କନକ ବ୍ୟୁରୋ : ବହୁ ତର୍କ ବିତର୍କ ଭିତରେ କଂଗ୍ରେସର କାର୍ଯ୍ୟସମିତି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ କଂଗ୍ରେସର ଅନେକ ବରିଷ୍ଠ ନେତାଙ୍କ ସହ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ଦଳର ଯୁବନେତା ରାହୁଲ ଗାନ୍ଧୀ ବି ଯୋଗ ଦେଇଥିଲେ । ଏହି ବୈଠକରେ ସଦସ୍ୟତା ଅଭିଯାନ ନିମନ୍ତେ କାର୍ଯ୍ୟସୂଚୀ ନିର୍ଦ୍ଧାରଣ ଚୂଡାନ୍ତ କରିବା ଓ ଆମୂଳଚୂଳ ସଂଗଠନୀୟ ନିର୍ବାଚନ ନିମନ୍ତେ ବିଶେଷ ଆଲୋଚନା ହୋଇଛି ।
ବୈଠକରେ ପ୍ରାରମ୍ଭିକ ଅଭିଭାଷଣ ଦେଇ କାର୍ୟ୍ୟନିର୍ବାହୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଥିଲେ ଯେ, ସମଗ୍ର ସଙ୍ଗଠନ କଂଗ୍ରେସର ପୁନଃଉତ୍ଥାନ ଚାହେଁ। କିନ୍ତୁ, ଏଥିପାଇଁ ଆବଶ୍ୟକ ଏକତା। ଦଳର ସ୍ୱାର୍ଥକୁ ଶ୍ରେଷ୍ଠ ବୋଲି ମଧ୍ୟ ବିଚାର କରିବାକୁ ପଡ଼ିବ। ସର୍ବୋପରେ, ଏଥିପାଇଁ ଆତ୍ମନିୟନ୍ତ୍ରଣ ଏବଂ ଶୃଙ୍ଖଳା ମଧ୍ୟ ଆବଶ୍ୟକ କରେ।
ସେ ଆହୁରି ମଧ୍ୟ କହିଛନ୍ତି, କିଛି ଦିନ ତଳୁ ବିଧାନସଭା ନିର୍ବାଚନ ନିମନ୍ତେ ଆମର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆମେ ବହୁ ଆହ୍ଵାନର ସମ୍ମୁଖୀନ ହେବା, ଏଥିରେ ସନ୍ଦେହ ନାହିଁ। କିନ୍ତୁ, ଆମେ ଯଦି ସମ୍ମିଳିତ, ଶୃଙ୍ଖଳିତ ହେବା ସହ କେବଳ ଦଳର ସ୍ୱାର୍ଥ ପ୍ରତି ଦୃଷ୍ଟି ଦେବା, ତେବେ ମୋର ଦୃଢ଼ବିଶ୍ୱାସ ଆମେ ଭଲ ପ୍ରଦର୍ଶନ କରିବା।
କୋଭିଡ୍-୧୯ ମହାମାରୀ ବ୍ୟାପିବା ପାରଠାରୁ ଏହା ହେଉଛି ‘ସିଡବ୍ଲୁ’ର ପ୍ରଥମ ପ୍ରତ୍ୟକ୍ଷ ବୈଠକ। ସୋନିଆ ଗାନ୍ଧୀ, ଲୋକସଭା ସଦସ୍ୟ ରାହୁଲ୍ ଗାନ୍ଧୀ ଏବଂ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦମ୍ବରମ୍ ଏବଂ ଛତିଶଗଡ଼ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କ ଭଳି ବରିଷ୍ଠ ନେତାମାନେ ମଧ୍ୟ ଏହି ବୈଠକରେ ଭାଗ ନେଇଥିଲେ। ଏହା ବ୍ୟତିରେକେ, ‘ଜି-୨୩’ର କେତେକ ସଦସ୍ୟ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।
ସେପଟେ ପୁଣିଥରେ ରାହୁଲ ଗାନ୍ଧୀ ଦଳର ଅଧ୍ୟକ୍ଷ ହେବା ନେଇ ଦଳର ବରିଷ୍ଠ ନେତାମାନେ ଦାବି କରିଥିବା ବେଳେ ଏହାକୁ ନେଇ ରାହୁଲ କହିଛନ୍ତି ଯେ ଏନେଇ ସେ ବିଚାର କରିବେ । ଅନ୍ୟପଟେ ଆଜିର ବୈଠକରେ ରାଜସ୍ତାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଅଧ୍ୟକ୍ଷ ପଦ ପାଇଁ ରାହୁଲ ଗାନ୍ଧୀଙ୍କ ନାମ ପ୍ରସ୍ତାବ ଦେଇଥିଲେ ।