କନକ ବ୍ୟୁରୋ: ପଦ ଓ ଗୋପନୀୟତାର ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୪ ନିର୍ବାଚନୀ ଇସ୍ତାହାରକୁ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଭାବେ ମନ୍ତ୍ରୀ ପରିଷଦ ବୈଠକରେ ସଂକଳ୍ପ ପାରିତ କରିଥିଲେ। ୨୦୧୯ ନିର୍ବାଚନ ପୂର୍ବରୁ ଏସବୁ ପୂରଣ ହୋଇଛି ବୋଲି ବିଜେଡି ଦାବି କରିଛି। ମନ୍ତ୍ରୀ ପରିଷଦ ବୈଠକ ଡାକି ମୁଖ୍ୟମନ୍ତ୍ରୀ ନିଜେ ପ୍ରତିଶ୍ରୁତି ଶତ ପ୍ରତିଶତ ପୂରଣ ହୋଇଛି ବୋଲି ସୂଚାଇଲେ ଓ ରାଜ୍ୟବାସୀଙ୍କ ସାମ୍ନାରେ ସରକାରଙ୍କ ରିପୋର୍ଟ କାର୍ଡ ରଖିଥିଲେ। କେବଳ ସେତିକି ନୁହେଁ, ବିଜେଡି କହିଛି, ଏହାବାଦ ଆହୁରି ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର।
ଇତିମଧ୍ୟରେ ଆସନ୍ତା ନିର୍ବାଚନ ପାଇଁ ବିଜେଡି ଇସ୍ତାହାର ପ୍ରସ୍ତୁତି ଆରମ୍ଭ ହୋଇଛି ଓ ସମଗ୍ର ରାଜ୍ୟରୁ ମତ ସଂଗ୍ରହ କରୁଛନ୍ତି ବିଜେଡି କର୍ମୀ। ଦଳ ନିଜର ବଛା ବଛା ନେତାଙ୍କୁ ନେଇ ଇସ୍ତାହାର କମିଟି ଗଠନ କରିଛି। ବିଜେପି ଓ କଂଗ୍ରେସ ମଧ୍ୟ ଏ କ୍ଷେତ୍ରରେ ପଛରେ ନାହାନ୍ତି। ସେମାନେ ବି ନିଜର ଇସ୍ତାହାର ପ୍ରସ୍ତୁତି ପାଇଁ କମିଟି ଗଠନ କରି ବୈଠକ ଜାରି ରଖିଛନ୍ତି। ହେଲେ ପରୋକ୍ଷରେ ଦଳର ଛାମୁଆ ନେତାମାନେ କହିସାରିଲେଣି ଯେ ରାଜ୍ୟରେ କ୍ଷମତାକୁ ଆସିଲେ, ସେମାନେ ଏୟା ଦେବେ, ସେୟା ଦେବେ।

Advertisment

publive-image image courtesy - updateodisha.com/

ହେଲେ ଗତ ୨୦ ବର୍ଷର ନିର୍ବାଚନୀ ଇସ୍ତାହାରକୁ ବିଶ୍ଳେଷଣ କରି ଦେଖିଲେ, ଏକଥା ଜଳ ଜଳ ହୋଇ ଧରାପଡିଯାଉଛି ଯେ ଅତୀତର ଅନେକ ପ୍ରତିଶ୍ରୁତି ଆଜି ବି ରାଜ୍ୟବାସୀଙ୍କ ପାଇଁ ସ୍ବପ୍ନ ହୋଇ ରହିଛି। ବିଜେଡି-ବିଜେପି ମେଣ୍ଟ ସରକାର ସମୟରେ ଏକ ସମୃଦ୍ଧ ଓ ସ୍ବାଭିମାନୀ ଓଡ଼ିଶା ଗଠନ ପାଇଁ ଯେଉଁ ସ୍ବପ୍ନ ଉଭୟ ଦଳର ଶୀର୍ଷ ନେତୃତ୍ବ ଦେଖିଥିଲେ, ସେଥିରୁ ଅଧିକାଂଶ ପୂରଣ ହୋଇନି। ପରବର୍ତୀ ସମୟରେ ସମସ୍ତେ ଭୁଲିଯାଇଛନ୍ତି। ସେହିଭଳି କଂଗ୍ରେସ ବି ପୂର୍ବରୁ ଦେଇଥିବା ଅନେକ ପ୍ରତିଶ୍ରୁତି ସଂପର୍କରେ ଆଉ ମୁହଁ ଖୋଲୁନି। ୨୦୧୯ ନିର୍ବାଚନ ଇସ୍ତାହାର ପ୍ରସ୍ତୁତି ନେଇ ସବୁ ପ୍ରମୁଖ ରାଜନୈତିକ ଦଳ କସରତ ଚଳାଇଥିବା ବେଳେ ଏବେ ରାଜନୈତିକ ପର‌୍ୟ୍ୟବେକ୍ଷକ ମହଲ ରାଜନୈତିକ ଦଳମାନଙ୍କର ଏସବୁ ଅଧୁରା ସ୍ବପ୍ନକୁ ନେଇ ଘଣ୍ଟାଚକଟା ଆରମ୍ଭ କରିଛନ୍ତି। ଏସବୁ ପ୍ରତିଶ୍ରୁତିକୁ ନୂଆ ଇସ୍ତାହାରରେ ସାମିଲ କରି ପୂରଣ କରିବା ଲାଗି ଚାପ ସୃଷ୍ଟି ପାଇଁ ଉଦ୍ୟମ ଆରମ୍ଭ େହାଇଛି।

publive-image

ଦଳଗଠନ ସହିତ ପ୍ରଥମ ନିର୍ବାଚନ ସାମ୍ନା କରିବା ବେଳେ ବିଜେଡି ଇସ୍ତାହାରରେ ଓଡ଼ିଶାକୁ ପ୍ରଥମ ଶ୍ରେଣୀ ରାଜ୍ୟର ମାନ୍ୟତା କଥା କହିଥିଲା। ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଗଠନ ଲାଗି ସଂକଳ୍ପ ନେଇଥିବା ବିଜେଡି ପରବର୍ତୀ ସମୟରେ ୨୦୦୦ ମସିହାରେ ବିଜେପି ସହିତ ମେଣ୍ଟ ଗଠନ କରିଥିଲା। ସେ ସମୟରେ କିନ୍ତୁ ପ୍ରଥମ ଶ୍ରେଣୀ ରାଜ୍ୟର ମାନ୍ୟତା ପ୍ରସଙ୍ଗ ନିର୍ବାଚନ ଇସ୍ତାହାରରେ ସ୍ଥାନ ପାଇଲା ନାହିଁ।

publive-image

ବିଜୁ ବାବୁଙ୍କୁ ସାମ୍ନାରେ ରଖି ବିଜେଡି ଆଜି ଦିନରେ ଅନେକ ପଦକ୍ଷେପ ନେଇଛି, କାର୍ଯ୍ୟକ୍ରମ ଘୋଷଣା କରିଛି। କିନ୍ତୁ କଳିଙ୍ଗ ରେଜିମେଣ୍ଟ ପ୍ରତିଷ୍ଠା, କଳିଙ୍ଗ ବ୍ୟାଙ୍କ ପ୍ରତିଷ୍ଠା, ସମ୍ପୂର୍ଣ୍ଣ ନିଶା ନିବାରଣ, ରାଜନୀତିର ଅପରାଧୀକରଣରୁ ମୁକ୍ତ କରିବାରେ ସକ୍ଷମ ହୋଇନାହିଁ। ତେବେ ଅନାହାର ମୃତ୍ୟ ଜନିତ କଳଙ୍କରୁ ଓଡ଼ିଶାକୁ ଇତିମଧ୍ୟରେ ମୁକ୍ତି ମିଳିଛି। ବ୍ଲକସ୍ତରରେ ଶୀତଳଭଣ୍ଡାର ପ୍ରତିଷ୍ଠା କ୍ଷେତ୍ରରେ, ଆଞ୍ଚଳିକ ବୈଷମ୍ୟ ଦୂରୀକରଣ, ଶାସନରେ ଥିବା ମନ୍ତ୍ରୀଙ୍କ ଭଳି ବିଧାୟକଙ୍କ ସଂପତ୍ତି ତାଲିକା ସାଧାରଣରେ ପ୍ରକାଶ ପାଇଁ ଆଇନ ପ୍ରଣୟନ, ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ମହିଳାଙ୍କୁ ୫୦% ଚାକିରି ପ୍ରଦାନ, ଓଡ଼ିଶାର ନିଜସ୍ବ ସଙ୍ଗୀତ ଓଡ଼ିଶୀକୁ ଏକ ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା ପ୍ରଦାନ, ବିଜୁ ପଟ୍ଟନାୟକଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ ଆଦି ପ୍ରସଙ୍ଗର ଭବିଷ୍ୟତ ଇସ୍ତାହାର ପୁସ୍ତିକା ଭିତରେ ଲୁଚି ରହିଛି।

publive-image

୨୦୦୦ ମସିହାର ମେଣ୍ଟ ସରକାର ସମୟର ସଂକଳ୍ପ ଯେମିତିକି ୨୫ ହଜାର ଲୋକସଂଖ୍ୟାରେ ଡାକ୍ତରଖାନା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସୀମା ସଂପ୍ରସାରଣ, ରାଜ୍ୟ ମହିଳା କମିସନର ଶକ୍ତୀକରଣ, ପ୍ରତ୍ୟେକ ମହିଳା ସଂପର୍କିତ ସଂସ୍ଥାରେ ମହିଳାଙ୍କ ପ୍ରତିନିଧିତ୍ବ ପ୍ରସଙ୍ଗର ଭାଗ୍ୟ ଫିଟିନାହିଁ। ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ବିଜେଡି ବିଜୁ ବାବୁଙ୍କ ଅଧୁରା ସ୍ବପ୍ନକୁ ଅଗ୍ରାଧିକାର େଦଇ ପ୍ରତି ବ୍ଲକରେ ବୈଷୟିକ ଶିକ୍ଷା ଦାନ ବ୍ୟବସ୍ଥା, ଗ୍ରାମାଞ୍ଚଳରେ ପ୍ରତି ୫ହଜାର ପରିବାର ପାଇଁ ଏକ ସ୍ବୟଂ ସମ୍ପୂର୍ଣ୍ଣ ଚିକିତ୍ସାଳୟ ପ୍ରତିଷ୍ଠା, ସବୁ ଜିଲ୍ଲା ଓ ବ୍ଲକସ୍ତରରେ ରକ୍ତଭଣ୍ଡାର ପ୍ରତିଷ୍ଠା, ପ୍ରତି ବ୍ଲକରେ ଦୁଗ୍ଧ ଶୀତଳୀକରଣ ଓ ଦୁଗ୍ଧଜାତ ଦ୍ରବ୍ୟ ପ୍ରସ୍ତୁତି କେନ୍ଦ୍ର ପ୍ରତିଷ୍ଠା, ପ୍ରତି ଗ୍ରାମାଞ୍ଚଳରେ ଆପାତକାଳୀନ ସୂଚନାକେନ୍ଦ୍ର ପ୍ରତିଷ୍ଠା, ରାଜ୍ୟରେ ୬ଟି ବନ୍ଦରର କାର‌୍ୟ୍ୟ ନିର୍ମାଣ ସମ୍ପୂର୍ଣ୍ଣ କରାଯିବା ଆଦି କ୍ଷେତ୍ରରେ ସରକାର ବିଶେଷ ଧ୍ୟାନ ଦେଇପାରିନାହାନ୍ତି।

publive-image

ସେପଟେ ମେଣ୍ଟ ଭାଙ୍ଗିବା ପରେ ରାଜ୍ୟ ବିଜେପି କ୍ଷମତାକୁ ଫେରିବା ଲାଗି ଯେଉଁ ସ୍ବପ୍ନ କଥା କହିଥିଲା, ତାହା ବି ତାର ଏଜେଣ୍ଡାରେ ନାହିଁ। ୨୦୧୪ରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା କଥା କହିଥିଲେ। ହେଲେ କ୍ଷମତାକୁ ଆସିବା ପରେ ଏ ନେଇ ଦଳର ସାମାନ୍ୟତମ ଉଦ୍ୟମ ନାହିଁ। ଧାନର ଉତ୍ପାଦନ ଖର୍ଚର ଦେଢଗୁଣା ମୂଲ୍ୟ ଏମଏସପି ପ୍ରତିଶ୍ରୁତି ବି ଘୋଷଣାରେ ରହିଗଲା। କୃଷକଙ୍କ ପେନସନ୍, କୃଷି କ୍ଷେତ୍ରକୁ ବିଦ୍ୟୁତ ଛାଡ, ଟଙ୍କିକିଆ ଚାଉଳ ସହିତ ବିନା ପଇସାରେ ଲୁଣ, ପାଞ୍ଚଟଙ୍କାରେ ଡାଲି କଥା ପ୍ରତିଶ୍ରୁତି ଦେଇଥିଲା।

publive-image

ଇତିମଧ୍ୟରେ ରାଜ୍ୟ ସରକାର ୨୦୧୩ ମସିହାରେ ଚାଉଳ ପ୍ରତିଶ୍ରୁତି ପୂରଣ କରିସାରିଛନ୍ତି। କିନ୍ତୁ କେନ୍ଦ୍ରରେ କ୍ଷମତାରେ ଥାଇ ବି ଡାଲି, ଲୁଣ କମ ମୂଲ୍ୟରେ ଦେବା ତ ଦୂରର କଥା ଦର ନିୟନ୍ତ୍ରଣ କରି ଗରିବର ଯନ୍ତ୍ରଣା ଲାଘବ ହୋଇପାରିନାହିଁ। ଗୋପାଳପୁର ଠାରୁ ପୁରୀ ଓ ପାରାଦୀପ ଦେଇ ଦୀଘା ଯାଏ ଉପକୂଳ ଜାତୀୟ ରାଜପଥ ସ୍ବପ୍ନରେ ରହିଛି। ଭୁବନେଶ୍ବରକୁ ବିଶ୍ବସ୍ତରୀୟ ବିମାନ ବନ୍ଦରରେ ପରିଣତ କରିବା ଲାଗି କୌଣସି ପଦକ୍ଷେପ ନିଆଯାଇନାହିଁ। ଖଣି ରୟାଲଟି ବୃଦ୍ଧି େକ୍ଷତ୍ରରେ ଓଡ଼ିଶାକୁ ସାଂଘାତିକ ଅବହେଳା କରାଯାଇଛି। ଆଞ୍ଚଳିକ ବୈଷମ୍ୟ ଦୂରୀକରଣ କରିବା ବଦଳରେ ସ୍ବତନ୍ତ୍ର କେବିକେ ଯୋଜନାକୁ କେନ୍ଦ୍ର ସରକାର ବନ୍ଦ କରିଦେଇଛନ୍ତି।ଏଭଳି ପୃଷ୍ଠଭୂମିରେ ୨୦୧୯ ଲାଗି କେଉଁ ଦଳ ରାଜ୍ୟବାସୀଙ୍କ ସାମ୍ନାରେ ନିର୍ଦିଷ୍ଟ କି କି ସଂକଳ୍ପ ରଖୁଛନ୍ତି, କାହା କଥାକୁ ଲୋକେ ବିଶ୍ବାସକୁ ନେବେ, ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି।