ରାଜଧାନୀରେ ଗଡିବ ୫୦ ବିଦ୍ୟୁତ୍ ଚାଳିତ ବସ୍ । ଫେବୃଆରୀରେ ୨୫ ଟି ଓ ମାର୍ଚ୍ଚରେ ୨୫ ଟି ବସ୍ ଆଣିବାକୁ କ୍ରୁଟ୍ ଦେଲା ସୂଚନା । ଗଡକଣା ଠାରେ ହେବ ଡିପୋ

140

କନକ ବ୍ୟୁରୋ : ରାଜଧାନୀରେ ଗଡିବ ବିଦ୍ୟୁତ ଚାଳିତ ବସ୍ । ପରିବେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ରାଜଧାନୀରେ ବିଦ୍ୟୁତ୍ ଚାଳିତ ବସ୍ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ବସ୍ ଗୁଡିକର ଚାର୍ଜ ପାଇଁ ଗାଡକଣା ନିକଟରେ ଏକ ବିଦ୍ୟୁତ୍ ସବ୍ ଷ୍ଟେସନଏବଂ ୫୦ ଟି ବସ୍ ରହିବାକୁ ଡିପୋ ନିର୍ମାଣ କରାଯିବ । ଏନେଇ କ୍ରୁଟ୍ ପକ୍ଷରୁ ଜାଗା ଚିହ୍ନଟ ସରିଛି । ଚିହ୍ନଟ ହୋଇଥିବା ସ୍ଥାନ ପରିଦର୍ଶନ ପାଇଁ ଆସନ୍ତା ସପ୍ତାହାରେ ହରିୟାଣାର ବସ୍ ନିର୍ମାଣ କାରୀ ସଂସ୍ଥାର ବୈଷୟିକ ପ୍ରତିନିଧି ଆସିବେ । ସେମାନେ ପରିଦର୍ଶନ କରି ଯିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି ।
ରାଜ୍ୟସରକାର ଚଳିତବର୍ଷ ଶେଷ ସୁଦ୍ଧା ୨୫ ଟି ବିଦ୍ୟୁତ୍ ଚାଳିତ ବସ୍ ଚଳାଇବାକୁ ଲକ୍ଷ ରଖାଯାଇଥିଲା । ହେଲେ କରୋନା ମହାମାରୀ ପାଇଁ ବସ୍ ନଆସିପାରିବାରୁ ଏହା ସଫଳ ହୋଇ ପାରି ନଥିଲା । ହେଲେ ସ୍ଥିତିର ସୁଧାର ଆସିବା ପରେ ୨୦୨୧ ଜାନୁଆରୀ ଶେଷ ସପ୍ତାହରେ ୨୫ ଟି ବିଦ୍ୟୁତ୍ ଚାଳିତ ବସ୍ ଆଣିବାକୁ ସରକାର ଲକ୍ଷ ରଖିଛନ୍ତି । ବସ୍ ଗୁଡିକ ଫେବୃଆରୀ ପ୍ରଥମ ସପ୍ତାହରେ ରାସ୍ତାରେ ଗଡିବ । ଅବଶିଷ୍ଟ ୨୫ ଟି ବସ୍ ମାର୍ଚ୍ଚ ଶେଷ ସପ୍ତାହ ମଧ୍ୟରେ ଓଡିଶାରେ ପହଂଚିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି । ଏପ୍ରିଲ ପ୍ରଥମ ସପ୍ତାହରୁ ରାଜଧାନୀ ରାସ୍ତାରେ ୫୦ ଟି ବିଦ୍ୟୁତ୍ ଚାଳିତ ବସ୍ ଗଡିବ । କ୍ରୁଟର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି ଦୁଇଟି ପର୍ଯ୍ୟାୟରେ ବିଦ୍ୟୁତ୍ ଚାଳିତ ବସ୍ ଚଳା ଚଳ କରାଯିବ । ବସ୍ ଆସିବା ପୂର୍ବରୁ ଗାଡକଣାଠାରେ ଚାର୍ଜ ଓ ଡିପୋ ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ କରାଯିବ ।