୫ ରାଜ୍ୟର ବିଧାନସଭା ନିର୍ବାଚନ ନେଇ ଆକ୍ସନ ମୋଡରେ ବିଜେପି । ଆଜି ଦକ୍ଷିଣରେ ମୋଦି, ଉତ୍ତର-ପୂର୍ବରେ ଶାହା ଓ ପଶ୍ଚିମରେ ରାଲି କରିବେ ନଡ୍ଡା ।

148

କନକ ବ୍ୟୁରୋ : ଭାରତୀୟ ଜନତାପାର୍ଟିର ୩ ବରିଷ୍ଠ ନେତା ଆଜି ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟରେ ରାଲି କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାମିଲନାଡୁ ଓ ପୁଡୁଚେରୀ ପହଂଚିବେ, ଗୃହମନ୍ତ୍ରୀ ଅମିତ୍ ଶାହା ଆସାମରେ ରାଲି କରିବେ ସେହିଭଳି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ପଶ୍ଚିମବଙ୍ଗ ଗସ୍ତ କରିଥିବା ସୂଚନା ମିଳିଛି ।

ପ୍ରଧାନମନ୍ତ୍ରୀ ମୋଦି ୧୪ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଦକ୍ଷିଣ ଭାରତ ଗସ୍ତରେ ଯାଇଛନ୍ତି । ଆଜି ପୁଡୁଚେରୀ ଓ ତାମିଲନାଡୁରେ ପ୍ରଧାନମନ୍ତ୍ରୀ ହଜାର ହଜାର କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିବେ , ଯାହା ମଧ୍ୟରେ ରହିଛି ଜାତୀୟ ରାଜପଥ ୪୫ ର ୪ ଲେନ ବିଶିଷ୍ଟ ରାସ୍ତା, କରେଇକଲ ଠାରେ ମେଡିକାଲ କଲେଜ, ସାଗରମାଳା ଯୋଜନାରେ ପୋର୍ଟ ସମେତ ଅନେକ ଯୋଜନାର ଆଧାରଶିଳା ରଖିବେ ପ୍ରଧାନମନ୍ତ୍ରୀ । ଅପରାହ୍ନ ୪ ଟାରେ ତାମିଲନାଡୁର ନଭେଲି ନ୍ୟୁ ଥର୍ମାଲ ପାୱାର ପ୍ଲାଣ୍ଟକୁ ଦେଶବାସୀଙ୍କ ଉର୍ଦ୍ଦେଶ୍ୟରେ ସମର୍ପିତ କରିବାର କାର୍ଯ୍ୟକ୍ରମ ରହିଛି ।

ସେହିଭଳି ବିଧାନସଭା ନିର୍ବାଚନ ୨୦୨୧ କୁ ନେଇ ବିଜେପିର ସବୁଠାରୁ ବଡ ଫୋକସ ପଶ୍ଚିମବଙ୍ଗ ଉପରେ ରହିଛି । ପାର୍ଟିର ଅନେକ ବରିଷ୍ଠ ନେତା ୨ ମାସ ହେବ ପଶ୍ଚିମବଙ୍ଗରେ ରାଲି ଓ ଜନସଭା କରୁଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଗୁରୁବାର ଦିନ ପୁଣି ଥରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି । ଆଜି ପଶ୍ଚିମବଙ୍ଗରେ ଜେ.ପି ନଡ୍ଡା ‘ସୁନାର ବାଙ୍ଗଲା’ ଘୋଷଣାପତ୍ରର ଉଦଘାଟନ କରିବେ । ଏହା ମାଧ୍ୟମରେ ରାଜ୍ୟର ଲୋକଙ୍କ ଠାରୁ ସେମାନଙ୍କର ସମସ୍ୟାକୁ ନେଇ ମତା ମତ ଗ୍ରହଣ କରାଯିବ । ଏହି ମତା ମତ ଆଧାରରେ ପାର୍ଟି ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବ ବୋଲି ଜଣାପଡିଛି ।

ଅନ୍ୟପଟେ ଗୃହମନ୍ତ୍ରୀ ଅମିତ ଶାହା ଆସାମ ଗସ୍ତରେ ଅଛନ୍ତି । ସେ ସକାଳେ ଗୁହାଟି ଠାରେ ପହଂଚିଛନ୍ତି । ଆଜି ସେ ଆସାମରେ ଦୁଇଟି ରାଲି କରିବା ସହ ଜନସଭାକୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଆସାମରେ ଏନଆରସିକୁ ନେଇ ଚାଲିଥିବା ବିବାଦ ଉପରେ ଶାହା ଆଜି କିଛି ଘୋଷଣା କରିବେ ବୋଲି ଅନୁମାନ କରାଯାଉଛି ।