ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକୁ ବେଖାତିର: ନିର୍ବାଚନବେଳେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚାଲିଛି ଯୋଜନା

65

କନକ ବ୍ୟୁରୋ: ସାଧାରଣ ନିର୍ବାଚନବେଳେ ଅପରାଧୀମାନେ ଆତଙ୍କ ଖେଳାଇ ଭୋଟରଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ଏପରିକି ଜେଲ ଭିତରେ ଥାଇ ମଧ୍ୟ ଦୁର୍ଦାନ୍ତ ଅପରାଧୀମାନେ ସେମାନଙ୍କ ନେଟ୍ୱାର୍କରେ ଥିବା(ଜେଲ୍ ବାହାରେ) ଅପରାଧୀମାନଙ୍କୁ ବିଶୃଙ୍ଖଳା ସୃଷ୍ଟି କରାଇବା କାମରେ ବ୍ୟବହାର କରାଇ ପାରନ୍ତି। ଏପରିକି ଭୋଟ ସମୟରେ ମଧ୍ୟ ବୁଥ୍ ଦଖଲ କରିବା ସହିତ ମାର୍ପିଟ୍ ଭଳି ଅପରାଧ ଘଟିବାର ସମ୍ଭାବନା ମଧ୍ୟ ରହିଥାଏ। ନିର୍ବାଚନବେଳେ ଏସବୁ ଅଘଟଣ ଆଶଙ୍କା କରି ନିର୍ବାଚନ ଆୟୋଗ ସ୍ପଷ୍ଟ ଭାବେ ନିର୍ଦେଶ ଦେଇଥିଲେ କି, ସ୍ଥାନୀୟ ଜେଲଗୁଡ଼ିକ ଉପରେ ପୁଲିସ ଚଢ଼ଉ କରି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁ। ଏହା ମଧ୍ୟରେ କମିସନରେଟ ପୁଲିସ ପକ୍ଷରୁ କଟକର ଚୌଦ୍ବାର ଜେଲ୍ ଉପରେ ଚଳିତ ମାସ ୧୫ ତାରିଖରେ ଅଚାନକ ଚଢ଼ଉ କରାଯାଇଥିଲା। କିନ୍ତୁ କମିସନରେଟ ପୁଲିସ ଅଧୀନରେ ଝାରପଡ଼ା ସ୍ବତନ୍ତ୍ର ଜେଲ ଆସୁଥିଲେ ମଧ୍ୟ ସେଠାରେ ଏଯାଏ ଚଢ଼ଉ କରାଯାଇ ନାହିଁ। ଫଳରେ ନିର୍ବାଚନ ସମୟରେ ଝାରପଡ଼ା ଜେଲ ଭିତରୁ ଅପରାଧୀମାନେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରି ବାହାରେ ଗଣ୍ଡଗୋଳ ବା ବିଶୃଙ୍ଖଳା ସୃଷ୍ଟି କରିବା ଆଶଙ୍କା ସୃଷ୍ଟି ହୋଇଛି। ପୂର୍ବରୁ ଝାରପଡ଼ା ଜେଲର ସ୍ଥିତି ଯେଉଁ ଭଳି ଥିଲା ଏବେ ବି ସେହି ଭଳି ରହିଛି। ଆରାମରେ ଶୁଖିଲା ଖାଦ୍ୟଠାରୁ ଆରମ୍ଭ କରି ବିଡ଼ି, ଗୁଟ୍‌ଖା ଆଦି ଜେଲ ଭିତରକୁ ଯାଉଛି।

ଖୁଲମଖୁଲା ମାଦକ ଦ୍ରବ୍ୟ ଚାଲାଣ

ଜେଲ୍କୁ ଖୁଲମଖୁଲା ଚାଲାଣ ହେଉଛି ମାଦକ ଦ୍ରବ୍ୟ। ଵାର୍ଡର ସମସ୍ତଙ୍କ ସମ୍ମୁଖରେ ଯାଞ୍ଚ କରୁଛନ୍ତି ତଥାପି କେତେକ ନିର୍ଦିଷ୍ଟ ବିଚାରାଧୀନ କଏଦୀଙ୍କ ପାଇଁ ମାଦକଦ୍ରବ୍ୟ ଭିତରକୁ ଯାଉଛି। ବିଚାରଧୀନ କଏଦୀଙ୍କୁ ଭେଟିବାକୁ ଆସିଥିବା ସମ୍ପର୍କୀୟମାନେ କିଏ ହାତରେ ଶୁଖିଲା ଖାଦ୍ୟ ତ ଆଉ କେହି କେହି ବିସ୍କୁଟ, ମିକ୍ସଚର ଆଣନ୍ତି। ତେବେ ଏହା ସହିତ କେହି କେହି ଗୁଟ୍ଖା, ବିଡ଼ି, ସିଗାରେଟ୍ ଓ ଖଇନି ମଧୢ ସାଙ୍ଗରେ ଆଣିଥାନ୍ତି। ଏସବୁକୁ ଜଣେ ଵାର୍ଡର ଯାଞ୍ଚ କରନ୍ତି। କିନ୍ତୁ ଯେଉଁ ସମ୍ପର୍କୀୟମାନେ ଵାର୍ଡରଙ୍କୁ ହାତଗୁଞ୍ଜା ଦିଅନ୍ତି ସେମାନଙ୍କ ଜିନିଷପତ୍ର ସହିତ ମାଦକଦ୍ରବ୍ୟ ଭିତରକୁ ଯାଏ ବୋଲି ଅଭିଯୋଗ ହୋଇଛି।

ଜେଲ୍‌ରୁ ଅପରାଧର ବ୍ଲୁ ପ୍ରିଣ୍ଟ୍‌

ଝାରପଡ଼ା ଜେଲ୍‌ ଏବେ ଗ୍ୟାଙ୍ଗଷ୍ଟରଙ୍କ ଅପରାଧ କରିବାର ଯୋଜନାସ୍ଥଳ ପାଲଟିଛି। ଗତ ବର୍ଷ କଟକ ସଦର ଥାନା ଅଧୀନ ବାଲି ଠିକାଦାର ବିଜନ ପାଲଙ୍କ ଉପରକୁ ହୋଇଥିବା ଗୁଳିମାଡ଼ ଘଟଣାର ବ୍ଲୁ-ପ୍ରିଣ୍ଟ୍‌ ଝାରପଡ଼ା ଜେଲ୍‌ରୁ ପ୍ରସ୍ତୁତ ହୋଇଥିବା ଜଣାପଡ଼ିବା ପରେ ଜେଲ୍‌ର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି। ସେହିପରି ରାଜଧାନୀରେ ଘଟିଥିବା ଏକାଧିକ ହତ୍ୟାକାଣ୍ଡ, ଡକାୟତି, ଲୁଟପାଟ ଘଟଣାର ବ୍ଲୁ ପ୍ରିଣ୍ଟ ଝାରପଡ଼ା ଜେଲ ଭିତରୁ ହୋଇଥିବା ଜଣାପଡ଼ିଛି। ଜେଲ୍‌ କର୍ତୃପକ୍ଷ ଦୁର୍ଦାନ୍ତ ଅପରାଧୀମାନଙ୍କ ଉପରେ କଭଳି ନଜର ରଖିଛନ୍ତି ତାହା ଏଥିରୁ ସ୍ପଷ୍ଟ ହୋଇ ଯାଉଛି।ଏବେ ବି ଟୁଜି ଜାମର୍‌ରେ ଚଳୁଛି କାମ

ଜେଲ୍‌ରେ ଲାଗି ଥିବା ସିସି କ୍ୟାମେରା ଓ ୨୪ ଘଣ୍ଟିଆ ପ୍ରହରା ଏକ ପ୍ରକାର ଫାର୍ସରେ ପରିଣତ ହୋଇଛି। କଏଦୀମାନଙ୍କ ଉପରେ ନଜର ରଖିବାକୁ ସିସି କ୍ୟାମେରା ଲାଗିଛି। କିନ୍ତୁ ସେଥିରୁ ଅର୍ଧାଧିକ ଅଚଳ। ଜେଲ୍‌ ଭିତରେ ଯେଉଁ ମୋବାଇଲ୍‌ ଜାମର୍‌ ଲାଗିଛି ତାହା ବି ଟୁ-ଜି। ଅପରାଧୀମାନେ ୪-ଜି ମୋବାଇଲ୍‌ ଫୋନ୍‌ ଧରିଲେଣି। ଜେଲ ଭିତରକୁ ମୋବାଇଲ୍‌ ଫୋନ୍‌, ମାରଣାସ୍ତ୍ର ନ ପଶି ପାରିବା ଲାଗି ଲଗେଜ୍‌ ସ୍କାନର ଲାଗିବ ବୋଲି ୫ ବର୍ଷ ତଳେ ଯୋଜନା ହୋଇଥିଲା। ଯୋଜନା କେବଳ ଯୋଜନାରେ ହିଁ ରହି ଯାଇଛି। ବଡ଼ କଥା ହେଉଛି ପ୍ରତି ୩ ମାସରେ ପୁଲିସ ପକ୍ଷରୁ ଜେଲ୍‌ ଉପରେ ଅଚାନକ ଚଢ଼ଉ କରାଯିବାର ନିୟମ ଥିଲେ ମଧୢ ଏହି ନିୟମକୁ ପାଳନ କରାଯାଉନାହିଁ। ଗତ ୯ ବର୍ଷ ମଧୢରେ କମିସନରେଟ ପୁଲିସ ପକ୍ଷରୁ ଝାରପଡ଼ା ଜେଲ୍‌ ଉପରେ ମାତ୍ର ୪ ଥର ଚଢ଼ଉ କରାଯାଇଛି। ଏଭଳି ପରିସ୍ଥିତିରେ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଶାନ୍ତିଶୃଙ୍ଖଳାର ସହିତ ନିର୍ବାଚନ ଶେଷ କରିବା ଏବେ କମିସନରେଟ ପୁଲିସ ପାଇଁ କାଠିକର ପାଠ ହେବ ବୋଲି ବରିଷ୍ଠ ପୁଲିସ ଅଧିକାରୀମାନେ ମତ ପୋଷଣ କରିଛନ୍ତି।

ପାଞ୍ଚ ବର୍ଷରେ ୫ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

କିଛି ଦିନ ତଳେ କଟକ ଚୌଦ୍ବାର ଜେଲରେ ଶୁଭେନ୍ଦୁ ଦାସ ଓରଫ ଟନି ନାମକ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଥିଲା। ଜେଲ ଭିତରକୁ ମାଦକ ଦ୍ରବ୍ୟ ଚୋରା ଚାଲାଣ ଓ ମୋବାଇଲ ଫୋନ୍‌ ବ୍ୟବହାର ହେଉଥିବା ନେଇ ଟନି ଏକ ଭିଡିଓ ଛାଡ଼ିଥିଲେ। ଭିଡିଓ ଛାଡ଼ିବାର କିଛି ଦିନ ପରେ ତାଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିଲେ। ଏହାକୁ ଆଧାର କରି ଚୌଦ୍ବାର ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ପରିବାର ଲୋକଙ୍କ ଏଭଳି ଅଭିଯୋଗ ପରେ କମିସନରେଟ ପୁଲିସ ପକ୍ଷରୁ ଚୌଦ୍ବାର ଜେଲ ଉପରେ ଅଚାନକ ଚଢ଼ଉ ହୋଇଥିଲା। ଚୌଦ୍ବାର କାହିଁକି ଝାରପଡ଼ା ଜେଲରେ ମଧ୍ୟ ଗତ ୫ ବର୍ଷ ମଧ୍ୟରେ ୫ ଜଣ ବିଚାରଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ପ୍ରତ୍ୟେକ ବିଚାରଧୀନ କଏଦୀଙ୍କ ମୃତ୍ୟୁ ପରେ କମିସନରେଟ ପୁଲିସ ଯେଉଁ ଭଳି ଢଙ୍ଗରେ ତପ୍ତରତା ଦେଖାଇବା କଥା ଦେଖାଇ ନାହିଁ। ତେବେ ଏ ସମ୍ପର୍କରେ ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି, ନିର୍ବାଚନ ଆୟୋଗଙ୍କ ନିର୍ଦେଶ ଅନୁଯାୟୀ,ଖୁବ୍ ଶୀଘ୍ର ଝାରପଡ଼ା ଜେଲ ଉପରେ ଚଢ଼ଉ କରାଯିବ।