ଜଗତସିଂହପୁରରେ ଜିତିବ କିଏ? ମୈଦାନରେ ତ୍ରିମୁଖୀ ଲଢେଇ । ଉପକୂଳ ଓଡିଶାର ଏହି ଆସନ ଉପରେ ରହିଛି ବିଜେଡି, କଂଗ୍ରେସ ଓ ବିଜେପିର ନଜର ।

କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବୀ ବିଶ୍ୱାଳଙ୍କୁ ଟକ୍କର ଦେଉଛନ୍ତି ବିଜେଡିର ପ୍ରଶାନ୍ତ ମୁଦୁଲି ଓ ବିଜେପିର ସତ୍ୟ ମହାପାତ୍ର; ଗଡ ରକ୍ଷା ପାଇଁ କଂଗ୍ରେସର ଉଦ୍ୟମ

426

କନକ ବ୍ୟୁରୋ: ଚତୁର୍ଥ ପର୍ଯ୍ୟାୟରେ ଜଗତସିଂହପୁର ବିଧାନସଭା ଆସନରେ ପଡିବ ଭୋଟ୍ । ଏଥର ଜଗତସିଂହପୁର ବିଧାନସଭା ଆସନରେ ହେଉଛି ତ୍ରିମୁଖୀ ଲଢେଇ । ଉପକୂଳ ଓଡିଶାର ଏହି ଚର୍ଚ୍ଚିତ ଆସନରେ ଏଥର ବିଜେଡି , ବିଜେପି ଓ କଂଗ୍ରେସ ମଧ୍ୟରେ ହେଉଛି କଡା ଟକ୍କର । ଗଡ ଦଖଲ ପାଇଁ କଂଗ୍ରେସ ପ୍ରାର୍ଥୀ ଚିରଂଜୀବ ବିଶ୍ୱାଳ, ବିଜେଡିର ପ୍ରଶାନ୍ତ ମୁଦୁଲି ଓ ବିଜେପିର ସତ୍ୟବ୍ରତ ମହାପାତ୍ର ପ୍ରଚାର ମୈଦାନରେ ବଳ କଷୁଛନ୍ତି ।

ଜଗତସିଂହପୁରରେ ଜିତିବ କିଏ? ମୈଦାନରେ ତ୍ରିମୁଖୀ ଲଢେଇ । ଉପକୂଳ ଓଡିଶାର ଏହି ଆସନ ଉପରେ ରହିଛି ବିଜେଡି, କଂଗ୍ରେସ ଓ ବିଜେପିର ନଜର । ୨୦୧୪ ରେ ଜଗତସିଂହପୁର ଆସନରୁ ଜିତି ବିଧାନସଭାକୁ ଆସିଥିଲେ ଚିରଂଜୀବ ବିଶ୍ୱାଳ । ଏଥର ପୁଣି ଥରେ ସେ ଟିକଟ ପାଇବା ପର ଠାରୁ ସମର୍ଥକଙ୍କ ସହିତ ସେ ପ୍ରଚାର ଜୋର୍ଦାର କରିଛନ୍ତି । ଗାଁଆକୁ ଗାଁଆ ବୁଲି ପ୍ରଚାର କରିବା ସହ ଭୋଟ୍ ମାଗୁଛନ୍ତି । ସେପଟେ ବିଜେଡି ଏଠାରେ ପ୍ରଶାନ୍ତ ମୁଦୁଲିଙ୍କୁ ଟିକଟ ଦେଇଛି । ବିଜେପି ଟିକଟରୁ ଲଢୁଛନ୍ତି ସତ୍ୟବ୍ରତ ମହାପାତ୍ର । ତେଣୁ ଏଥର ଜଗତସିଂହପୁରରେ ଲଢେଇ ଜୋରଦାର ହେବା ନିଶ୍ଚିତ ।

ଜଗତସିଂହପୁର ବିଧାନସଭା ଆସନରେ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନିଜେ ପ୍ରଚାର କରି ଯାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ମଳ ଭାବମୂର୍ତି ଓ ବିକାଶକୁ ପାଥେୟ କରି ଭୋଟ୍ ମାଗୁଛନ୍ତି ପ୍ରଶାନ୍ତ ମୁଦୁଲି । ସେପଟେ ଜଗତସିଂହପୁରର ସ୍ଥାନୀୟ ପ୍ରାର୍ଥୀ ସତ୍ୟବ୍ରତ ମହାପାତ୍ରଙ୍କୁ ଟିକଟ ଦେଇ କଂଗ୍ରେସ ଓ ବିଜେଡିକୁ ଟକ୍କର ଦେବାକୁ ଉଦ୍ୟମ କରିଛି ବିଜେପି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ହାୱା ଓ ପରିବର୍ତନର ହାୱାରୁ ବିଜେପି ଏଠାରେ ବାଜି ମାରିବ ବୋଲି ଆଶାବାଦୀ ଅଛନ୍ତି ସତ୍ୟବ୍ରତ । ତେବେ ଉପକୂଳ ଓଡିଶାର ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଆସନ ଜଗତସିଂହପୁର । ଆସନ୍ତା ୨୯ ତାରିଖରେ ଏଠାରେ ପଡିବ ଭୋଟ୍ । ମେ ୨୩ ରେ ସ୍ପଷ୍ଟ ହେବ ତ୍ରିମୁଖୀ ଲଢେଇରେ ବାଜି ମାରୁଛି କିଏ ।