କନକ ବ୍ୟୁରୋ: ବିଜୁଳୀ ଉପଭୋକ୍ତାଙ୍କ ପାଇଁ ଖୁବ୍ ଶୀଘ୍ର ଏକ ନୂଆ ଆଇନ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଦେଶରେ ପ୍ରଥମ ଥର ଲାଗି ବିଜୁଳି ଉପଭୋକ୍ତାଙ୍କ ଅଧିକାରକୁ ନଜରରେ ରଖି ନୂଆ ଆଇନ ଆଣିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ମୋଦି ସରକାର । ଫଳରେ ଏହି ଆଇନ ଦ୍ୱାରା ଅଧିକ ବିଜୁଳି ବିଲ ଆଦାୟ କରୁଥିବା ଘର ମାଲିକଙ୍କ ଉପରେ ଅଙ୍କୁଶ ଲଗାଯିବ । ତେବେ କେନ୍ଦ୍ର ସରକାରଙ୍କ ଏହି ନୂଆ ଆଇନରେ ଯେଉଁ ଘର ମାଲିକମାନେ ଭଡାଟିଆଠାରୁ ବିଜୁଳି ବିଲ୍ ଆଳରେ ଅଧିକ ଟଙ୍କା ଆଦାୟ କରୁଛନ୍ତି ସେଭଳି ମାଲିକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କେନ୍ଦ୍ର ସରକାର । ତେବେ ନୂଆ ବ୍ୟବସ୍ଥା ଆସିବା ପରେ ନିର୍ଧାରିତ ଦରଠାରୁ ଅଧିକ ଟଙ୍କା ଦାବି କରିବା ଏବେ ଅପରାଧ ରୂପେ ବିବେଚନା କରାଯିବ ।
ସେହିଭଳି ଯଦି କୌଣସି ମାଲିକ ସବ୍ ମିଟର ଲଗାଇ ଭଡାଟିଆଙ୍କୁ ବିଜୁଳି ବିକ୍ରି କରୁଛନ୍ତି ତେବେ ତାଙ୍କ ଉପରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ କେନ୍ଦ୍ର ସରକାର ଉଭୟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳର ବିଦ୍ୟୁତ୍ ବିନିୟାମକ ଆୟୋଗଙ୍କୁ କଠୋର ଆଭିମୁଖ୍ୟ ପୋଷଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ, କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବିଜୁଳି ବିକ୍ରି କରିବାର ଅଧିକାର କାହାକୁ ବି ଦିଆଯାଇନାହିଁ । ବିଜୁଳି ବିଲ୍ ଆଳରେ ଘର ମାଲିକ ଭଡାଟିଆଙ୍କଠାରୁ ମନଇଚ୍ଛା ଟଙ୍କା ଆଦାୟ କରିପାରିବେ ନାହିଁ ।
ଅଧିକ ବିଲ୍ ଆଦାୟ ଉପରେ ଲାଗିବ ଲଗାମ
ସାଧାରଣତଃ ସହରାଂଚଳରେ ଭଡାଟିଆଙ୍କ ସଂଖ୍ୟା ଅଧିକ ରହିଥାଏ । ଅଧିକାଂଶ ସମୟରେ ଦେଖିବାକୁ ମିଳିଥାଏ କି ଘର ମାଲିକ ଭଡାଟିଆଙ୍କଠାରୁ ପ୍ରତି ମଟର ପିଛା ସରକାର ଦ୍ୱାରା ଧାର୍ଯ୍ୟ ରେଟଠାରୁ ୪ରୁ ୫ ଟଙ୍କା ଅଧିକ ଆଦାୟ କରିଥାନ୍ତି । ଏପରିକି ସବ ମିଟର ଲଗାଇ ମାଲିକ ଭଡାଟିଆଙ୍କଠାରୁ ୟୁନିଟ୍ ପିଛା ୧୦ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଦାବୀ କରିଥାନ୍ତି । ତେଣୁ ଲୋକଙ୍କ ହୀତ ପାଇଁ ସରକାର ଐତିହାସିକ ପ୍ରୋ-କନଜ୍ୟୁମର ମୁଭ ଡ୍ରାଫ୍ଟ ଇଲେକ୍ଟ୍ରିସିଟି ରୁଲ୍ସ ୨୦୨୦ ଲାଗୁ କରିବାକୁ ଯାଇଛନ୍ତି । ସେହିଭଳି ଏହି ନୂଆ ଆଇନ ବଳରେ ଭଡାଟିଆମାନେ ମଧ୍ୟ ଅଲଗା ରୂପେ ବିଜୁଳୀ କନେକ୍ସନ ନେଇପାରିବେ । ଆଉ ଏହାକୁ ତାଙ୍କୁ ରେଟ୍ ଏଗ୍ରିମେଂଟ ଆଧାରରେ ମିଳିବ । ଏଥିପାଇଁ ଭଡାଟିଆଙ୍କୁ ମଧ୍ୟ ମିଟରରେ ରେଟ୍ ଦେବା ବାଧ୍ୟତାମୂଳକ ହେବ । ତେବେ ଏହି ନୂଆ ଆଇନକୁ ନେଇ ଶକ୍ତି ମନ୍ତ୍ରାଳୟ ଚଳିତ ମାସ ୩୦ ତାରିଖ ସୁଦ୍ଧା ଉପଭୋକ୍ତଙ୍କ ପରାମର୍ଶ ଲୋଡିଛି ଏବଂ ମତାମତ ମିଳିବା ପରେ ଏହାକୁ ଦେଶବ୍ୟାପୀ ଲାଗୁ କରିବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର ।