ରାଜ୍ୟରେ ବିଜୁଳି ଦର ବୃଦ୍ଧି ପ୍ରତିବାଦକୁ ଆଉ ପାଦେ ଆଗେଇଲା କଂଗ୍ରେସ : ସମସ୍ତ ଜିଲ୍ଲା ସଦର ମହକୁମା ଓ ବ୍ଲକରେ ବିଜୁଳି ଅଫିସ ଘେରିବା ପରେ, ଓଇଆରସି ଅଫିସ ଆଗରେ ଧାରଣା

ତୁରନ୍ତ ବର୍ଦ୍ଧିତ ଦର ପ୍ରତ୍ୟାହାର କରିବାକୁ ଗର୍ଜିଲେ ନେତା

143

କନକ ବ୍ୟୁରୋ : ବିଜୁଳି ଦର ବୃଦ୍ଧି ପ୍ରତିବାଦକୁ ଆଉପାଦେ ଆଗେଇ ନେଇଛି କଂଗ୍ରେସ । ବିଦ୍ୟୁତ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଏବେ ଓଇଆରସି ଅଫିସ ଘେରିଛି ଦଳ । ଗତକାଲି ସମସ୍ତ ଜିଲ୍ଲା ସଦର ମହକୁମା ଓ ବ୍ଲକରେ ଥିବା ବିଦ୍ୟୁତ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ଓ ସମାବେଶ କରି ଦରବୃଦ୍ଧିର ପ୍ରତିବାଦ କରିଥିଲା କଂଗ୍ରେସ । ଆଜି ଦଳର ବରିଷ୍ଠ ନେତାମାନେ ଭୁବନେଶ୍ୱରରେ ଥିବା ଓଇଆରସି ଅଫିସ ଆଗରେ ଧାରଣା ଦେବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।

କରୋନା ସମୟରେ ଲୋକମାନଙ୍କର ଆର୍ଥିକ ଅବସ୍ଥା ଦୋହଲି ଯାଇଥିବା ବେଳେ ବିଦ୍ୟୁତ ଦରବୃଦ୍ଧି କରି ସରକାର ଓ ବଂଟନ କମ୍ପାନୀ ଲୋକଙ୍କୁ ଶୋଷଣ କରୁଥିବା ଅଭିଯୋଗ କରିଛି କଂଗ୍ରେସ । ବର୍ଦ୍ଧିତ ବିଜୁଳି ଦର ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ଦଳ କହିଛି । ଏହାକୁ ପ୍ରତିବାଦ କରି ରବିବାର ସଂଧ୍ୟାରେ ପିସିସି ସଭାପତିଙ୍କ ଆହ୍ୱାନ କ୍ରମେ ବିଭିନ୍ନ ଜିଲ୍ଲାରେ ବିଦ୍ୟୁତ ଉପଭୋକ୍ତାମାନେ ଅଧଘଂଟା ପାଇଁ ଅନ୍ଧାରରେ ରହିଥିଲେ । କଂଗ୍ରେସ ଭବନ ସମେତ ପିସିସି ସଭାପତିଙ୍କ ବାସଗୃହ ଓ କର୍ମୀମାନଙ୍କ ବାସଭବନରେ ସଂଧ୍ୟା ୬ଟା ୩୦ରୁ ୭ଟା ଯାଏ ବିଦ୍ୟୁତ ବ୍ୟବହାର ବନ୍ଦ ରହିଥିଲା ।