ଆପଣଙ୍କ ଘରକୁ ଆଲୋକିତ କରିବାକୁ ପ୍ରଚଣ୍ଡ ଖରାରେ କାମ କରୁଛନ୍ତି ଶହ ଶହ ବିଦ୍ୟୁତ କର୍ମଚାରୀ । ମହାନଦୀର ଅକାତ କାତ ପାଣି ଭିତରେ ଚାଲିଛି ବିଦ୍ୟୁତ କାମ ।

2,461

କନକ ବ୍ୟୁରୋ : ଅକାତ କାତ ପାଣି । ମହାନଦୀର ଏହି ଗଣ୍ଡରେ କିନ୍ତୁ ଚାଲିଛି ନିରନ୍ତର କାମ । ବଡ଼ିଭୋରରୁ ସୂର୍ଯ୍ୟାସ୍ତ, ଆପଣଙ୍କ ଘରକୁ ଆଲୋକ ଦେବାକୁ ପରିଶ୍ରମ କରୁଛନ୍ତି ଶହ ଶହ ବିଦ୍ୟୁତ କର୍ମଚାରୀ ଓ ଶ୍ରମିକ । ପ୍ରଚଣ୍ଡ ଖରାରେ ଦେହରୁ ଗମଗମ ଝାଳକୁ ମହାନଦୀ ପିଇଯାଉଛି । ଫନି ଦ୍ୱାରା ଭାଙ୍ଗିପଡିଥିବା ଏହି ବିଦ୍ୟୁତ ଗ୍ରୀଡ଼କୁ ସଜାଡିବାରେ ଲାଗିପଡିଛନ୍ତି । କଟକର ବିଡାନାସୀ-ଚୌଦ୍ୱାରର ମହାନଦୀ ମଝିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଓଡିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ଼ ବା ଓପିଟିସିଏଲର ତତ୍ୱାବଧାନରେ ଏଭଳି କାମ ଚାଲିଥିବା ବେଳେ ରାଜ୍ୟ ବାହାରର ଶ୍ରମିକମାନେ ବି ଲାଗିପଡିଛନ୍ତି । କାରଣ ମହାନଦୀ ଦେଇ ଯାଇଥିବା ୧୩୨ କେଭିର ଏହି ଲାଇନ କଟକ-ଚୌଦ୍ୱାର ଅଂଚଳ ପାଇଁ ବହୁ ଗୁରୁତ୍ୱ ରଖେ ।

ଶରୀରରେ ରଶି ଖଣ୍ଡେ ଖଣ୍ଡେ ବାନ୍ଧି ଓଜନିଆ ଇଲେକ୍ଟ୍ରି ଖୁମ୍ବ ଧରି ଯୋଡ଼ିବାରେ ଲାଗିଛନ୍ତି । ଜାଣିଛନ୍ତି ସେମାନଙ୍କୁ ହୁଏତ କେହି ଜାଣିପାରିବେନି । କିନ୍ତୁ କେତେ ଶୀଘ୍ର ଲୋକଙ୍କ ଘରେ ବିଜୁଳିବତୀ ପହଞ୍ଚିବ ଆଉ ଓଠରେ ହସ ଖେଳିବ ସେ ପ୍ରୟାସରେ ଏବେ ଏହି  ମଣିଷ । ଭାବିନାହାନ୍ତି ଏତେ ପାଣିରେ ବୁଡି ରହି କାମ କରିବାରେ ବିପଦ ଅଛି କି ? କେବଳ ଭାବିଛନ୍ତି ପୁନଃନିର୍ମାଣ ଓଡ଼ିଶାର ପ୍ରୟାସରେ କିଭଳି କିଛି କରିପାରିବେ ଯେଉଁସବୁ ଅଂଚଳକୁ ବିଦ୍ୟୁତ ଯାଇପାରିନି କିଭଳି ଶୀଘ୍ର ପହଞ୍ଚିବ ।