ଚୀନରେ ବିଜୁଳି ସଙ୍କଟ! ଫ୍ୟାକ୍ଟ୍ରି ଓ ମଲ ବନ୍ଦ ପଡିଲାଣି, ଲୋକଙ୍କୁ ବିଜୁଳିରେ ପାଣି ଗରମ କରିବାକୁ ବି ମନା କରୁଛି ପ୍ରଶାସନ । 

237

କନକ ବ୍ୟୁରୋ : ଚୀନରେ ଭୟଙ୍କର ବିଜୁଳି ସଙ୍କଟ । ଚୀନର ପୂର୍ବ-ଉତ୍ତର ଅଞ୍ଚଳରେ ଏବେ ବିଜୁଳି ସଙ୍କଟ ବଢିବାରେ ଲାଗିଛି । ସ୍ଥିତି ଏମିତି ହୋଇଛି ଯେ, ଏହି ଅଞ୍ଚଳରେ ଥିବା ଅନେକ ଫ୍ୟାକ୍ଟ୍ରି, ମଲ୍, ଦୋକାନ ବନ୍ଦ ପଡିଛି ଏବଂ ଲୋକେ ଘରେ ନାନାଦି ସମସ୍ୟା ଦେଇ ଗତି କରୁଛନ୍ତି । କୋଇଲା ସପ୍ଲାଇରେ ଦେଖାଦେଇଥିବା ସମସ୍ୟା କାରଣରୁ ଚୀନର ପୂର୍ବ-ଉତ୍ତର ଅଞ୍ଚଳରେ ଗତ କିଛି ଦିନ ହେବ ବିଜୁଳି ସଙ୍କଟ ଦେଖିବାକୁ ମିଳିଛି । ଚୀନରେ କୋଇଲା ଉତ୍ପାଦନ ଡିମାଣ୍ଡ ବଢୁଥିବା ବେଳେ ଯାହାର ପ୍ରଭାବ କୋଇଲା ସପ୍ଲାଇ ଉପରେ ପଡିଛି । ଏପରିକି କୋଇଲା ଦାମ ମଧ୍ୟ ଯଥେଷ୍ଟ ଅଧିକ ବଢିଯାଇଛି ।ଯାହାଦ୍ୱାରା ଚୀନରେ କୋଇଲା ସଙ୍କଟ ଭୟଙ୍କର ସ୍ଥିତିରେ ପହଞ୍ଚିଛି । ସ୍ଥିତି ଏମିତି ହୋଇଛି ଯେ, ଆପଲ, ଟେସଲା ଭଳି କମ୍ପାନିର ଫ୍ୟାକ୍ଟ୍ରି ବନ୍ଦ ହେବା ପରିସ୍ଥିତିରେ ପହଞ୍ଚିଛି ।

ଚୀନରେ ବିଜୁଳି ସଙ୍କଟକୁ ଦୃଷ୍ଟିରେ ରଖି ଚାଙ୍ଗଚୁନ ଅଞ୍ଚଳରେ ଗତ ସପ୍ତାହରୁ ବିଜୁଳି ଯୋଗାଣର ସମୟ ସ୍ଥୀରିକୃତ କରାଯାଇଛି  । ଯାହାଦ୍ୱାରା ସମସ୍ତଙ୍କ ଘର ଓ ଫ୍ୟାକ୍ଟ୍ରିକୁ ଜରୁରୀକାଳୀନ ବ୍ୟବହାର ପାଇଁ ବିଜୁଳି ମିଳିପାରିବ । ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଅଧିକାଂଶ ସମୟ ବିଜୁଳି ରହୁନଥିବାରୁ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ଏଭଳି ବିଜୁଳି ସଙ୍କଟ ଚୀନର ଉତ୍ପାଦନକାରୀ ସଂସ୍ଥା ଉପରେ ଭୟଙ୍କର ପ୍ରଭାବ ପକାଇଛି । ଫ୍ୟାକ୍ଟ୍ରିକୁ ଆବଶ୍ୟକୀୟ ପରିମାଣର ବିଜୁଳି ମିଳୁନଥିବାରୁ  ବିଭିନ୍ନ ସାମଗ୍ରୀର ସଙ୍କଟ ଦେଖାଦେଉଛି । ଏହାଛଡା ଯେଉଁ ଅଞ୍ଚଳରେ ବିଜୁଳି ସଙ୍କଟ ଦେଖାଦେଇଛି ସେଠାରେ ପ୍ରବଳ ମାତ୍ରାରେ ଥଣ୍ଡା ଅନୁଭୂତ ହୁଏ । ଏଭଳି ସ୍ଥିତିରେ ସମସ୍ତ ଘରକୁ କିଭଳି ବିଜୁଳି ଯୋଗାଇ ଦିଆଯିବ ତାହା ପ୍ରଶାସନ ପାଇଁ ଏବେ ସବୁଠୁ ବଡ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଛି ।

ବିଜୁଳି ସଙ୍କଟକୁ ଦୃଷ୍ଟିରେ ରଖି ଚୀନ୍ ପ୍ରଶାସନ ସ୍ଥାନୀୟ ଲୋକଙ୍କୁ ବେଶି ବିଜୁଳି ବ୍ୟବହାର  ନ କରିବାକୁ କୁହାଯାଇଛି । ସ୍ଥିତି ଏମିତି ହୋଇଛି ଯେ, ପାଣି ଗରମ କରିବାକୁ ମଧ୍ୟ ଲୋକଙ୍କୁ ମନା କରାଯାଉଛି । କରୋନା କାଳରେ ଚୀନର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବେଳେ ଚୀନ୍ ପାଇଁ ଆଗକୁ ମଧ୍ୟ ଏହି ସଙ୍କଟ ଜାରି ରହିପାରେ । ବିଜୁଳି ସଙ୍କଟ କାରଣରୁ କିଛି କମ୍ପାନି ନିଜ ଉତ୍ପାଦନକୁ ସମ୍ପୂର୍ଣ୍ଣ ବନ୍ଦ କରିଥିବା ବେଳେ ଅନ୍ୟ କିଛି କମ୍ପାନି ମିଳୁଥିବା ବିଜୁଳିରେ ଆବଶ୍ୟକତା ଠାରୁ ଯଥେଷ୍ଟ କମ ଉତ୍ପାଦନ କରୁଛନ୍ତି ।