କନକ ବ୍ୟୁରୋ: ବର୍ଷ ବର୍ଷ ଧରି ହଜାରେ ସମସ୍ୟାରେ ସନ୍ତୁଳି ହେଉଥିବା ଲୋକ ଏବେ ବି ଏଥିରେ ଘାଣ୍ଟି ହେଉଛନ୍ତି। ତେଣୁ ଗଣତନ୍ତ୍ରର ସବୁଠାରୁ ବଡ ଉତ୍ସବ ସାଧାରଣ ନିର୍ବାଚନ ପ୍ରତି ବିମୁଖ ହେଉଛନ୍ତି କୋରାପୁଟ ପରି ପଛୁଆ ଜିଲ୍ଲାର ଭୋଟର। କିଛି ଲୋକ ନିଜକୁ ମତଦାନ ପ୍ରକ୍ରିୟାରୁ ଦୂରେଇ ରଖୁଥିଲା ବେଳେ ଆଉ କିଛି ଲୋକ ନୋଟାକୁ ପସନ୍ଦ କରୁଛନ୍ତି। ଫଳରେ ଏହି ପଛୁଆ ଜିଲ୍ଲାରେ ନୋଟାକୁ ଏକ ବଡ ଭାଗ ଭୋଟ ମିଳୁଛି। ଆଉ ଏହା ଭୋଟ ରାଜନୀତି ପ୍ରତି ଏକ ବଡ ଆହ୍ବାନ।
କୋରାପୁଟ ଲୋକସଭା କ୍ଷେତ୍ରରେ ୨୦୧୪ ନିର୍ବାଚନରେ ୭୬ ପ୍ରତିଶତ ଲୋକ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ଏଥିରୁ ନୋଟାରେ ପଡିଥିଲା ୩୩ ହଜାର ୨୩୨ଖଣ୍ଡ ଭୋଟ। ଅର୍ଥାତ ନିର୍ବାଚନରେ ଲଢ଼େଇ କରୁଥିବା ୯ ଜଣ ନେତାଙ୍କୁ ଏହି ଭୋଟର ଆଦୌ ପସନ୍ଦ କରି ନଥିଲେ। ସବୁଠାରୁ ଆଶ୍ଚର୍ୟ୍ୟର କଥା ହେଲା ୪ଜଣ ପ୍ରାର୍ଥୀଙ୍କୁ ୧୫ହଜାରୁ ବି କମ ଭୋଟ ମିଳିଥିଲା। ଅପରପକ୍ଷରେ ନୋଟା ପଞ୍ଚମ ସ୍ଥାନରେ ରହିଥିଲା। ଏଥିରୁ ସ୍ପଷ୍ଟ ଯେ, ଭୋଟରଙ୍କ ମନ ପସନ୍ଦର ପ୍ରାର୍ଥୀ ଏବେ ବି ଅଭାବ ରହିଛି।
କେବଳ ଲୋକସଭା ନିର୍ବାଚନ ନୁହେଁ, ବିଧାନସଭା ନିର୍ବାଚନରେ ମଧ୍ୟ ସମାନ ଅବସ୍ଥା। ପୁଣି ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଯେଉଁ ଅଂଚଳ ଯେତେ ପଛୁଆ ଓ ମାଓ ପ୍ରଭାବିତ ସେହି ଅଂଚଳରେ ନୋଟାକୁ ଅଧିକ ଭୋଟ ଯାଇଛି। ପଟାଙ୍ଗୀ, ନନ୍ଦପୁର ଓ ସେମିଳିଗୁଡା ବ୍ଲକକୁ ନେଇ ଗଠିତ ପଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ଅନେକ ସମସ୍ୟା ରହିଛି। ଜାତିଗତ ପ୍ରମାଣପତ୍ରରୁ ଆରମ୍ଭ କରି ଗାଁକୁ ରାସ୍ତା ଓ ପାନୀୟ ଜଳ ସମସ୍ୟାର ସମାଧାନ ହୋଇନି। ଆଦିବାସୀ ବହୁଳ ଏହି ନିର୍ବାଚନ ମଣ୍ଡଳୀରେ ମାଓବାଦୀଙ୍କ ପ୍ରଭାବ ବି ରହିଛି। ଆଉ ଏହି ନିର୍ବାଚନ ମଣ୍ଡଳୀରେ ଗତ ବିଧାନସଭା ନିର୍ବାଚନରେ ନୋଟାକୁ ମିଳିଥିଲା ୪୯୯୫ ଖଣ୍ଡ ଭୋଟ। ନିର୍ବାଚନରେ ୮ ଜଣ ପ୍ରାର୍ଥୀ ରହିଥିଲା ବେଳେ ୫ହଜାର ଭୋଟର ଏମାନଙ୍କ ମଧ୍ୟରୁ ଜଣଙ୍କୁ ବି ପସନ୍ଦ କରି ନଥିଲେ। ଅନ୍ୟତମ ପଛୁଆ ଅଂଚଳ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ମଧ୍ୟ ସମାନ ଦଶା। ଗତ ନିର୍ବାଚନରେ ଏଠାରେ ନୋଟାରେ ପଡ଼ିଥିଲା ୪୦୬୯ ଭୋଟ। ନିର୍ବାଚନରେ ୧୧ଜଣ ପ୍ରାର୍ଥୀ ରହିଥିଲେ ମଧ୍ୟ ଭୋଟର ନୋଟାକୁ ବାଛିଥିଲେ।
କୋଟପାଡ, କୁନ୍ଦୁରା ଓ ବୈପାରୀଗୁଡା ବ୍ଲକର କିଛି ଅଂଶକୁ ନେଇ ଗଠିତ କୋଟପାଡ ନିର୍ବାଚନମଣ୍ଡଳୀ ଏକ ପଛୁଆ ଅଂଚଳ ଭାବେ ଜଣାଶୁଣା। ଲୋକଙ୍କ ସମସ୍ୟାକୁ ଗୁରୁତ୍ବ ମିଳୁ ନ ଥିବାରୁ ଲୋକେ ନେତାଙ୍କ ଉପରେ ଭରସା ହରାଉଛନ୍ତି। ଫଳରେ ୨୦୧୪ରେ ଏହି ନିର୍ବାଚନ ମଣ୍ଡଳୀରେ ନୋଟାରେ ପଡିଥିଲା ୪୮୬୩ ଖଣ୍ଡ ଭୋଟ। ନିର୍ବାଚନରେ ୭ ଜଣ ପ୍ରାର୍ଥୀ ରହିଥିଲା ବେଳେ କେବଳ ୩ ପ୍ରମୁଖ ଦଳ ପ୍ରାର୍ଥୀ ନୋଟାରୁ ଅଧିକ ଭୋଟ ପାଇଥିଲେ। କୋରାପୁଟ ଜିଲ୍ଲାର ସବୁଠାରୁ ଶିକ୍ଷିତ ଅଂଚଳ ଭାବେ ପରିଜିତ ଜୟପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ନୋଟାକୁ ମିଳିଥିଲା ୨୯୨୩ଖଣ୍ଡ ଭୋଟ। ନିର୍ବାଚନରେ ୧୦ଜଣ ପ୍ରାର୍ଥୀ ରହିଥିଲା ବେଳେ କଂଗ୍ରେସ, ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ପରେ ନୋଟାକୁ ମିଳିଥିବା ଚତୁର୍ଥ ସ୍ଥାନ। କୋରାପୁଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନୋଟାରେ ପଡିଥିଲା ୨୨୦୪ ଖଣ୍ଡ ଭୋଟ। ଏଠାରେ ୧୫ ଜଣ ପ୍ରାର୍ଥୀ ରହିଥିଲେ ମଧ୍ୟ ମାତ୍ର ୩ଜଣ ପ୍ରାର୍ଥୀ ନୋଟା ଠାରୁ ଅଧିକ ଭୋଟ ପାଇଥିଲେ। ନୋଟାକୁ ଏତେ ପରିମାଣର ଭୋଟ ଯିବା ଭୋଟ ରାଜନୀତି ପାଇଁ ଏକ ଶୁଭ ସୁଚନା ନୁହେଁ ବୋଲି କୁହାଯାଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/NOTA_00000.jpg)
/kanak/media/post_attachments/wp-content/uploads/2019/03/NOTA-300x130.jpg)
/kanak/media/post_attachments/wp-content/uploads/2019/03/30924623494_c4c48a57c0_b-300x178.jpg)
/kanak/media/post_attachments/wp-content/uploads/2019/03/nota-fi-300x185.jpg)