ଆଲୁଅ ଦେଖିଲା ଅନ୍ଧାରୀ ମୁଲକ । ନଗଡାରେ ଜଳିଲା ବିଜୁଳି ଆଲୁଅ । କନକ ନ୍ୟୁଜର ଗ୍ରାଉଣ୍ଡ ଜିରୋ ରିପୋର୍ଟ ପରେ ତତ୍ପରତା ପ୍ରକାଶ କଲା ପ୍ରଶାସନ ।

262

କନକ ବ୍ୟୁରୋ : ନୂଆରୂପ ପାଇଲା ନଗଡା । ଅପହଞ୍ଚ ଇଲାକାରେ ଆଜି ପହଁଚିଛି ବିଜୁଳି । ଉପର ନଗଡାରେ ଲାଇଟ୍ ଜଳିଛି । ସପ୍ତାହ ଭିତରେ ମଝି ନଗଡା ଏବଂ ତଳ ନଗଡାରେ ବିଜୁଳି ପହଁଚିଯିବ । ଗତ ୩ ବର୍ଷ ଭିତରେ ସରକାର, ନଗଡା ପାଇଁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ବିକାଶ ହୋଇପାରୁନଥିବା ନେଇ ଯାଜପୁର ଜିଲ୍ଲା ପ୍ରଶାସନକୁ ନୋଟିସ କରିଥିଲେ ଓଡିଶା ଲୋକାୟୁକ୍ତ । ଏପରିକି ଘଟଣାସ୍ଥଳକୁ ଯାଇ ୩ ବର୍ଷ ପରର ସ୍ଥିତି ସାମ୍ନାକୁ ଆଣିଥିଲା କନକ ନ୍ୟୁଜ୍ । ଆଜି ନଗଡାରେ ପହଞ୍ଚିଛି ପ୍ରଶାସନ ।

ନଗଡାରେ ଜଳିଲା ବିଜୁଳି ଆଲୁଅ । ଆଲୋକିତ ହେଲା ଅପହଞ୍ଚ ଇଲାକା । ଅପପୁଷ୍ଟି ଓ ଅନାହାର ମୃତ୍ୟୁ ଦେଖିଥିବା ନଗଡାବାସୀ ଆଲୁଅ ଦେଖିଛନ୍ତି । ଅପହଞ୍ଚ ଇଲାକାରେ ପହଞ୍ଚିଛି ବିଜୁଳି । ପୂର୍ବରୁ ବିଜୁଳି ଖୁଂଟ ଥିଲା, ତାର ଟଣା ଯାଇଥିଲା । ବିିଦ୍ୟୁତ୍ ବୋର୍ଡ ବି ଥିଲା । ହେଲେ ବିଜୁଳି ସଂଯୋଗ ହୋଇନଥିଲା । ବୁଧବାର ଉପର ନଗଡାରେ ଲାଇଟ୍ ଜଳିଛି । ୫ ଦିନ ଭିତରେ ମଝି ନଗଡା ଓ ତଳ ନଗଡାରେ ବିଜୁଳି ପହଁଚିଯିବ ।

ନଗଡାରେ ବିଜୁଳି ପହଁଚିଛି । ଆଗକୁ ରାସ୍ତା କେମିତି ପକ୍କା ହେବ, ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା କିଭଳି ସୁଧୁରିବ ସେନେଇ ବ୍ଲୁପ୍ରିଂଟ୍ ପ୍ରସୁତ ହୋଇଛି । ଏପରିକି ଗାଁରେ ଅପପୁଷ୍ଟିରେ ଶିକାର ହୋଇଥିବା ଶିଶୁର ଚିକିତ୍ସା ପାଇଁ ହସ୍ପିଟାଲ ଅଣାଯାଇଛି ।

ନଗଡାରେ ଭୋକର ଭୂଗୋଳ ଚିତ୍ର ସାମ୍ନାକୁ ଆସିବା ପରେ ଗତ ୩ ବର୍ଷ ଭିତରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ତଥାପି ଅଧପନ୍ତରିଆ ହୋଇରହିଛି ବିକାଶ । ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚୁନଥିବା ନେଇ ଯାଜପୁର ଜିଲ୍ଲା ପ୍ରଶାସନକୁ ନୋଟିସ କରିଥିଲେ ଓଡିଶା ଲୋକାୟୁକ୍ତ । ଏହାପରେ ନଗଡାରେ ପହଁଚିଛି ପ୍ରଶାସନ ।