କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ଆଜିଠାରୁ ଏଲପିଜି ଗ୍ୟାସ ଦର କମିଛି । କିନ୍ତୁ ଆଗକୁ ଯେତେବେଳେ ନିର୍ବାଚନ ଆସୁଛି, ତା ପୂର୍ବରୁ କେନ୍ଦ୍ର ସରକାର ଗ୍ୟାସ ଦର କମାଇବାକୁ ନେଇ ରାଜନୀତି ତେଜିଛି । କେନ୍ଦ୍ରରେ ଶାସନରେ ଥିବା ବିଜେପି ମା’ମାନଙ୍କ ସଶକ୍ତିକରଣ ପାଇଁ ଏହା ମୋଦୀଙ୍କ ଉପହାର ବୋଲି କହୁଥିବାବେଳେ ବିରୋଧୀ ଏହାକୁ ନିର୍ବାଚନୀ ଚାଲ୍ ବୋଲି ଅଭିଯୋଗ କରିଛନ୍ତି ।

Advertisment

ସରକାର ଗ୍ୟାସ ଦର କମାଇଥିଲେ ବି ଦର ତୁଳନାତ୍ମକ ଭାବେ ଅଧିକ ରହିଛି । ନଜର ପକାନ୍ତୁ ମୋଦୀ ସରକାର କେନ୍ଦ୍ରରେ କ୍ଷମତାକୁ ଆସିବା ପୂର୍ବରୁ ଦେଶରେ ଗ୍ୟାସ ଦର କେତେ ଥିଲା ଓ ଏବେ କେତେ ଅଛି ..
ବର୍ଷ ସିଲିଣ୍ଡର ପିଛା ଦର (ଟଙ୍କା)
୨୦୧୪ (ଜାନୁଆରୀ) ୪୧୦
୨୦୨୩(ଅଗଷ୍ଟ) ୯୨୯

କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ୨୦୧୪ରେ ରୋଷେଇ ଗ୍ୟାସ ଦର ସିଲିଣ୍ଡର ପିଛା ପ୍ରାୟ ୧୨୪୧ ଟଙ୍କା ଥିଲା । ଅର୍ଥାତ ତକ୍ରାଳୀନ ଉପା ସରକାର ସିଲିଣ୍ଡର ଉପରେ ପ୍ରାୟ ୮ଶହ ଟଙ୍କା ରିହାତି ଦେଉଥିିଲେ । ହେଲେ, କେନ୍ଦ୍ରରେ ମୋଦୀ ସରକାର କ୍ଷମତାକୁ ଆସିବା ପରେ, ଗ୍ୟାସ ଉପରୁ ସବସିଡିକୁ କମ୍ କରି ଦେଇଥିଲେ । ଆଉ ଏବେ ସିଲିଣ୍ଡର ପିଛା ଦର ୧୧୨୯ଟଙ୍କା ଥିଲେ ବି ୨ଶହ ଟଙ୍କା ସବସିଡି ମିଳିବା ପରେ ୯୨୯ ଟଙ୍କା ହୋଇଛି । ତେବେ ଏହି ୨ଶହ ଟଙ୍କା ସବସିଡିକୁ ବି ନିର୍ବାଚନ ପୂର୍ବରୁ ସରକାରଙ୍କ ପ୍ରାଇସ୍ କଟ ବୋଲି କହିଛନ୍ତି ଗ୍ୟାସ ବିତରକ ମହାସଂଘର ସଭାପତି ।

ଗ୍ୟାସ ଦର କମିବା ପରେ ଏହାକୁ ସ୍ୱାଗତ କରିଛନ୍ତି ଗ୍ରାହକ । ଏହା ସେମାନଙ୍କ ପାଇଁ ଏକ ଖୁସି ଖବର ବୋଲି କହିଛନ୍ତି । ପୂର୍ବରୁ ଯେତେବେଳେ ନିର୍ବାଚନ ଆସିଛି, ସେତେବେଳେ କେନ୍ଦ୍ର ସରକାର ଏମିତି ଗ୍ୟାସ ଓ ପେଟ୍ରୋଲ ଦର କମାଇବାର ନଜିର ରହିଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ତେବେ କେତେଦିନ ରିହାତି ଦରରେ ଗ୍ୟାସ ମିଳିବ ତାହା ଦେଖିବାର କଥା ।