯାଉଛି । ବଡ କଥା ହେଉଛି, ଦୟା ଓ ଭାର୍ଗବୀ ଭଳି ଦୁଇଟି ନଦୀ ଏବଂ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଅତିକ୍ରମ କରି ହାତୀ ପିପିଲିରେ ପଶିଛି ।