ଆସନ୍ତାକାଲି ଡେଡଲାଇନ ସରିବ, ୧୬ ସକାଳୁ ବିଦ୍ୟୁତ କାଟିବ ସେସୁ । ବିରୋଧୀ ଦେଲେ ଆନ୍ଦୋଳନ ଧମକ ।

739

କନକ ବ୍ୟୁରୋ : ଆପଣ ବକେୟା ବିଜୁଳି ବିଲ୍ ଦେଇନାହାଁନ୍ତି କି । ଯଦି ଦେବାକୁ ଚାହୁଁଛନ୍ତି, ତେବେ ଆସନ୍ତାକାଲି ଆପଣଙ୍କ ପାଇଁ ଶେଷ ଦିନ । କାରଣ, ଆସନ୍ତାକାଲି ସୁଦ୍ଧା ବକେୟା ନଦେଲେ ପରଦିନ ଅର୍ଥାତ୍ ୧୬ ତାରିଖରୁ ବିଜୁଳି କାଟିଦିଆଯିବ । ୪୧୩ଟି ସ୍କ୍ୱାର୍ଡ ସହ ୯ଟି ଜିଲ୍ଲାରେ ବକେୟା ରଖିଥିବା ଉପଭୋକ୍ତାଙ୍କ ବିଜୁଳି କାଟିବାକୁ ପ୍ରସ୍ତୁତ ହୋଇଛି ସେସୁ । ୧୬ ତାରିଖ ସକାଳୁ ଆରମ୍ଭ ହେବ ସେସୁର ବିଜୁଳି କଟା ଅଭିଯାନ ।

ପ୍ରଥମେ ଡେଡଲାଇନ୍ ଏବଂ ପରେ ବାରମ୍ବାର ସଚେତନ କରିବା ପରେ ଏବେ ବିଜୁଳି କାଟିବାକୁ ଅଂଟା ଭିଡିଲା ସେସୁ । ସମୟ ସୀମା ଅର୍ଥାତ୍ ୧୫ ତାରିଖ ସୁଦ୍ଧା ବକେୟା ନଦେଲେ ୧୬ ତାରିଖରୁ କଟିିବ ବିଜୁଳି । ବକେୟା ରଖିଥିବା ବ୍ୟବସାୟିକ ପ୍ରତିଷ୍ଠାନର ବିଜୁଳି ପ୍ରଥମେ କଟାଯିବ । ତେବେ ଯେଉଁ ଘରୋଇ ଉପଭୋକ୍ତାଙ୍କ କ୍ଷମତା ଅଛି, ହେଲେ ବିଲ ଦେଉନାହାନ୍ତି ସେମାନଙ୍କ ବିଦ୍ୟୁତ ମଧ୍ୟ କାଟିଦେବ ସେସୁ ।

୧୬ ତାରିଖରୁ ଆରମ୍ଭ ହେବାକୁ ଥିବା ସେସୁର ଏହି ମେଗା ଅପରେସନରେ ୪୧୩ଟି ସ୍କ୍ୱାର୍ଡ ରାଜ୍ୟର ୯ଟି ଜିଲ୍ଲାରେ କାମ କରିବେ । ସେସୁ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସାରା ଗାଁରେ ବିଜୁଳି କାଟ୍ ହେବନି । କେବଳ ବକେୟା ରଖିଥିବା ଘର ଗୁଡିକର ବିଜୁଳି କଟାଯିବ । ଆଉ ଏହି ଘୋଷଣା ପରେ ଆଜି ବିଜୁଳି ବିଲ ପୈଠ କରିବାକୁ ଲମ୍ବା ଲାଇନ ଲଗାଇଥିଲେ ବିଦ୍ୟୁତ୍ ଉପଭୋକ୍ତା ।

ଉପଭୋକ୍ତାଙ୍କ ଠାରୁ ବିଜୁଳି ବିଲ୍ ବାବଦ ବକେୟା ଟଙ୍କା ଆଣିବାକୁ ସେସୁ କଡା ପଦକ୍ଷେପ ନେଉଥିବା ବେଳେ , ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । କଂଗ୍ରେସ କହିଛି, ବିଜୁଳି କଟିଲେ, ଦଳ ରାଜରାସ୍ତାରେ ଆନ୍ଦୋଳନ କରିବ । ଏପରିକି ସେସୁ କର୍ମଚାରୀଙ୍କୁ ଗାଁ ଭିତରେ ପୂରାଇ ଦେବୁନି ବୋଲି ରୋକଠୋକ ଶୁଣାଇ ଦେଇଛି କଂଗ୍ରେସ । ବିଜେପି କହିଛି, ନିଷ୍ପତି ପ୍ରତ୍ୟାହାର କରି ସମାଧାନର ବାଟ ବାହାର କରାଯାଉ । ତେବେ ୧ହଜାର ୯୭୧ କୋଟି ଟଙ୍କାର ବିଜୁଳି ବିଲ୍ ବକେୟା ଥିବା କାରଣରୁ ଏଭଳି ଏକ କଡା ନିଷ୍ପତି ନେଇଛି ସେସୁ । ତେଣୁ ଡେଡଲାଇନ ପୂର୍ବରୁ ସମସ୍ତଙ୍କୁ ବିଜୁଳି ବିଲ୍ ପୈଠ କରିବାକୁ କହିଛି ସେସୁ ।