ଚୀନରେ ଭୟଙ୍କର ବିଦ୍ୟୁତ ସଂକଟ: ବଡ ବଡ ସହରରେ ହେଉଛି ପାୱାର କଟ୍, ଅନ୍ଧାରରେ ଦିନ କାଟୁଛନ୍ତି ଲୋକେ

212

କନକ ବ୍ୟୁରୋ: ଚୀନର ଉତର-ପୂର୍ବ ଅଂଚଳରେ ଆରମ୍ଭ ହୋଇଥିବା ବିଦ୍ୟୁତ ସଂକଟ ଏବେ ଉକ୍ରଟ ରୂପ ନେବାରେ ଲାଗିଲାଣି । ଘରେ ଘରେ ବିଜୁଳି କାଟ ହେବା ସହ ବଡ ବଡ କାରଖାନା ଗୁଡିକରେ ମଧ୍ୟ ଉତ୍ପାଦନ ଠପ୍ ହୋଇଛି । ବଡ ବଡ ସହର ଗୁଡିକରେ ବିଜୁଳି ଅପଚୟ ରୋକିବାକୁ ପାୱାର କଟ୍ ସହ ଦୋକାନ, ବଜାର ମଲ ଗୁଡିକୁ ବନ୍ଦ କରାଯାଉଛି । ଫଳରେ ଚୀନ ନାଗରିକଙ୍କୁ ନାହିଁ ନଥିବା ସମସ୍ୟା ଭୋଗିବାକୁ ପଡୁଛି । ଅଧିକାଂଶ ସମୟ ଲୋକଙ୍କୁ ଅନ୍ଧାରରେ ରହିବାକୁ ପଡୁଛି । ଫଳରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ ଏବଂ ବଡ ବଡ ଉତ୍ପାଦନକାରୀ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଲୋକେ ମୋବାଇଲ ଫ୍ଲାସ୍ ଲାଇଟ୍ ଜାଳି ଜେନେରେଟର ଜାଳି କାମ କରିବାକୁ ବାଧ୍ୟ ହେଉଛନ୍ତି । ବିଦ୍ୟୁତ ସଂକଟ ପାଇଁ ଦେଶର ବିଶାଳ ଅର୍ଥବ୍ୟବସ୍ଥା ଏଥିରେ ପ୍ରଭାବିତ ହୋଇଛି ।

କୋଇଲାର ଦରବୃଦ୍ଧିକୁ ନେଇ ଚୀନରେ ଏଭଳି ବିଦ୍ୟୁତ ସଂକଟ ଦେଖା ଦେଇଛି । ଉତ୍ପାଦନକାରୀଙ୍କ ଚାହିଦା ବୃଦ୍ଧି ପାଇଥିବାରୁ କୋଇଲାର ଆବଶ୍ୟକତା ପୂରଣ ହୋଇପାରିନାହିଁ । ଫଳରେ ସରକାର ଅନେକ ସ୍ଥାନରେ ପାୱାର-କଟ୍ର ନିଷ୍ପତି ନେଇଛନ୍ତି ।

ବିଜୁଳି ସଂକଟ ପାଇଁ ଚୀନର ଉତ୍ପାଦନ ବିଶେଷ ଭାବେ ପ୍ରଭାବିତ ହୋଇଛି । ଫ୍ରାକ୍ଟିରେ ଉତ୍ପାଦନ ପାଇଁ ଆବଶ୍ୟକ ମୁତାବକ ପାୱାର ସପ୍ଲାଏ ହୋଇପାରୁନି । ଫଳରେ ଏହାର ପ୍ରଭାବ ବିଶ୍ୱ ବଜାର ଉପରେ ଦେଖାଦେବାର ଆଶଙ୍କା ରହିଛି । ବିଦ୍ୟୁତ ସଂକଟ ପାଇଁ ଆପଲ, ଟେଲସା ଭଳି କମ୍ପାନୀ ନିଜ କାରଖାନା ବନ୍ଦ କରିବା ପରିସ୍ଥିତି ଉପୁଜିଛି । ଆଉ ଏହାର ପ୍ରଭାବ ସାରା ବିଶ୍ୱରେ ଦେଖାଦେବ । ସ୍ମାର୍ଟ ଫୋନ ଠାରୁ ଆରମ୍ଭ କରି ଅନେକ ବୈଦ୍ୟୁତିକ ଉପକରଣର, ଅଟୋମୋବାଇଲ୍ସ, ପ୍ଲାଷ୍ଟିକ୍ ଉପକରଣ ଆଦି ପଦାର୍ଥର ଦାମ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି ।

ଚୀନରେ ବିଦ୍ୟୁତ ସଂକଟକୁ ନଜରରେ ରଖି ଲୋକଙ୍କୁ କମ୍ ପରିମାଣର ବିଦ୍ୟୁତ ବ୍ୟବହାର ପାଇଁ ଉପଦେଶ ଦିଆଯାଇଛି । ଆଗକୁ ଶୀତଦିନ ଥିବାରୁ ସରକାରଙ୍କ ତରଫରୁ ବିଦ୍ୟୁତ ସଂକଟ ଦୁର କରିବା ନେଇ ସରକାର କାମ କରୁଥିବା ଜଣାପଡିଛି ।