ଅପାରଗତା ଢାଙ୍କିବାକୁ କ୍ଷତି ଦର୍ଶାଉଛନ୍ତି ବିଦ୍ୟୁତ୍ ବିତରଣ କମ୍ପାନୀ । ପଡି ରହିଛି ୯ ହଜାର କୋଟିରୁ ଅଧିକ ଟଙ୍କା । ପୁଣି ବିଲ୍ ବୃଦ୍ଧି କରିବାକୁ ଗ୍ରୀଡକୋ ପାଖରେ ଆବେଦନ

112

କନକ ବ୍ୟୁରୋ : ବିଦ୍ୟୁତ ବିଭାଗର ଘରୋଇକରଣ ପରେ ସାଧାରଣ ଲୋକମାନେ ଧିରେ ଧିରେ ବିଜୁଳି ଚୋରୀରୁ ନିବୃତ୍ତ ହେଉଛନ୍ତି । ହେଲେ ଗ୍ରିଡକୋ ନିଯୁକ୍ତ କରିଥିବା ବିଦ୍ୟୁତ ବଣ୍ଟନକାରୀ ସଂସ୍ଥା ମାନେ ହଜାର ହଜାର କୋଟି ଟଙ୍କା ବକେୟା ଗ୍ରିଡକୋକୁ ଦେଉ ନାହାନ୍ତି । ଏହି ବକେୟାର ପରିମାଣ ୨୦୨୦ ମାର୍ଚ୍ଚ ମାସ ସୁଦ୍ଧା ୬୦୧୯ କୋଟି ଟଙ୍କା ଥିବା ବେଳେ ମାତ୍ର ୬ ମାସ ମଧ୍ୟରେ ଏହା ୮ ଶହ କୋଟି ଟଙ୍କା ବୃଦ୍ଧି ପାଇ ଏବେ ୯୮୦୩ କୋଟି ଟଙ୍କାରେ ପହଂଚିଲାଣି । ଫଳରେ ଆର୍ଥିକ ଦୃଷ୍ଟିରୁ ଗ୍ରୀଡକୋ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଏହାର ଭରଣା ପାଇଁ ଗ୍ରୀଡକୋ ବାରମ୍ବାର ଓଇଆସି ବା (ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ) ଙ୍କ ନିକଟରେ ଆବେଦନ କରୁଛି । ଏହା ଆଜିର ସମସ୍ୟା ନୁହେଁ ଅନେକ ବର୍ଷ ହେଲା ଗ୍ରୀଡକୋ ଏଭଳି ଆବେଦନ କରିଆସୁଛି ଓ ସମୟ ସୁବିଧା ଦେଖି ବିଦ୍ୟୁତ୍ ବିଲ୍ ବୃଦ୍ଧି କରାଇବାରେ ସଫଳ ମଧ୍ୟ ହେଉଛି । ଚଳିତ ଫେବୃଆରୀ ମାସରେ ଏଭଳି ଆବେଦନ ଉପରେ ବିଚାର କରି ଓଇଆରସି ବିଦ୍ୟୁତ୍ ବିଲ୍ ବୃଦ୍ଧି କରିଥିଲେ ବି ଏବେ ପୁଣିଥରେ ଓଇଆରସି ନିକଟରେ ଗ୍ରୀଡକୋ ବିଜୁଳି ଶୁଳ୍କ ବୃଦ୍ଧି ପାଇଁ ଆବେଦନ କରିଥିବା ସୂଚନା ମିଳିଛି ।

୨୦୨୦ ମସିହା ସେପ୍ଟେମ୍ବର ମାସ ୩୦ ତାରିଖ ସୁଦ୍ଧା ସେସୁ (ବର୍ତ୍ତମାନର ଟାଟା ପାୱାର) ଉପରେ ଗ୍ରୀଡକୋର ବକେୟା ରାଶି ୨୨୩୮.୫ କୋଟି ଟଙ୍କାରେ ପହଂଚିଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେସୁ ବାଦ ବିଦ୍ୟୁତ ବିତରଣ କରିବାକୁ ସରକାରଙ୍କ ଠାରୁ ଅନୁମତି ନେଇଥିବା ଟିପିସିଓଡିଏଲ ଉପରେ ମାତ୍ର କିଛି ମାସ ମଧ୍ୟରେ ୪୨୮.୩୨ କୋଟି ଟଙ୍କା ବକେୟା ପଡିଲାଣି । ଏହାସହ ନେସ୍କୋ ଉପରେ ଗ୍ରୀଡକୋର ୧୨୭୨.୬୩ କୋଟି, ୱେସ୍କୋ ଉପରେ ଗ୍ରୀଡକୋର ୧୪୬୭.୬୧ କୋଟି, ସାଉଥ୍ କୋ ଉପରେ ୧୩୯୬.୨୧ କୋଟି ଟଙ୍କା ପଡି ରହିଛି । ଏହାକୁ ମୋଟା ମୋଟି ହିସାବ କଲେ ବଦ୍ୟୁତ ବିତରଣ କମ୍ପାନୀ ମାନଙ୍କ ଉପରେ ଗ୍ରୀଡକୋର ମୋଟ ବକେୟା ପରିମାଣ ୬୮୦୦ କୋଟି ଅତିକ୍ରମ କରିବାକୁ ବସିଲାଣି ।

ଏବେ ଯଦି ଆପଣମାନେ ଦେଖିବେ ତେବେ ପ୍ରାୟ ଘରୋଇ କ୍ଷେତ୍ରରେ ବିଦ୍ୟୁତ ବ୍ୟବହାର କରୁଥିବା ଉପଭୋକ୍ତା ମାନେ ୯୦ ପ୍ରତିଶତ ବିଲ୍ ପୈଠ କରୁଛନ୍ତି । ତାହେଲେ ବିଲ୍ ପୈଠ କରିବାରେ ଅବହେଳା ସେହିମାନେ କରୁଛନ୍ତି ଯେଉଁ ମାନେ ମାସିକ ଲକ୍ଷ ଲକ୍ଷ ଟଙ୍କାର ବିଦ୍ୟୁତ୍ ବ୍ୟବହାର କରୁଛନ୍ତି । ଅନ୍ୟପଟେ ବିଦ୍ୟୁତ୍ ବଣ୍ଟକାରୀ ସଂସ୍ଥା ମାନେ ପରିଚାଳନା ଓ ପରିବହନ ଜନିତ କ୍ଷତି ଦର୍ଶାଇ ଗ୍ରୀଡକୋକୁ ବକେୟା ପଇଠ ନକରିବା ପଛରେ ରହିଛି ଏକ ବିଧିବଦ୍ଧ ଷଡଯନ୍ତ୍ର । ଗୋଟିଏ ପଟେ ବଡ ବଡ କମ୍ପାନୀ ଓ ଶିଳ୍ପ ମାନେ ବିଦ୍ୟୁତ ବିଲ୍ ପୈଠ କରୁ ନାହାନ୍ତି ଅନ୍ୟପଟେ ଏହି କ୍ଷତିର ଭରଣା ପାଇଁ ବିଜୁଳି ବଣ୍ଟନକାରୀ ସଂସ୍ଥା ମାନେ ବାରମ୍ବାର ଏହାକୁ ଦର୍ଶାଇ ଗ୍ରୀଡକୋ ମାଧ୍ୟମରେ ବିଲ୍ ବୃଦ୍ଧି ପାଇଁ ଓଇଆରସି ଉପରେ ଚାପ ପକାଇବାରେ ଲାଗିଛନ୍ତି । ବର୍ତ୍ତମାନ ବିଜୁଳି ବଣ୍ଟନ କମ୍ପାନୀ ମାନେ ଓଇଆରସି ନିକଟକରେ ୟୁନିଟ୍ ପିଛା ୨.୭୦ ଟଙ୍କା କୁ ବୃଦ୍ଧି କରି ୩.୯୩ ଟଙ୍କା କରାଯାଉ ବୋଲି ଆବେଦନ କରିଥିବା ଜଣାପଡିଛି ।

ମିଳିଥିବା ସୂଚନା ମୁତାବକ ଗତ ୨୦ ବର୍ଷ ମଧ୍ୟରେ ରାଜ୍ୟରେ ବିଜୁଳି ଉପଭୋକ୍ତାଙ୍କ ସଂଖ୍ୟା ୧୨ ଲକ୍ଷରୁ ବଢି ୬୭ ଲକ୍ଷରେ ପହଂଚିଛି । ହେଲେ ବିଜୁଳି ବଣ୍ଟନକାରୀ କମ୍ପାନୀ ମାନେ ବିଲ୍ ଆଦାୟ କରିବାରେ ବିଫଳ ହୋଇଛନ୍ତି । ସେମାନେ ବିଭିନ୍ନ ସମୟରେ ରାଜନେତାଙ୍କ ହସ୍ତକ୍ଷେପ ଯୋଗୁ ବଡ ବଡ କମ୍ପାନୀ ମାନଙ୍କ ଠାରୁ ଦେୟ ଆଦାୟ କରିପାରୁ ନାହାନ୍ତି । ଏହାସହ ରାଜନେତାଙ୍କ ଚାପ ରହିଥିବାରୁ ବିଦ୍ୟୁତ୍ ସଂଯୋଗ ବି ବିଛିନ୍ନ କରିପାରୁ ନାହାନ୍ତି ।

ଘରୋଇ ଉପଭୋକ୍ତାଙ୍କ ବ୍ୟତିତ ଏକ ବୃହତ ପରିମାଣର ବିଲ୍ ଶିଳ୍ପ ସଂସ୍ଥା ଓ ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କ ଉପରେ ବାକି ରହିଛି । ଏହି ବାକିରଖିବା ସଂସ୍ଥା ମାନଙ୍କ ମଧ୍ୟରୁ ଅଧିକାଂଶ ଦେୟ ଦାବି ମାମଲା ଏବେ ଅଦାଲତରେ ଗଡୁଛି । ଅନ୍ୟପକ୍ଷରେ ନିଜର କ୍ଷତି ଭରଣା ଓ ଅପାରଗତାକୁ ଢାଙ୍କିବାକୁ ଯାଇ ଗ୍ରୀଡକୋକୁ ଢାଲ କରି ସାଧାରଣ ଘରୋଇ ଉପଭୋକ୍ତାଙ୍କ ମୁଣ୍ଡରେ ବୋଝ ଲଦିବାକୁ ପ୍ରୟାସ କରୁଛନ୍ତି ବିତରଣ କମ୍ପାନୀ ମାନେ ।