ଆଜି ଦ୍ବିତୀୟ ପର୍ଯ୍ୟାୟ ମତଦାନ : ୫ ଲୋକସଭା, ୩୫ ବିଧାନସଭା ଆସନ ପାଇଁ ଭୋଟ, ୨୭୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ୭୭ ଲକ୍ଷ ଭୋଟର

ମଇଦାନରେ ନବୀନ, ଜୁଏଲ, ନରସିଂହ, କନକ, ୪ମନ୍ତ୍ରୀଙ୍କ ସମେତ ୪୦ ହେଭିୱେଟ ନେତା

92

କନକ ବ୍ୟୁରୋ: ବିଜେଡି, ବିଜେପି ଓ କଂଗ୍ରେସ ସମେତ ସବୁ ପ୍ରମୁଖ ରାଜନୈତିକ ଦଳ ଶୀର୍ଷ ନେତୃତ୍ବ ଘମାଘୋଟ ପ୍ରଚାର କରିଛନ୍ତି। ପରସ୍ପର ବିରୋଧରେ ଆକ୍ଷେପ ଓ ଅଭିଯୋଗର ପାହାଡ଼ ଛିଡା କରିବା ସହିତ ନିଜ ଦଳର ପ୍ରାର୍ଥୀଙ୍କ ପ୍ରତି ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି କୌଣସି ସୁଯୋଗ ହାତଛଡା କରିନାହାନ୍ତି। ହେଲେ ଏସବୁ ଭୋଟରଙ୍କୁ ଛୁଇଁଲା ନା ସେମାନେ ପ୍ରତ୍ୟାଖ୍ୟାନ କଲେ? ଆସନ୍ତା ପାଞ୍ଚ ବର୍ଷ ପାଇଁ ବିଧାନସଭା ଓ ଲୋକସଭାରେ ପ୍ରତିନିଧି ଭାବେ କାହାକୁ ମତଦାତା ଦେଖିବାକୁ ଚାହୁଁଛନ୍ତି?

ଆଜି ଦ୍ବିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟାରେ ୫ଟି ଲୋକସଭା ଓ ୩୫ଟି ବିଧାନସଭା କ୍ଷେତ୍ରରେ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ଆଳରେ ଏଭଳି ଏକ ବଡ଼ ନିଷ୍ପତ୍ତି ନେବେ ମତଦାତା। ଆଜି ଏସବୁ ଲୋକସଭା ଓ ବିଧାନସଭା ଆସନରେ ପ୍ରାର୍ଥୀ ହୋଇଥିବା ୨୭୯ ପ୍ରାର୍ଥୀଙ୍କ କପାଳ ଲେଖାଯିବ।

ବଲାଙ୍ଗୀର, ସୁନ୍ଦରଗଡ, ବରଗଡ, ଆସ୍କା ଓ କନ୍ଧମାଳ ଲୋକସଭା ଓ ଅଧୀନସ୍ଥ ୩୫ ବିଧାନସଭା ଆସନରେ ଆଜିର ମତଦାନର ଫଳାଫଳ ମେ’୨୩ ତାରିଖରେ ପ୍ରକାଶ ପାଇବ। ହେଲେ, ଆଜି ନିର୍ବାଚନ ଏଇଥିପାଇଁ ଗୁରୁତ୍ବପୂର୍ଣ୍ଣ, କାରଣ ରାଜ୍ୟ ରାଜନୀତିର ପ୍ରମୁଖ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, େକନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବାଚସ୍ପତି ପ୍ରଦୀପ ଅମାତ, ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ, ୪ ମନ୍ତ୍ରୀ, ଦୁଇ ରାଜ୍ୟସଭା ସାଂସଦ ଏମିତି ୪୦ରୁ ଅଧିକ ନେତାଙ୍କ ରାଜନୈତିକ ଭାଗ୍ୟ ନିର୍ଣ୍ଣୟ କରିବେ େଭାଟର। ଗୁରୁବାର ସନ୍ଧ୍ୟାରେ ୨୭୯ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇଯିବ ଇଭିଏମ୍ ଭିତରେ।

ଏଭଳି ହେଭିେଵଟ୍ ନେତାଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂହ, ସ୍ନେହାଙ୍ଗିନୀ ଛୁରିଆ, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର‌୍ୟ୍ୟ, ଅଚ୍ୟୁତ ସାମନ୍ତ, ପୂର୍ବତନ ସାଂସଦ ଐର ଖାରବେଳ ସ୍ବାଇଁ, ସୁରେଶ ପୂଜାରୀ, ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନ, ଶାରଦା ନାୟକ, ସୁବ୍ରତ ତରାଇ, ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା, ସିପିଏମ୍ ପ୍ରାର୍ଥୀ, ବିଧାୟକ ନବ କିଶୋର ଦାସ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି ପ୍ରମୁଖ ଅଛନ୍ତି। ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାଣ୍ଡିଶାଳରୁ ଲୋକସଭା ପଠାଇବା ପାଇଁ ଯେଉଁ ମହିଳା କାର୍ଡ ଖେଳି ପ୍ରମିଳା ବିଷୋୟୀଙ୍କୁ ପ୍ରାର୍ଥୀ କରିଛନ୍ତି ସେ ମଧ୍ୟ ଆଜି ନିର୍ବାଚନ ସାମ୍ନା କରିବେ।

ମିଳିଥିବା ସୂଚନା ଅନୁସାରେ, ଲୋକସଭାରେ ୩୫ ଓ ବିଧାନସଭାରେ ଲଢୁଥିବା ୨୪୪ ପ୍ରାର୍ଥୀଙ୍କ ଭାଗ୍ୟ ୯୧୧୭ଟି ବୁଥରେ ନିର୍ଣ୍ଣୟ ହେବ। ୭୬ଲକ୍ଷ ୯୩ହଜାର ୧୨୩ଜଣ ମତଦାତା ଏହି ପ୍ରକ୍ରିୟାରେ ଭାଗ ନେବେ। ଏମାନଙ୍କ ମଧ୍ୟରେ ୩୯,୪୫,୦୨୫ଜଣ ପୁରୁଷ, ୩୭ଲକ୍ଷ ୪୭ହଜାର ୪୯୩ଜଣ ମହିଳା ଏବଂ ୬୦୫ଜଣ ତୃତୀୟ ଲିଙ୍ଗ ଭୋଟ୍ ଦେବେ। ୭ଲକ୍ଷ ୯୯ ହଜାର ୯୯୯ ଜଣ ନୂଆ େଭାଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ।