କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ପରେ ମୋରଡ଼ା ନିର୍ବାଚନ ମଣ୍ଡଳୀରେ ଜୋର୍ ଧରିଛି ରାଜନୀତି। ସାଧାରଣ ବର୍ଗଙ୍କ ନିମନ୍ତେ ଉଦ୍ଦିଷ୍ଟ ଜିଲ୍ଲାର ଏକମାତ୍ର ଏହି ନିର୍ବାଚନମଣ୍ଡଳୀରେ ବିଜେଡ଼ିରେ ମାଳମାଳ ଆଶାୟୀ ଉଭା ହୋଇଛନ୍ତି। ଯାହାକି ଦଳ ପାଇଁ ଚିନ୍ତାର କାରଣ ହୋଇଛି। ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କ ବିରୋଧରେ ଦେଖାଦେଇଥିବା ତୀବ୍ର ଅସନ୍ତୋଷ ବିଜେଡ଼ିକୁ ଅକଳରେ ପକାଇଛି। ଏହା ସହିତ ଏହି ନିର୍ବାଚନମଣ୍ଡଳୀରେ ଦଳରୁ ବିଧାୟକ ପ୍ରାର୍ଥୀ ହେବାକୁ ଅନେକ ଆଶାୟୀ ହେବା ମଧ୍ୟ ଦଳ ପାଇଁ ଚିନ୍ତାର କାରଣ ହୋଇଛି। ତେବେ ନିର୍ବାଚନ ପୂର୍ବରୁ ଏଠାରେ ସବୁ ନେତା ଏକାଠି ଥିବା ବିଜେଡ଼ି ସୁପ୍ରିମୋଙ୍କୁ ଜଣାଇବାକୁ ପ୍ରୟାସ କରାଯାଇଛି।
ଏନେଇ ଗତକାଲି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ନିର୍ବାଚନମଣ୍ଡଳୀର ଶୁଳିଆପଦା ବ୍ଲକ୍ ନେତାଜୀ ପଡ଼ିଆରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବିଧାୟକଙ୍କ ସମେତ ସମସ୍ତ ବିଧାୟକ ଆଶାୟୀ ଏକାଠି ଉପସ୍ଥିତ ଥିଲେ। ଦଳୀୟ ଗୋଷ୍ଠୀକନ୍ଦଳ ଏବଂ ମତଭେଦକୁ ଭୁଲି ନିର୍ବାଚନମଣ୍ଡଳୀରେ ପୁଣିଥରେ ବିଜେଡ଼ିକୁ ବିଜୟୀ କରିବାକୁ ସମସ୍ତ ନେତା ମତ ରଖିଥିଲେ। ତେବେ ବିଧାୟକ ପ୍ରବୀଣ ଭଞ୍ଜଦେଓ ଭାଷଣ ଦେବାକୁ ଆସିବାବେଳେ କିଛି ଦଳୀୟ କର୍ମୀଙ୍କ ଅସନ୍ତୋଷ ସ୍ପଷ୍ଟ ଜଣାପଡ଼ୁଥିଲା। ତଥାପି ପର୍ଯ୍ୟବେକ୍ଷକ ଶ୍ରୀ ବଳବନ୍ତରାୟ ଏହି ସଭା ମାଧ୍ୟମରେ ମୋରଡ଼ା ନିର୍ବାଚନମଣ୍ଡଳୀରେ ବିଜେଡ଼ି ଏକ୍ ଥିବା ପ୍ରମାଣ କରିବାକୁ ଚେଷ୍ଟା କରିଥିଲେ।
ଅନ୍ୟପକ୍ଷରେ ଏହି ନିର୍ବାଚନମଣ୍ଡଳୀରୁ ଅନ୍ୟଦଳର ଜଣେ ନେତାଙ୍କୁ ଦଳ ଟିକେଟ୍ ଦେବାକୁ ବିଚାର କରୁଥିବା ଚର୍ଚ୍ଚା ଜୋର ଧରୁଛି। ତେବେ ଏହି ସଭା ମାଧ୍ୟମରେ ଏହି ପ୍ରକ୍ରିୟାକୁ ସରଳ କରାଯାଉଥିବା ଚର୍ଚ୍ଚା ହୋଇଛି। ଏହି ଅବସରରେ ଜିଲ୍ଲା କାର୍ୟ୍ୟକାରୀ ସଭାପତି ତଥା ମୋରଡ଼ା ପାଇଁ ପ୍ରମୁଖ ଦାବିଦାର ଦେବାଶିଷ ମହାନ୍ତି ଏକ ବିରାଟ ଶୋଭାଯାତ୍ରା ମାଧ୍ୟମରେ ପୁଣିଥରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/Untitled-6-10.jpg)