ବାଲାଟ ପେପରରେ ନିର୍ବାଚନ କରାଇବା ନେଇ ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ, କହିଲେ ଇଭିଏମରେ ହିଁ ହେବ ନିର୍ବାଚନ

262

କନକ ବ୍ୟୁରୋ : ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ (ଇଭିଏମ)କୁ ହଟାଇ ପୁଣି ବାଲାଟ ପେପରରେ ନିର୍ବାଚନ କରାଇବାକୁ ସୁପ୍ରିମ କୋର୍ଟରେ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏନେଇ କୋର୍ଟ କହିଛନ୍ତି କି, ଏହି ଆବେଦନରେ କୌଣସି ମେରିଟ୍ ଦେଖିବାକୁ ମିିଳିନାହିଁ । ସୂଚନା ଥାଉକି ଆଇନଜୀବୀ ମନୋହର ଲାଲ ଶର୍ମା ସୁପ୍ରିମକୋର୍ଟରେ ଏକ ଆବେଦନ କରି ଇଭିଏମକୁ ହଟାଇ ବାଲାଟ ପେପରରେ ପୁଣି ନିର୍ବାଚନ କରାଇବାକୁ ଅନୁରୋଧ କରିଥିଲେ ।

ମନୋହର ଲାଲ ତାଙ୍କ ଆବେଦନରେ ବାଲାଟ ପେପରରେ ନିର୍ବାଚନ କରାଇବାକୁ ଆବେଦନ କରିବା ସହ ଜନ ପ୍ରତିନିଧିତ୍ୱ ଅଧିନିୟମ ଧାରା ୬୧ (କ) କୁ ଚ୍ୟାଲେଞ୍ଜ କରିଥିଲେ । ଜନ ପ୍ରତିନିଧିତ୍ୱ ଅଧିନିୟମ ଧାରା ୬୧ (କ) ରେ ବାଲାଟ ପେପରକୁ ହଟାଇ ଇଭିଏମରେ ଭୋଟିଂ କରିବାର ପ୍ରାବଧାନ ରହିଛି ।

ଆଇନଜୀବୀ ମନୋହର କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କି ଜନ ପ୍ରତିନିଧିତ୍ୱ ଧାରା ୬୧ (କ) ଏପର୍ଯ୍ୟନ୍ତ ସଂସଦରୁ ମଞ୍ଜୁରୀ ପାଇନାହିଁ । ଏହି କାରଣରୁ ଇଭିଏମରେ ଏପର୍ଯ୍ୟନ୍ତ ଯେତେ ଭୋଟିଂ ହୋଇଛି ତାହା ଅବୈଦ୍ଧ ବୋଲି ଦାବି କରିଥିଲେ ମନୋହର ଲାଲ ଶର୍ମା । ଏଣୁ ପୁଣି ପ୍ରତି ସ୍ଥାନରେ ବାଲାଟ ପେପେର ସହାୟତାରେ ନିର୍ବାଚନ କରାଯାଉ ।

କହିରଖୁ କି ଆଇନଜୀବୀ ମନୋହର ଲାଲଙ୍କ ତରଫରୁ ଏହି ଆବେଦନ ଚଳିତ ବର୍ଷ ଜାନୁଆରୀ ମାସରେ କରାଯାଇଥିଲା । ଏଥିରେ ସେ ଉତ୍ତର ପ୍ରଦେଶ, ଗୋଆ, ପଞ୍ଜାବ, ମଣିପୁର ଓ ଉତ୍ତରାଖଣ୍ଡରେ ହେବାକୁ ଥିବା ନିର୍ବାଚନକୁ ଇଭିଏମ ବଦଳରେ ବାଲାଟ ପେପରରେ କରିବାକୁ ଯୁକ୍ତି ବାଢିଥିଲେ ।