ରାଜ୍ୟରେ ବଢିପାରେ ବିଜୁଳି ଦର । ବିଭିନ୍ନ ବିତରଣ କମ୍ପାନିର ଆବେଦନ ଉପରେ ଆଜିଠୁ ଶୁଣାଣି କରିବେ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ।

297

କନକ ବ୍ୟୁରୋ : ରାଜ୍ୟରେ ବଢିପାରେ ବିଜୁଳି ଦର । ଏଥିପାଇଁ ଆବେଦନ କରିଛନ୍ତି ବିଭିନ୍ନ ବିଦ୍ୟୁତ ବିତରଣ କମ୍ପାନି । ଏନେଇ ଆଜିଠାରୁ ଶୁଣାଣି କରିବେ ଓଡିଶା ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ । କମ୍ପାନିଗୁଡିକର ଯୁକ୍ତିକୁ ଓଇଆରସି ଗ୍ରହଣ କଲେ ଆସନ୍ତା ଆର୍ଥିକବର୍ଷରୁ ଅର୍ଥାତ ଏପ୍ରିଲ ପରେ ବଢିପାରେ ବିଜୁଳି ଦର । ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଫିସରେ ଆଜିଠାରୁ ଏହି ଶୁଣାଣି ଆଗାମୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି ।

ଆଜି ଦିନ ୧୧ଟାରେ ଓଡିଶା ହାଇଡ୍ରୋ ପାୱାର କର୍ପୋରେସନ ଲିମିଟେଡ୍- ଓଏଚପିସିର ଶୁଣାଣି ରହିଥିବାବେଳେ ୧୦ ତାରିଖରେ ସେସୁର ଶୁଣାଣି ରହିଛି । ୪ରେ ଓପିଜିସି, ୫ରେ ଗ୍ରିଡକୋ, ୬ରେ ଓପିଟିସିଏଲ ଓ ଏସଏଲଡିସି, ୭ରେ ନେସ୍କୋ, ୧୨ରେ ୱେସକୋ ଏବଂ ୧୪ରେ ସାଉଥକୋ ଆବେଦନର ଶୁଣାଣି ହେବ ।

ଏବେ ଘରୋଇ ସଂଯୋଗରୁ ଉପଭୋକ୍ତାଙ୍କୁ ୟୁନିଟ ପିଛା ଅଢେଇ ଟଙ୍କା, ବାଣିଜ୍ୟିକ ସଂଯୋଗରୁ ସାଢେ ୪ଟଙ୍କା ଓ ଶିଳ୍ପାନୁଷ୍ଠାନକୁ ୟୁନିଟ ପିଛା ୬ଟଙ୍କା ବିଦ୍ୟୁତ ଦେୟ ଦେବାକୁ ପଡୁଛି । ସେସୁର କହିବା ହେଲା ୧୦୦ ଟଙ୍କାରେ କିଣା ଯାଉଥିବା ବିଜୁଳିରୁ ୭୨ ଟଙ୍କା ଆୟ ହେଉଛି । ଅର୍ଥାତ ସିଧାସଳଖ ୨୮ ଟଙ୍କା କ୍ଷତି ସହୁଛି ସେସୁ । ତେଣୁ ବିତରଣ କମ୍ପାନିର କ୍ଷତିକୁ ଚାହିଁ ବିଜୁଳି ଦର ଧାର୍ଯ୍ୟ ହେଲେ ଉପଭୋକ୍ତାଙ୍କ ଉପରେ ପଡିବ ମହଙ୍ଗା ବୋଝ ।