ବାଜିଲା ରାଜ୍ୟସଭା ବିଗୁଲ୍ । ଓଡ଼ିଶାର ୩ଟି ଆସନ ସହ ଫେବ୍ରୁଆରୀ ୨୭ରେ ୧୫ଟି ରାଜ୍ୟରେ ହେବ ନିର୍ବାଚନ । କାହାକୁ ନୂଆ ଚେହେରା କରିବ ବିଜେଡି, ଆରମ୍ଭ ହେଲା ଚର୍ଚ୍ଚା

373

କନକ ବ୍ୟୁରୋ: ରାଜ୍ୟରେ ୩ଟି ରାଜ୍ୟସଭା ଆସନ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଆସନ୍ତା ଫେବ୍ରୁଆରୀ ୨୭ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ରାଜ୍ୟସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଏଥିପାଇଁ ନିର୍ବାଚନ ହେବ । ନିର୍ବାଚନ ପାଇଁ ଫେବ୍ରୁଆରୀ ୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ୨୭ ତାରିଖ ଦିନ ନିର୍ବାଚନ ହେବା ସହ ଫଳାଫଳ ଘୋଷଣା ହେବ ।

  • ଫେବ୍ରୁଆରୀ ୨୭ରେ ରାଜ୍ୟସଭା ନିର୍ବାଚନ
  • ୧୫ ରାଜ୍ୟର ୫୬ ଆସନରେ ହେବ ଭୋଟ
  • ଓଡ଼ିଶାରେ ଖାଲି ପଡୁଛି ୩ ଆସନ

ଏପ୍ରିଲ ମାସରେ ଖାଲି ପଡୁଥିବା ୫୬ଟି ଆସନରେ ନିର୍ବାଚନ ପାଇଁ ଘୋଷଣା କରିଛନ୍ତି ଜାତୀୟ ନିର୍ବାଚନ କମିସନ ।

ରାଜ୍ୟସଭା ନିର୍ବାଚନ

  • ଫେବ୍ରୁଆରୀ ୮ – ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି
  • ଫେବ୍ରୁଆରୀ ୧୫ – ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ
  • ଫେବ୍ରୁଆରୀ ୧୬ – ପ୍ରାର୍ଥୀପତ୍ର ଯାଞ୍ଚ
  • ଫେବ୍ରୁଆରୀ ୨୦ – ପ୍ରାର୍ଥୀପତ୍ର ପ୍ରତ୍ୟାହାର
  • ଫେବ୍ରୁଆରୀ ୨୭ – ରାଜ୍ୟସଭା ନିର୍ବାଚନ

ଏପ୍ରିଲ ୩ ତାରିଖରେ ସରୁଛି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟକାଳ । ଏହି ୩ ଆସନରେ ଫେବ୍ରୁଆରୀ ୨୭ ତାରିଖରେ ହେବ ଭୋଟ । ଏହାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି । ତେବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟସଭା ନିର୍ବାଚନ ଘୋଷଣା ହୋଇଥିବାରୁ ଏହା ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ସାଧାରଣ ନିର୍ବାଚନରେ ଯେଉଁ ବରିଷ୍ଠ ନେତା ଟିକେଟ୍ ପାଇନଥାନ୍ତି, ସେମାନଙ୍କୁ ରାଜ୍ୟସଭାରେ ଥଇଥାନ କରିବାକୁ ପ୍ରତିଶ୍ରୁତି ଦିଆଯାଇଥାଏ । ଏଥର ଏହି ସୁଯୋଗ ମିଳିବ ନାହିଁ ।

ଓଡ଼ିଶାର ରାଜ୍ୟସଭା ଗଣିତ

  • ବିଧାନସଭା ଆସନ ସଂଖ୍ୟା ୧୪୭
  • ବିଜେଡିର ୧୧୪ ଆସନ ଥିବା ବେଳେ ୪ ଜଣ ଦଳରୁ ବହିଷ୍କୃତ
  • ଖାଲି ପଡିଛି ସୂର୍ଯ୍ୟ ପାତ୍ରଙ୍କ ଆସନ
  • ବିଜେପି ପାଖରେ ୨୨ ଆସନ
  • କଂଗ୍ରେସର ୯ ବିଧାୟକ
  • ସ୍ୱାଧୀନ – ୧, ସିପିଏମ୍ – ୧

ଜଣେ ରାଜ୍ୟସଭା ପ୍ରାର୍ଥୀଙ୍କୁ ଜିତିବା ଲାଗି ୩୭ ପ୍ରଥମ ପସନ୍ଦ ଭୋଟ ଆବଶ୍ୟକ । ଫଳରେ ୩ ପ୍ରାର୍ଥୀଙ୍କ ପାଇଁ ଆବଶ୍ୟକ ୧୧୧ ଭୋଟ । ସ୍ୱାଧୀନ ବିଧାୟକଙ୍କ ସମର୍ଥନ ମିଳିଲେ ୩ଟି ଯାକ ରାଜ୍ୟସଭା ଆସନରେ ବିଜୟୀ ହୋଇପାରିବ ବିଜେଡି ।

୨୦୧୯ରେ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରିଥିଲା ଉଭୟ ବିଜେପି ଓ ବିଜେଡି । ଯାହାକୁ ନେଇ ସରଗରମ ହୋଇଥିଲା ରାଜନୀତି । ତେବେ ଏଥର ରାଜ୍ୟସଭା ନିର୍ବାଚନରେ ଏପରି କିଛି ଦେଖିବାକୁ ମିଳିବ ନା’ ଆଉ କିଛି ସରପ୍ରାଇଜ୍ ଦେବେ ବିଜେଡି ସୁପ୍ରିମୋ, ତା’ ଉପରେ ରହିଛି ସମସ୍ତଙ୍କ ନଜର ।