ପେଟ୍ରୋଲ ପରେ ପାକିସ୍ତାନରେ ବିଜୁଳି ସଂକଟ । ବାଣିଜ୍ୟ କାରବାର ଉପରେ ବଡ ପ୍ରଭାବ

143

କନକ ବ୍ୟୁରୋ : ପାକିସ୍ତାନରେ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଆର୍ଥିକ ସ୍ଥିତି ଏପରି ହୋଇଯାଇଛି ଯେ, ଆଶଂକା କରାଯାଉଛି ଆଗାମୀ ଦିନରେ ପାକିସ୍ତାନର ପରିସ୍ଥିତି ଶ୍ରୀଲଙ୍କା ଭଳି ହୋଇପାରେ । ଗତକାଲି ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା କି, ରାକିସ୍ତାନରେ ପେଟ୍ରୋଲ ଡିଜେଲ ଦର ୨୪୮ ଟଙ୍କାରେ ପହଞ୍ଚିଯାଇଛି । ଏପରିକି କରୋସିନ୍ ମୁଲ୍ୟ ବି ୨ଶହ ଟଙ୍କା ଉପରେ ରହିଛି । ଆଉ ଆଜିର ତାଜା ତଥ୍ୟ ଅନୁସାରେ, ପାକିସ୍ତାନରେ ବିଦ୍ୟୁତ୍ ସଂକଟ ଦେଖାଦେଇଛି ।
ଆର୍ଥିକ ସଂକଟଗ୍ରସ୍ତ ପାକିସ୍ତାନରେ ଏବେ ବିଦ୍ୟୁତ୍ ସଂକଟ ଗୁରୁତର ରୂପ ନେବାରେ ଲାଗିଛି । ଯାହାର ପ୍ରଭାବ ଏବେ ଦେଶର ସାଧାରଣ ଲୋକଙ୍କ ସହ ବାଣିଜ୍ୟ କାରବାର ଉପରେ ପଡିବାରେ ଲାଗିଲାଣି । ଗତମାସରେ ଦେଶର ନ୍ୟାସନାଲ ଆସେମ୍ବ୍ଲିରେ ଆର୍ଥିକ ସର୍ଭେ ରିପୋର୍ଟ ଉପସ୍ଥାରନ କରାଯାଇଥିଲା । ଏଥିରେ ସହବାଜ ସରିଫଙ୍କ ନେତୃତ୍ୱାଧୀନ ସରକାରରେ ଦେଶର ଦୈନିକ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ରେକର୍ଡ ସ୍ତରରେ ପହଞ୍ଚିଥିବା କୁହାଯାଉଥିଲା । ଦୈନିକ ବିଦ୍ୟୁତ୍ ଉତ୍ପାଦନ ୪୧ ହଜାର ମେଗାୱାଟକୁ ପହଞ୍ଚିଥିବାର ତଥ୍ୟ ଦିଆଯାଇଥିଲା । ତେବେ ସରକାର ଦେଶର ବିଦ୍ୟୁତ୍ ଚାହିଦା ସମ୍ପର୍କରେ କିଛି କହିନଥିଲେ । ଫଳରେ ଦେଶରେ ବିଦ୍ୟୁତ୍ ଚାହିଦା ଓ ଉତ୍ପାଦନ ପ୍ରଭେଦ ବଢି ଏବେ ୭ହଜାର ମେଗାୱାଟରେ ପହଞ୍ଚିଯାଇଛି । ଏଥିରେ ଇନ୍ଧନ ଅଭାବ ଯୋଗୁ କେତେକ ବିଦ୍ୟୁତ୍ ଉତ୍ପାଦନ ପ୍ଲାଣ୍ଟ ନିଜ କ୍ଷମତାର ଅଧା ବି ଏବେ ଉତ୍ପାଦନ କରିପାରୁନାହାନ୍ତି ।
ସେହିପରି କୋଇଲାରରେ ଚାଲୁଥିବା ବିଦ୍ୟୁତ୍ ପ୍ଲାଣ୍ଟ ଲାଗି ରାଜକୋଷରେ ବୈଦେଶିକ ମୁଦ୍ରାର ଅଭାବ ଏବେ ଚିନ୍ତାର କାରଣ ପାଲଟିଛି । ବିଦେଶରୁ କୋଇଲା ଆମଦାନୀ କରିବା ପାଇଁ ରାଜକୋଷରେ ବୈଦେଶିକ ମୁଦ୍ରା ନାହିଁ । କୋଇଲା ଚାଳିତ ବିଦ୍ୟୁତ୍ ପ୍ଲାଣ୍ଟ ଲାଗି ମେଣ୍ଟ ସରକାର ୧ହଜାର ବିଲିୟନ୍ ଟଙ୍କା ଜାରି କରିଛନ୍ତି । ହେଲେ ବି ବିଦ୍ୟୁତ୍ ଉତ୍ପାଦନରେ ସେପରି ସୁଧାର ଦେଖାଯାଇନି ।
ପାକିସ୍ତାନର ଏପରି ପରିସ୍ଥିତିକୁ ନେଇ କିଛି ବିଶେଷଜ୍ଞ କହିଛନ୍ତି, ଯଦି ଆଗକୁ ଏପରି ପରିସ୍ଥିତି ଜାରି ରୁହେ ତେବେ ଦେଶର ରାଜନୀତିରେ ବଡ ଧରଣର ପରିବର୍ତ୍ତନ ହେବା ନେଇ ଆଶଂକା କରାଯାଉଛି ।