ପୁରୀରେ ଅଭାବନୀୟ ଘଟଣା । ଲାଇନ୍ କାମ କଲା ବେଳେ ଖୁଣ୍ଟରୁ ଖସିପଡି ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ।

716

କନକ ବ୍ୟୁରୋ : ବିଦ୍ୟୁତ୍‌ ଜନିତ କାମ ଚାଲିଥିବା ବେଳେ ଖୁଣ୍ଟରୁ ପଡ଼ି ମଙ୍ଗଳବାର ଜଣେ ବିଦ୍ୟୁତ୍‌ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ମଙ୍ଗରାଜ ରାଓ (୨୫) ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ପୁରୀ ସହରର ଭିଆଇପି ରୋଡସ୍ଥିତ ପୁଲିସ ବାରାକ୍‌ରେ ଆଜି ସନ୍ଧ୍ୟାରେ ବିଦ୍ୟୁତ କାମ ଚାଲିଥିଲା । ଏଥି ପାଇଁ ମଙ୍ଗରାଜ ବିଦ୍ୟୁତ୍‌ ଖୁଣ୍ଟକୁ ଚଢ଼ିଥିଲେ । କାମ ଚାଲିଥିବା ବେଳେ କୌଣସି କାରଣରୁ ସେ ଖସିପଡ଼ିଥିଲେ ।

ଫେଡକୋ କର୍ମଚାରୀ ତଥା ବାଲି ନୋଳିଆ ସାହି ନିବାସୀ ମଙ୍ଗରାଜ ଖୁଣ୍ଟରୁ ତଳକୁ ଖସିପଡ଼ିବା ପରେ ତାଙ୍କ ସହିତ କାମ କରୁଥିବା ଅନ୍ୟ କର୍ମଚାରୀମାନେ ଜରୁରୀକାଳୀନ ଭାବେ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ । ହସ୍‌ପିଟାଲରେ ପହଂଚିବା ପରେ ମଙ୍ଗରାଜଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସାମୁଦ୍ରିକ ଝଡ଼ ‘ଫନି’ ପରେ ପୁରୀ ଜିଲ୍ଲା ସମେତ ଉପକୂଳ ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି ଭୁଶୁଡ଼ିପଡ଼ିଛି । ଚଳିତ ମାସ ୩ ତାରିଖରେ ଫନି ତାଣ୍ଡବ ରଚାଇବା ପରେ ଲକ୍ଷାଧିକ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଯାଇଛି । ବିଦ୍ୟୁତ୍‌ ଅବସ୍ଥା ସ୍ୱାଭାବିକ ହେବା ପାଇଁ ପାଖାପାଖି ଗୋଟିଏ ମାସ ଲାଗିପାରେ ।