ଜଙ୍ଗଲୀ ଗାଁକୁ ଘାରିଛି ବିଜୁଳି ଚିନ୍ତା । ସାତକୋଶିଆ ନାନୋ ସ୍ମାର୍ଟ ଭିଲେଜରେ ନାହିଁ ବିଜୁଳି ସଂଯୋଗ । ସଞ୍ଜ ନଇଁଲେ ମାଡି ଆସୁଛି ଅନ୍ଧାର

65

କନକ ବ୍ୟୁରୋ : ସଞ୍ଜ ନଇଁବା କ୍ଷଣି ମାଡି ଆସେ ଅନ୍ଧାର । ଠିକ୍ ଅନ୍ୟ ସବୁ ଅଞ୍ଚଳ ଭଳି । ହେଲେ ଏଠି ରାତିର ଅନ୍ଧାର ଦୂର କରିବା ପାଇଁ ନାହିଁ ବିଜୁଳି ବ୍ୟବସ୍ଥା । ସୂର୍ଯ୍ୟଦୋୟର ସକାଳକୁ ଅପେକ୍ଷା କରିବାକୁ ପଡେ ଏଠାକାର ଅଧିବାସୀଙ୍କୁ । ଆମେ କୁହଛୁ ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା ଦେଶର ପ୍ରଥମ ନାନୋ ଗ୍ରୀଡ୍ ସ୍ମାଟ୍ ଭିଲେଜ ଛୋଟକେଇ ଗାଁର କଥା । ବ୍ୟାଘ୍ର ପ୍ରକଳ୍ପ କଟକଣା ଯୋଗୁଁ ଗାଁକୁ ବିଦ୍ୟୁତ୍ ସଂଯୋଗ ହୋଇ ପାରୁନାହିଁ ତେଣୁ ଦହଗଞ୍ଜ ହେଉଛନ୍ତି ଜଙ୍ଗଲ ଅଧିବାସୀ । ହେଲେ ଏମାନଙ୍କ ସମସ୍ୟା ଜିଲ୍ଲା ପ୍ରଶାସନ କି ଲୋକ ପ୍ରତିନିଧି କେହି ବୁଝୁନଥିବା ଅଭିଯୋଗ ହୋଇଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ୨ଶହରୁ ଅଧିକ ପରିବାର ରହୁଥିବା ଏହି ଗାଁରେ ୨୦ ବର୍ଷ ତଳେ ବିଦ୍ୟୁତ ସଂଯୋଗ ଥିଲା । କିନ୍ତୁ ଜଙ୍ଗଲୀ ଗାଁରେ ରକ୍ଷଣାବେକ୍ଷଣ ଅଭାବରୁ ଖୁଂଟ ଓ ତାର ସବୁ ନଷ୍ଟ ହୋଇ ଯାଇଛି । ଆଉ ଏବେ ଗାଁକୁ ବିଜୁଳି ସଂଯୋଗ ଦାବି କରି ଲୋକେ ତାତି ଥିବା ବେଳେ ସେମାନଙ୍କ ଆଗରେ ପ୍ରଶାସନ ମୁଣ୍ଡ ନୁଆଁଇଛି । ୧ କୋଟି ବ୍ୟୟରେ ଆଗାମୀ ୪ ମାସ ଭିତରେ ଗାଁକୁ ବିଜୁଳି ସଂଯୋଗ ଦେବା ପାଇଁ ପ୍ରତିଶ୍ରୁତି ଦେଇଛି ପ୍ରଶାସନ ।

ରାଜ୍ୟ ସରକାରଙ୍କ ପକ୍ଷରୁ ସାତକୋଶିଆରେ ଇକୋ-ରିଟ୍ରିକ୍ କରାଯାଇଛି । ପ୍ରତିଦିନ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି, ହେଲେ ଏଠାରେ ଥିବା ଗାଁରେ ବିଜୁଳି ନଥିବାରୁ ସଞ୍ଜ ନଇଁବା ମାତ୍ରେ ତାଟିକବାଟ ପଡୁଛି ।