କନକ ବ୍ୟୁରୋ : ରାଜନୈତିକ ଦଳମାନଙ୍କ ପାଣ୍ଠି ଯୋଗାଡର ମୁଖ୍ୟ ଉତ୍ସ ପାଲଟିଥିବା ଇଲେକ୍ଟୋରାଲ ବଣ୍ଡକୁ ନେଇ ଆସିଛି ସୁପ୍ରିମ ରାୟ । ଏ ସମ୍ପର୍କୀତ ମାମଲାର ଶୁଣାଣି କରି ପାଂଚ ଜଣିଆ ଖଣ୍ଡପୀଠ, ଏହାକୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି । ଇଲେକ୍ଟୋରାଲ ବଣ୍ଡ ଜରିଆରେ ରାଜନୈତିକ ଦଳଗୁଡିକୁ ଚାନ୍ଦା ପ୍ରଦାନ ଆଇନ ଅନୁଯାୟୀ ବୈଧ ନୁହେଁ ବୋଲି କହିଛନ୍ତି । ପ୍ରଧାନବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି,
- ଇଲେକ୍ଟୋରାଲ ବଣ୍ଡର କ’ଣ ଆବଶ୍ୟକତା ରହିଛି
- ସରକାର ଏମିତିରେ ବି ଜାଣିପାରୁଥିବେ, କିଏ ଚାନ୍ଦା ଦେଉଛି
- ଦାତାଙ୍କ ନାଁ ଗୋପନୀୟ ରଖାଯାଉଥିବାରୁ ଏହା ସୂଚନା ଅଧିକାର ଆଇନ ଓ ସମ୍ବିଧାନର ଧାରା ୧୯(୧)କୁ ଉଲ୍ଲଂଘନ କରୁଛି
- ରାଜନୈତିକ ଦଳକୁ କର୍ପୋରେଟଗୁଡିକ ଚାନ୍ଦା ଦେବା ଦ୍ୱାରା ନିର୍ବାଚନ ଲଢ଼େଇ ସନ୍ତୁଳନ ହରାଉଛି
- ରାଜନୈତିକ ଦଳ ଚାନ୍ଦା ନେବା ଅଲିଖିତ ବୁଝାମଣା ଭଳି ହେଉଛି
- ଫଳରେ ଆଇନ ପ୍ରଣୟନର ସ୍ୱଚ୍ଛତା ଉପରେ ସନ୍ଦେହ ସୃଷ୍ଟି ହେଉଛି
- ଚାନ୍ଦା ଦେବା ଯୋଗୁଁ କର୍ପୋରେଟ ଗୁଡିକ ରାଜନୈତିକ ସୁବିଧା ସୁଯୋଗ ମଧ୍ୟ ହାସଲ କରୁଛନ୍ତି
କେବଳ ଏତିକି ନୁହେଁ, ନିର୍ବାଚନ ଆୟୋଗଙ୍କୁ ଇଲେକ୍ଟୋରାଲ ବଣ୍ଡଗୁଡିକର ସମସ୍ତ ତଥ୍ୟ ଦେବା ପାଇଁ ଏସବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ । ମାର୍ଚ୍ଚ ୬ ତାରିଖ ସୁଦ୍ଧା ଏହି ତଥ୍ୟ ଦାଖଲ କରିବାକୁ କୋର୍ଟ କହିଛନ୍ତି । ଏବଂ ମାର୍ଚ୍ଚ ୧୩ତାରିଖ ସୁଦ୍ଧା ନିର୍ବାଚନ ଆୟୋଗଙ୍କୁ ୱେବସାଇଟରେ ସମସ୍ତ ତଥ୍ୟ ଦର୍ଶାଇବା ପାଇଁ କହିଛନ୍ତି । ୨୦୧୯ରୁ ବର୍ତମାନ ପର୍ଯ୍ୟନ୍ତ ରାଜନୈତିକ ଦଳଗୁଡିକର ଇଲେକ୍ଟୋରାଲ ବଣ୍ଡ ବିଷୟରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେବା ପରେ ଏହାକୁ ସ୍ୱାଗତ କରିଛି ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ୍ ।
ଯେ କୌଣସି ବ୍ୟକ୍ତି କିମ୍ବା ବ୍ୟବସାୟିକ ସଂସ୍ଥା ନିଜ ପରିଚୟ ଗୋପନ ରଖି ଇଲେକ୍ଟୋରାଲ ବଣ୍ଡ ଜରିଆରେ ରାଜନୈତିକ ଦଳଗୁଡିକୁ ଚାନ୍ଦା ଦେଇପାରିବେ ବୋଲି ୨୦୧୮ ଜାନୁଆରୀରେ ମୋଦୀ ସରକାର ନିୟମ ଆଣିଥିଲେ । ଷ୍ଟେଟ ବ୍ୟାଙ୍କରେ ୧ହଜାର ଟଙ୍କାରୁ ଆରମ୍ଭ କରି ୧କୋଟି ପର୍ଯ୍ୟନ୍ତ ଟଙ୍କାର ବଣ୍ଡ କିଣି ପାରିବାର ବ୍ୟବସ୍ଥା ଥିଲା । ଏହି ନିୟମ ବଳରେ ଗତ ବର୍ଷ ସବୁଠାରୁ ଅଧିକ ଟଙ୍କାର ଚାନ୍ଦା ପାଇଥିଲା ଭାରତୀୟ ଜନତା ପାର୍ଟି । କିନ୍ତୁ ଏହି ନିୟମକୁ ଚ୍ୟାଲେଞ୍ଜ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ୍ । ସେହି ମାମଲାର ଶୁଣାଣି କରି ଗତ ନଭେମ୍ବର ମାସରେ ରାୟ ସଂରକ୍ଷିତ ରଖିଥିଲେ ଖଣ୍ଡପୀଠ ।