ରାଜନୀତିରେ ଲାଗିଲା ‘ବିଜୁଳି’ କରେଣ୍ଟ । ଦର ବୃଦ୍ଧି ବିରୋଧରେ ବିଜେପିର ପ୍ରତିବାଦ । କଂଗ୍ରେସ, କହିଲା ସରକାର ଛାଡନ୍ତୁ ଟାଟା ପ୍ରେମ, ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

80

କନକ ବ୍ୟୁରୋ : କରୋନା କାଳରେ ବିଜୁଳି ଦରବୃଦ୍ଧିକୁ ନେଇ ତେଜିଛି ଅସନ୍ତୋଷ । ଏହାର ପ୍ରତିବାଦ କରି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଅଫିସ ସାମ୍ନାରେ ପ୍ରତିବାଦ କରିଛି ବିଜେପି । ଦରବୃଦ୍ଧିକୁ ସରକାର ପ୍ରତ୍ୟାହାର ନକଲେ ରାଜରାସ୍ତାକୁ ଓହ୍ଲାଇବ ବୋଲି ବିରୋଧୀ ଦଳ ପକ୍ଷରୁ ଧମକ ଦିଆଯାଇଛି ।

ସେପଟେ ଶକ୍ତିମନ୍ତ୍ରୀ କହିଛନ୍ତି, ବିଜୁଳି ଦର ଧାର୍ଯ୍ୟ ବିଦ୍ୟୁତ ନିୟାମକ ଆୟୋଗ କରିଥାନ୍ତି । ୭ ବର୍ଷ ପରେ ରାଜ୍ୟରେ ବିଜୁଳି ଦରବୃଦ୍ଧି କରାଯାଇଥିବା କହିଛନ୍ତି ଶକ୍ତିମନ୍ତ୍ରୀ । ତେବେ ଏହି ଦରବୃଦ୍ଧି ପରେ ମାସିକ ପ୍ରାୟ ୪ ପ୍ରତିଶତ ଅଧିକ ଟଙ୍କା ଘରୋଇ ଉପଭୋକ୍ତାଙ୍କୁ ଦେବାକୁ ପଡ଼ିବ ।

ଗତକାଲି ବିଜୁଳି ଦର ବୃଦ୍ଧି ନେଇ ଘୋଷଣା କରାଯାଇଛି । ୟୁନିଟ ପିଛା ୨୦ ପଇସା ବଢ଼ିଛି ବିଦ୍ୟୁତ ଦର । ଦରବୃଦ୍ଧି ନେଇ ସୂଚନା ଦେଇଛି ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ । ଅକ୍ଟୋବର ପହିଲାରୁ ଲାଗୁ ହେବ ଏହି ନୂଆ ଦର । କୋଭିଡ୍ ମହାମାରୀ କାରଣରୁ ଏପ୍ରିଲ ମାସରେ ହେବାକୁ ଥିବା ଦରବୃଦ୍ଧି ବନ୍ଦ ରହିଥିଲା ।

ତେବେ ଏହି ଦରବୃଦ୍ଧିରୁ କୃଷକ, ବିପିଏଲ ଶ୍ରେଣୀରେ ଆସୁଥିବା କୁଟୀର ଜ୍ୟୋତି ଯୋଜନାଭୁକ୍ତ ଗ୍ରାହକଙ୍କୁ ବାଦ ଦିଆଯାଇଛି । ତେବେ ମାସିକ ସର୍ବନିମ୍ନ ଫିକ୍ସଡ୍ ଚାର୍ଜ ଅପରିବର୍ତିତ ରହିବ । ମିଟର ଭଡ଼ା ମଧ୍ୟ ଅପରିବର୍ତିତ ରହିବ । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ଦର ଧାର୍ଯ୍ୟ ପାଇଁ ଶୁଣାଣୀ ସମୟରେ ଗ୍ରୀଡକୋ ବାର୍ଷିକ ୬୬୦ କୋଟି ଟଙ୍କାର ନିଅଂଟ ଭରଣା ପାଇଁ ଦାବି ରଖିଥିଲା । ଏହି ଆବେଦନକୁ ବିଚାରକୁ ନେଇ ଓଇଆରସି ୩୪୧ କୋଟି ନିଅଂଟକୁ ଭରଣା କରିବାକୁ ମଂଜୁର କରାଯାଇଛି ।

Comments are closed.