ପାଖେଇ ଆସୁଛି ନିର୍ବାଚନ, ଜମୁଛି ପ୍ରାର୍ଥୀଙ୍କ ପ୍ରଚାର । ଗାଁ ଗାଁ ବୁଲୁଛନ୍ତି ମନ୍ତ୍ରୀ, ସନ୍ଧ୍ୟାରୁ ରାତି ଯାଏଁ ଚାଲୁଛି ପ୍ରଚାର ।

56

କନକ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ, ଜମୁଛି ପ୍ରାର୍ଥୀଙ୍କ ପ୍ରଚାର । ୩ ଦଳର ପ୍ରାର୍ଥୀ ଏବେ ଭୋଟରଙ୍କ ପାଖରେ ପହଞ୍ଚୁଛନ୍ତି । ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର କଟକ ଚଣ୍ଡୀଙ୍କ ଦର୍ଶନ କରିବା ପରେ ପ୍ରଚାରରେ ଲାଗିପଡ଼ିଛନ୍ତି । ସେହିପରି ଟିଟିଲାଗଡ ବିଧାନସଭା ବିଜେଡି ପ୍ରାର୍ଥୀ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ସନ୍ଧ୍ୟାରୁ ବିଳମ୍ବିତ ରାତି ଯାଏଁ ଗାଁକୁ ଗାଁକୁ ବୁଲି ପ୍ରଚାର କରୁଥିବା ବେଳେ କୃଷ୍ଣପ୍ରସାଦରେ ରାତିରେ ପ୍ରଚାରକୁ ଓହ୍ଲାଇଛନ୍ତି ଉପାସନା ମହାପାତ୍ର ।

  • ପ୍ରଚାରକୁ ଓହ୍ଲାଇଲେ ସୁରେଶ ମହାପାତ୍ର
  • କଟକ ଚଣ୍ଡୀଙ୍କୁ ଦର୍ଶନ କରି ନେଲେ ଆଶୀର୍ବାଦ

ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର କଂଗ୍ରେସରୁ କଟକ ଲୋକସଭା ଆସନ ପାଇଁ ଟିକେଟ ପାଇବା ପରେ ମା କଟକଚଣ୍ଡୀଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ପରେ ସେ କଦମରସୁଲ ଯାଇ ଅନ୍ୟ ଦେବାଦେବୀଙ୍କୁ ଦର୍ଶନ କଲା ପରେ ପ୍ରଚାର ଆରମ୍ଭ କରିଛନ୍ତି । ଆଉ ବିଜେଡି ଓ ବିଜେପିର ସାଂସଦ ପ୍ରାର୍ଥୀଙ୍କୁ ଟର୍ଗେଟ କରିଛନ୍ତି । ଏଠାରୁ ବିଜେଡିରୁ ସଂତୃପ୍ତ ମିଶ୍ର ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ ଲଢୁଛନ୍ତି ଭର୍ତ୍ତୃହରି ମହତାବ ।

  • ଗାଁ ଗାଁ ବୁଲୁଛନ୍ତି ମନ୍ତ୍ରୀ
  • ସନ୍ଧ୍ୟାରୁ ରାତି ଯାଏଁ ଚାଲୁଛି ପ୍ରଚାର

ଟିଟିଲାଗଡ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ମନ୍ତ୍ରୀ ଟୁକୁନି ସାହୁ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି । ଦିନରେ ଖରା ହେଉଥିବାରୁ ସନ୍ଧ୍ୟାରୁ ବିଳମ୍ବିତ ରାତି ଯାଏଁ ଗାଁକୁ ଗାଁକୁ ବୁଲି ନିର୍ବାଚନ ପ୍ରଚାର କରୁଛନ୍ତି । ରବିବାର ଦିନ ଟୁକୁନି ଟିଟିଲାଗଡ ବ୍ଲକ ମାର୍ଲାଡ, ଶିରେକେଲା ଓ ଅନ୍ୟାନ୍ୟ ଅଞ୍ଚଳ ବୁଲି ରାଜ୍ୟ ସରକାରଙ୍କ ବିକାଶ କଥା କହିଥିଲେ ।

  • ରାତିରେ ପ୍ରଚାର କଲେ ଉପାସନା
  • ମାଟିର ଝିଅକୁ ଭୋଟ ଦେବାକୁ କଲେ ଅପିଲ

କୃଷ୍ଣପ୍ରସାଦରେ ରାତିରେ ପ୍ରଚାରକୁ ଓହ୍ଲାଇଲେ ଉପାସନା ମହାପାତ୍ରା । ଉପସାନା ବ୍ରହ୍ମଗିରିରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି । ମାଟିର ଝିଅକୁ ଆଶୀର୍ବାଦ ଦେବା ପାଇଁ ସେ ନିବେଦନ କରିଛନ୍ତି । ପାଇକେରାପୁରଠାରୁ ବାଇକ କାଲିରେ ଆସି କୃଷ୍ଣପ୍ରସାଦ ବ୍ଲକ ଚାରିଛକ ଖେଳପଡିଆରେ ଆୟୋଜିତ ସଭାରେ ଯୋଗଦେଇଥିଲେ ଉପାସନା । ଆଉ ଏହି ପ୍ରଚାରରେ ସାମିଲ ହୋଇଥିଲେ ପୁରୀ ଲୋକସଭା ଆସନର ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ।

  • ଖଡିଆଳରେ ପ୍ରଚାର ସରଗରମ
  • ପ୍ରାର୍ଥୀ କରୁଛନ୍ତି ଶକ୍ତି ପ୍ରଦର୍ଶନ

ନୂଆପଡା ଜିଲ୍ଲା ଖଡିଆଳରେ ସରଗରମ ହେଉଛି ପ୍ରଚାର । ନିଜ ସପକ୍ଷରେ ଭୋଟ ହାତେଇବାକୁ ଜୋରଦାର ପ୍ରୟାସ । ଖଡିଆଳରେ ୭ ଜଣ ପ୍ରାର୍ଥୀ ନାମାଙ୍କନ କରିଛନ୍ତି । ହେଲେ ବିଜେଡି-ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର ଦେଖିବାକୁ ମିଳୁଛି । ଅଧିରାଜ ପାଣିଗ୍ରାହୀ କଂଗ୍ରେସ ଛାଡି ଏଥର ବିଜେଡିରୁ ପ୍ରାର୍ଥୀ ହୋଇଥିବା ବେଳେ ପୂର୍ବତନ ବିଧାୟକ ହିତେଶ ବଗର୍ତୀ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି । ସେହିଭଳି କଂଗ୍ରେସ ପ୍ରାର୍ଥୀ କମଳ ଚରଣ ତାଣ୍ଡି ମଧ୍ୟ ପ୍ରଚାର ମଇଦାନରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ।