କିଟିମିଟି ଅନ୍ଧାରରେ ରାଜଧାନୀ ଭୁବନେଶ୍ୱର । ସମସ୍ତଙ୍କର ଗୋଟିଏ ପ୍ରଶ୍ନ କେବେ ଆସିବ ଲାଇନ୍ ?

310

କନକ ବ୍ୟୁରୋ : ପୂରା ରାଜଧାନୀରେ କିଟିମିଟି ଅନ୍ଧାର । ଲାଇନ୍ ନଥିବାରୁ ଘରେ ପାଣି ନାହିଁ କି ମୋବାଇଲରେ ଚାର୍ଜ ନାହିଁ । ଗରମରେ ଦେହ ସିଝିଯାଉଛି । ରାଜଧାନୀବାସୀଙ୍କ ଜୀବନ ପୂରା ଦୁର୍ବିସହ ହୋଇଗଲାଣି । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ କେବେ ଆସିବ ଲାଇନ୍ ।

ଶକ୍ତି ବିଭାଗ ବାତ୍ୟା ହେବା ଦିନରୁ କହି ଚାଲିଛି ୨୪ଘଣ୍ଟାରେ ଏତିକି ପ୍ରତିଶତ ଲୋକଙ୍କୁ ଲାଇନ୍ ସଂଯୋଗ ଦିଆଯିବ, ଦି ଦିନରେ ଏତିକି ପ୍ରତିଶତ ତିନି ଦିନରେ ଏତିକି ପ୍ରତିଶତଙ୍କୁ ଲାଇନ୍ ଦିଆଯିବ । ହେଲେ ସବୁ ବାହାସ୍ଫୋଟ । ଆଜି କିଛି ଜରୁରିକାଳୀନ ସେବା ଉପଲବ୍ଧ ହେଉଥିବା ଅଞ୍ଚଳକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲେ ହେଁ ଜଣେ ବି ହିତାଧିକାରୀଙ୍କୁ ଲାଇନ୍ ସଂଯୋଗ ଦିଆଯାଇପାରିଲାନି । ଦକ୍ଷ ଅଧିକାରୀଙ୍କୁ ସରକାର ଦାୟିତ୍ବ ଦେଇଛନ୍ତି ବୋଲି କହୁଥିବାବେଳେ ବାବୁମାନଙ୍କ ଅପାରଗତା ରାଜଧାନୀବାସୀଙ୍କୁ କୌଣସି ଉପାନ୍ତ ଅଞ୍ଚଳରେ ରହିଲା ଭଳି ଅନୁଭୂତି ଦେଉଛି ।

୪ଦିନ ହେଲା ଘନ ଅନ୍ଧାରରେ ରହୁଥିବା ଲୋକଙ୍କ ଧୈର୍ଯ୍ୟ ଭାଙ୍ଗିଲାଣି । ଲୋକ ପୂରା ତାତିଗଲେଣି । ଲାଇନ୍, ପାଣି ଅଭାବରୁ ରାଜଧାନୀବାସୀଙ୍କ ଜୀବନଶୈଳୀ ପୂରା ବଦଳିଗଲାଣି । କେବେ ବି ଲଗାତାର ଏତେଦିନ ଅନ୍ଧାରରେ ରହିନଥିବା ଲୋକଙ୍କୁ ୪ଦିନ ଅନ୍ଧାର ବାଧିଲାଣି । କେବେ ଆସିବ ‌ସେନେଇ ପ୍ରଶାସନ କିଛି ବି ନିର୍ଦ୍ଦିଷ୍ଟ ଭାବେ କହିପାରୁନଥିବାରୁ ଲୋକଙ୍କ ଆକ୍ରୋଶ ସୀମା ଟପିଲାଣି । ପ୍ରଶାସନ ରାଜଧାନୀରେ ବିଦ୍ୟୁତ୍‌ ସେବା ସ୍ବାଭାବିକ କରିପାରୁନଥିବାବେଳେ ବାକି ରାଜ୍ୟରେ କ’ଣ କରୁଥିବ ବୋଲି ପ୍ରଶ୍ନ ଉଠିଲାଣି ।

ଏବେବି ବହୁ ଅଞ୍ଚଳରେ ବିଦ୍ୟୁତ୍‌ ତାର ଉପରୁ ଗଛ ଉଠିନଥିବାବେଳେ କେବେ ସ୍ଥିତି ସ୍ବାଭାବିକ ହେବ ଲୋକ ସେନେଇ ଦ୍ବନ୍ଦ୍ବରେ ପଡ଼ିଲେଣି । ଆଶ୍ଚର୍ଯ୍ୟର ବିଷୟ ସେସୁ କର୍ତ୍ତୃପକ୍ଷଙ୍କ ପାଖରେ ହିସାବ ନାହିଁ କେତେ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଛି, କେତେ ଉପୁଡ଼ିଛି, କେତେ ତାର ଛିଣ୍ଡିଛି, କେତେ ଟ୍ରାନ୍ସଫର୍ମର ବଦଳିବ । ଏପର୍ଯ୍ୟନ୍ତ ଆକଳନ ଶେଷ ହୋଇପାରିନି । ଏଥିରେ କର୍ତ୍ତୃପକ୍ଷ କେତେ ଖୁଣ୍ଟ ମଗାଇଛନ୍ତି, କେତେ ତାର ଆଣୁଛନ୍ତି, କେତେ ଟ୍ରାନ୍ସଫର୍ମର ଯୋଗାଡ଼ କରୁଛନ୍ତି, କେଉଁ ଅଞ୍ଚଳ ପାଇଁ କ’ଣ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ସେନେଇ ପ୍ରଶ୍ନ ଉଠିଲାଣି । ବାତ୍ୟା ଯିବାର ୪ଦିନ ପରେ ସେସୁର ଅପାରଗତା ଜଳଜଳ ଦିଶୁଛି । ଆନ୍ଧ୍ର, ବ୍ରହ୍ମପୁର ଏବଂ ବିଭିନ୍ନ ଜିଲ୍ଲାରୁ ବିଦ୍ୟୁତ୍‌ କର୍ମଚାରୀ ଆସିଲେ କାମ ଜୋରଦାର ହେବ ବୋଲି ‌ଅପେକ୍ଷା କରିଥିବା ଶକ୍ତି ବିଭାଗ କେବେ ତତ୍ପର ହେବ ସେନେଇ କାହା ପାଖରେ ଉତ୍ତର ନାହିଁ ।

ଏପଟେ ଶକ୍ତି ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ, ଆମର ୮୮ଟି ଫିଡରରୁ ୭ଟି ଚାର୍ଜ ହୋଇଛି । ମଙ୍ଗଳବାର ଆଉ ୨୦ଟି ଚାର୍ଜ କରିବୁ । ମଙ୍ଗଳବାର ରାତି ସୁଦ୍ଧା‌ ୨୫% ହିତାଧିକାରୀଙ୍କୁ ବିଦ୍ୟୁତ୍‌ ସଂଯୋଗ ଦିଆଯିବ । ହେଲେ ରାସ୍ତାରେ ଛିଣ୍ଡିଥିବା ତାର, ଭାଙ୍ଗି ପଡ଼ିଥିବା ବିଦ୍ୟୁତ ଖୁଣ୍ଟ, ପଡ଼ିଥିବା ଗଛକୁ ଦେଖିଲେ ଲାଗୁନି ଯେ, ଦୁଇ ତିନି ଦିନରେ ସ୍ଥିତି ସୁଧୁରିବାର ସମ୍ଭାବନା ଅଛି ।

ଫିଲ୍ଡ କର୍ମଚାରୀଙ୍କୁ ଯୋଗାଯୋଗ ସମସ୍ୟା ପାଲଟିଛି :

ସବୁଠାରୁ ବଡ଼ ସମସ୍ୟା ହୋଇଛି ଟେଲି ଯୋଗାଯୋଗ । ନିୟନ୍ତ୍ରଣ କକ୍ଷରୁ ହ୍ବାଟ୍‌ସ୍‌ଆପ୍‌ ଗ୍ରୁପରେ ସୂଚନା ପ୍ରଦାନ କରିବା ଓ ସୂଚନା ଅନୁସାରେ ଫିଲ୍ଡରେ ଥିବା କର୍ମଚାରୀ କାମ କରିବେ, ତାହା ସ୍ୱପ୍ନ ହୋଇଛି । ମୋବାଇଲ୍‌ ଫୋନ୍‌ ଯୋଗେ ୮୦ ପ୍ରତିଶତ କଲ୍‌ ସଂଯୋଗ ହୋଇପାରୁନାହିଁ । ଏଣୁ ବାଇକ୍‌ ଯୋଗେ ନିୟନ୍ତ୍ରଣ କକ୍ଷରୁ ଫିଲ୍ଡକୁ ସୂଚନା ବା ନି‌ର୍ଦ୍ଦେଶ ପ୍ରଦାନ କରାଯାଉଛି । ଫଳରେ ସମୟ ଦୁଇଗୁଣ ଅଧିକ ଯାଉଛି । ଭୁବନେଶ୍ବରରେ ଉପଭୋକ୍ତା ସାନ୍ଧ୍ରତା ବହୁତ ରହିଛି । ପ୍ରତ୍ୟେକ ବିଦ୍ୟୁତ ଖୁଣ୍ଟ ବାତ୍ୟାରେ ପ୍ରଭାବିତ ‌ହୋଇଛି । ଗୋଟିଏ ଖୁଣ୍ଟକୁ ସଂଯୋଗ ଦେ‌ଲେ ୪ଟି ଖୁଣ୍ଟରେ ଦୁର୍ଘଟଣା ଘଟିବା ଆଶଙ୍କା ରହିଛି । ଏଣୁ କୌଣସି ଖୁଣ୍ଟ ଚାର୍ଜ କରି ହେଉନାହିଁ । ଗୋଟିଏ ଗୋଟିଏ ଖୁଣ୍ଟକୁ ଛିଡ଼ା କରିବା ପରେ ସଂଯୋଗ ଦେଇ ଟେଷ୍ଟ ଚାର୍ଜ କରିବାକୁ ପଡ଼ିବ । ଏଣୁ କିଛି ଦିନ ଉପଭୋକ୍ତାଙ୍କ ସହଯୋଗ ଆବଶ୍ୟକତା ରହିଛି ବୋଲି ସେସୁର ମହାପ୍ରବନ୍ଧକ ସୁବ୍ରତ ମିଶ୍ର କହିଛନ୍ତି ।

ସର୍ଭେ ହେଉନି, ଅନୁମାନରେ ହିସାବ ହେଉଛି :

ବାସ୍ତବରେ ଯେତିକି ଭିତ୍ତିଭୂମି ଥିଲା, ତାହାର ୮୦ ପ୍ରତିଶତ ନଷ୍ଟ ହୋଇଥିବା ନେଇ ଅନୁମାନ କରି ସଚିବଙ୍କୁ ରିପୋର୍ଟ ଦିଆଯାଇଛି । ଏହି ରିପୋର୍ଟକୁ ଆଧାର କରି ସଚିବ ଏସ୍‌ଆରସିଙ୍କ ନିକଟରେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ସରକାରଙ୍କ ପାଖରେ ଯାହା ରିପୋର୍ଟ ରହିଛି, ତାହା ବାସ୍ତବତାଠାରୁ ଢେର୍‌ ଦୂରରେ ରହିଛି ତାହା କର୍ତ୍ତୃପକ୍ଷଙ୍କ ହିସାବକୁ ଦେଖିଲେ ଜଣାପଡ଼ୁଛି । ‘ଆମ ପାଖରେ ହିସାବ ନଥିବାରୁ ଆମେ ଦେଇପାରୁନାହୁଁ । ଯିଏ ମାଗୁଛି ଆନୁମାନିକ ହିସାବ ଦିଆଯାଉଛି’ ବୋଲି ଜଣେ ବରି‌ଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଆଉ ଏକ କଥା ହେଉଛି, କେଉଁଠି ଆଗ ପୁନରୁଦ୍ଧାର କାମ କରାଯିବ, ସେ ନେଇ ନକ୍ସା ପ୍ରସ୍ତୁତ ହେବା ପରେ ଅନ୍ୟ କେଉଁଠି କରିବା ପାଇଁ ଉପର ମୁଣ୍ଡରୁ ଚାପ ଆସୁଛି । ଫଳରେ ଅଧିକାରୀ ବାଟବଣା ହେଉଛନ୍ତି । ପାୱାର ହାଉସ୍‌ଠାରେ ଥିବା ନିୟନ୍ତ୍ରଣ କକ୍ଷରେ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରତ୍ୟେକ ଦିନ ଘନଘନ ବୈଠକ ବସୁଛି । ହେଲେ ବାଟ ଫିଟୁନି ।

ସ୍ଥିତି ସ୍ବାଭାବିକ କରିବାକୁ ତିନି ବିଭାଗ ଏକାଠି :

ମାନବ ସମ୍ବଳ ଓ ଯୋଗଯୋଗ ସମସ୍ୟା ପୁନରୁଦ୍ଧାର କାମରେ କଣ୍ଟା ହୋଇ ଛିଡ଼ା ହୋଇଛି । ପ୍ରଭାବିତ ୪ଟି ଜିଲ୍ଲାରେ ବିଦ୍ୟୁତ୍‌ ସରବରାହ ସ୍ବାଭାବିକ କରିବା‌ ପାଇଁ ୧୦ ହଜାର ଲୋକ ଆବଶ୍ୟକତା ଥିବା ବେଳେ ଏବେ କେବଳ ୪ ହଜାର ଲୋକ ରହିଛନ୍ତି । ସେଥିରୁ ସିଂହଭାଗ ସବୁଠାରୁ ସଙ୍ଗିନ ସ୍ଥିତି ହୋଇଥିବା ପୁରୀ ଜିଲ୍ଲାରେ କାମ କରୁଥିବାରୁ ଭୁବନେଶ୍ବରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଆଜି ଓଏଫଡିସି(ଓଡ଼ିଶା ବନ ଉନ୍ନୟନ ନିଗମ)ରୁ ୨୦ଟି ଟିମ୍‌ ଆସୁଛନ୍ତି । ସେମାନେ ଏହି ପୁନରୁଦ୍ଧାର କାମରେ ଯୋଗଦେ‌ବେ । ଏଣୁ ପୁନରୁଦ୍ଧାର କାମ ଆହୁରି ତ୍ବରିତ ହେବ କର୍ତ୍ତୃପକ୍ଷ ଆଶା କରୁଛନ୍ତି । ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହେଉଥିବାରୁ ବାହାର ରାଜ୍ୟରୁ ଯେଉଁମାନେ ଏହି ପୁନରୁଦ୍ଧାର କାମରେ ସହଯୋଗ କରିବା ପାଇଁ ଆସୁଛନ୍ତି, ସେମାନେ ପହଞ୍ଚିଗଲେ କାମ ତ୍ବରିତ ହେବ । ଅନ୍ୟପଟେ ଅଗ୍ନିଶମ ଡିଜି ବିଜୟ ଶର୍ମା କହିଛନ୍ତି, ବିଭାଗର ୨୬ଟି ଦଳ ବିଦ୍ୟୁତ୍‌ ପୁନରୁଦ୍ଧାର କାମରେ ସେସୁକୁ ସହଯୋଗ କରୁଛନ୍ତି । ଭୁବନେଶ୍ବରକୁ ୭ଟି ଜୋନ୍‌ରେ ବିଭକ୍ତ କରାଯାଇ ଏହି କାମର ତଦାରଖ କରାଯାଉଛି । ଟିମ୍‌ରେ ଉପଯୁକ୍ତ ଗଛ କଟା ମେସିନ୍‌ ସହ ଅନ୍ୟାନ୍ୟ ସରଞ୍ଜାମ ରହିଛି । ପ୍ରତି ଟିମ୍‌ରେ ୫ଜଣ ଫାୟାରମ୍ୟାନ୍‌ ସମେତ ଗଛ କଟାଳି ରହିଛନ୍ତି ବୋଲି ସେ କହିଛନ୍ତି ।