କେବେ ହଟିବ ଅନ୍ଧାର, କେବେ ଆସିବ ବିଜୁଳି ? ରାଜଧାନୀବାସୀଙ୍କ ଦ୍ୱନ୍ଦ୍ୱ ବଢାଉଛି ସେସୁ ଓ ସରକାରଙ୍କ ଭିନ୍ନ ଭିନ୍ନ ବୟାନ ।

329

କନକ ବ୍ୟୁରୋ : ସମସ୍ତଙ୍କ ମୁହଁରେ ଏବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି କେବେ ମିଳିବ ବିଦ୍ୟୁତ ସେବା । ୬ ଦିନ ଧରି ଅନ୍ଧାରରେ ରହିବା ପରେ ଲୋକଙ୍କ ରୋଷ ବଢ଼ୁଥିବା ବେଳେ ଅନ୍ୟପଟରେ ଯୁଦ୍ଧକାଳୀନ ଭିତିରେ ଚାଲିଛି ମରାମତି କାମ । ଭୁବନେଶ୍ୱର ଚନ୍ଦକା ଅଂଚଳରେ ୩୩ କେଭି ଲାଇନ୍ ଟାୱାର ପାୱାର ଗ୍ରିଡର ଭୁଷୁଡି ପଡିଛି । ତେବେ ଏହାରି ଭିତରେ ଦ୍ୱନ୍ଦ୍ୱ ବଢ଼ାଉଛି ସେସୁ କର୍ତ୍ତୃପକ୍ଷ ଓ ସରକାରଙ୍କ ପରସ୍ପର ବିରୋଧୀ ବୟାନ ।

କେତେ ଘରକୁ ହୋଇଛି ବିଜୁଳି ସଂଯୋଗ ? ସେସୁର ହିସାବ ଗୋଟିଏ, ସରକାର କହୁଛନ୍ତି ଆଉ ଗୋଟିଏ କଥା । କିଏ କହୁଛି ସତ, କିଏ ବୁଲାଉଛି ଭୂଆଁ ? ଗତକାଲି ସୁଦ୍ଧା ରାଜଧାନୀରେ ୧୦ ପ୍ରତିଶତ ବିଜୁଳି ସ୍ୱାଭାବିକ ହୋଇଥିବା କହିଥିଲେ ଶକ୍ତି ସଚିବ । ତେବେ ଆଜି ସେସୁ ପକ୍ଷରୁ କୁହାଯାଇଛି, ରାଜଧାନୀର ୪ ଲକ୍ଷ ୫୦ ହଜାର ବିଦ୍ୟୁତ୍ ଉପଭୋକ୍ତାଙ୍କ ମଧ୍ୟରୁ ମାତ୍ର ୭ହଜାର ୭ଶହଙ୍କୁ ବିଦ୍ୟୁତ୍ ସଂଯୋଗ  ଦିଆଯାଇଛି । ଯାହା ୨ ପ୍ରତିଶତରୁ ମଧ୍ୟ କମ । ସରକାର ଓ ସେସୁର ଭିନ୍ନ ଭିନ୍ନ ସଂଖ୍ୟା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ପ୍ରକୃତରେ କ’ଣ ଚାଲିଛି, କେବେ ମିଳିବ ବିଦ୍ୟୁତ ସେବା ଜାଣିବାକୁ ଚାହୁଁଛନ୍ତି ରାଜଧାନୀବାସୀ ।

ଏହି ସମୟରେ ସୂଚନା ଓ ଲୋକସଂପର୍କ ସଚିବ ଆଜି ଏକ ବଡ ଆଶ୍ୱସ୍ତିକର ସୂଚନା ଦେଇଛନ୍ତି । ଭୁବନେଶ୍ୱରରେ ଆସନ୍ତା ୧୦ ତାରିଖ ସୁଦ୍ଧା ୮୦ ପ୍ରତିଶତ ଅଚଂଳରେ ବିଦ୍ୟୁତ ଯୋଗାଇ ଦିଆଯିବ । ୧୨ ତାରିଖ ସୁଦ୍ଧା ଶତପ୍ରତିଶତ ବିଦ୍ୟୁତ ଯୋଗାଣ ହେବ । ସେହିଭଳି ୧୨ ତାରିଖରୁ ପୁରୀ ବଡ଼ ଦାଣ୍ଡରେ ଆରମ୍ଭ ହେବ ବିଦ୍ୟୁତ ମରାମତି କାର୍ଯ୍ୟ । ତେବେ ପୁରୀର ଅନ୍ଧାର ଦୂର ପାଇଁ ପ୍ରାୟ ଏକମାସ ସମୟ ଲାଗିବ ବୋଲି କୁହାଯାଇଛି । ତେବେ ସରକାରଙ୍କ ଏହି ପ୍ରତିଶ୍ରୁତି କାର୍ଯ୍ୟକ୍ଷେତ୍ରରେ କେତେ ପରିଣତ ହେବ, ତାହା ଦେଖିବାର କଥା ।