କନକ ବ୍ୟୁରୋ: କଂଗ୍ରେସ ଦଳରେ ବାପ-ପୁଅଙ୍କୁ ଟିକେଟ୍ ମିଳିବା ପ୍ରସଙ୍ଗ ଚର୍ଚ୍ଚାରେ ରହିଛି। ଏଆଇସିସି ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ରହିଛି ଦୁଇ ବାପ-ପୁଅ ଯୋଡ଼ିଙ୍କ ନାମ। ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଆହୁରି ଅନେକ ବାପ-ପୁଅ ଯୋଡ଼ିଙ୍କୁ ଦେଖିବାକୁ ମିଳିପାରେ। ବିଜେପିରେ ବି ଏହାର ଛାଇ ପଡିଛି। ସ୍ବାମୀ-ସ୍ତ୍ରୀଙ୍କୁ ପ୍ରାର୍ଥୀ କରିଛି ଦଳ। ବିଜେଡିରେ କିନ୍ତୁ ବାପ-ପୁଅ ରାଜନୀତି ସ୍ବତନ୍ତ୍ର ଓ ରୋଚକ ବି। ବାପ-ପୁଅ ଏକାଠି ରହୁଛନ୍ତି କିନ୍ତୁ ଭିନ୍ନ ଭିନ୍ନ ଦଳରେ ରହି ରାଜନୀତି କରୁଛନ୍ତି। ଏକଦା ଓଡ଼ିଶା ରାଜନୀତିରେ ପରିବାରବାଦ କଥା ଉଠିବା ମାତ୍ରେ କଂଗ୍ରେସ ବିରୋଧରେ ସବୁ ବେଳେ ସଙ୍ଗିନ ଅଭିଯୋଗ ଆସୁଥିଲା। ଅନ୍ୟ ରାଜନୈତିକ ଦଳ ଏହାକୁ ପ୍ରସଙ୍ଗ କରିବାକୁ ବି ପଛାଉ ନଥିଲେ। ବର୍ତମାନ କିନ୍ତୁ ରାଜ୍ୟର ତିନି ପ୍ରମୁଖ ଦଳର ଚେହେରାକୁ ନିରେଖି ଦେଖିଲେ, କଂଗ୍ରେସ ଠାରୁ ଅନ୍ୟମାନେ ଏ କ୍ଷେତ୍ରରେ ଢେର୍ ଆଗେଇ ଗଲେଣି। କଂଗ୍ରେସ ବି ସୁଧୁରିନି।
ଏଇ ଯେମିତି କଂଗ୍ରେସ ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ବଲାଙ୍ଗୀର ବିଧାନସଭାରୁ ଲଢିବେ ବୋଲି ଘୋଷଣା ହୋଇଛି। ତାଙ୍କ ପୁଅ ହେବେ ବଲାଙ୍ଗୀର ଲୋକସଭା ପ୍ରାର୍ଥୀ। କଳାହାଣ୍ଡି ଜିଲ୍ଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ ସାଂସଦ ପ୍ରାର୍ଥୀ ଓ ପୁଅ ସାଗର ଦାସ ଭବାନୀପାଟଣା ବିଧାନସଭା ଆସନ ପାଇଁ ଲଢିବେ। ସୁନ୍ଦରଗଡ ଲୋକସଭା ଆସନରୁ କେଂଗ୍ରସ ପ୍ରାର୍ଥୀ ହେଉଛନ୍ତି ବିଧାୟକ ଜର୍ଜ ତିର୍କୀ। ତାଙ୍କ ପୁଅ ରୋହିତ ଯୋଶେଫ ତିର୍କିଙ୍କୁ ଦଳ ବୀରମିତ୍ରପୁରରୁ ପ୍ରାର୍ଥୀ କରିଛି। ଏହି ଧାରା ଏତିକିରେ ସରିନାହିଁ। ଯାହା ଚର୍ଚ୍ଚା ହେଉଛି, ତାହା ଯଦି ସତ ହୁଏ, ତେବେ ଆଗକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ ଓ ତାଙ୍କ ପୁଅ ଶ୍ରୀ ଚିରଞ୍ଜୀବ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ତାଙ୍କ ପୁଅ ସଂଗ୍ରାମ ଜେନା ଯୋଡିଙ୍କ ନାମ କଂଗ୍ରେସ ତାଲିକାରେ ସ୍ଥାନ ପାଇପାରେ। ପାରିବାରିକ ରାଜନୀତି ଚର୍ଚ୍ଚାରେ ବିଜେପିର ପତି-ପତ୍ନୀ ଯୋଡ଼ିଙ୍କ ନାମ ସବୁବେଳେ ଥାଏ। ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ ପାଟଣା ବିଧାନସଭା ଆସନ ପାଇଁ ଟିକେଟ୍ ପାଇଛନ୍ତି ଓ ତାଙ୍କ ପତ୍ନୀ ସଙ୍ଗୀତା ସିଂହଦେଓଙ୍କୁ ବିଜେପିରୁ ବଲାଙ୍ଗୀର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରାଯାଇଛି।
ଏହି କ୍ରମରେ ଦେଖିଲେ ବିଜେଡିରେ ଗୋଟିଏ କଥା ଦେଖିବାକୁ ମିଳୁଛି ଯେ ଅନେକ ବାପା ସେମାନଙ୍କ ପୁଅ ପାଇଁ ଆସନ ଛାଡିଛନ୍ତି। ଚଳିତ ନିର୍ବାଚନ ପ୍ରକ୍ରିୟାରେ ମଧ୍ୟ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଓ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ନିଜ ପୁଅ ପାଇଁ ଆସନ ଛାଡିବାକୁ ଚାହିଛନ୍ତି। ଏହାଭିନ୍ନ ବିଜେଡିରୁ ବରଗଡ଼ ଲୋକସଭା ଆସନ ପାଇଁ ଦାଦା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟିକେଟ୍ ମିଳିଥିବା ବେଳେ ତାଙ୍କ ପୁତୁରା ଦେବେଶ ଆଚାର୍ଯ୍ୟଙ୍କୁ ମିଳିଛି ବରଗଡ଼ ବିଧାନସଭା ଆସନ ପାଇଁ ଟିକେଟ୍। ବିଧାୟକ ମନୋହର ରନ୍ଧାରୀ ଓ ତାଙ୍କ ଭଉଣୀ ପଦ୍ମିନୀ ଦିଆନଙ୍କୁ ବି ଟିକେଟ୍ ମିଳିଛି।
ହେଲେ ଯେଉଁ ପ୍ରସଙ୍ଗଟି ବିଜେଡିକୁ ଅଧିକ ଚର୍ଚ୍ଚାକୁ ଆଣିଛି, ତାହା ହେଲା ଗୋଟିଏ ଦଳ ନୁହେଁ, ବରଂ ବାପ-ପୁଅ ଭିନ୍ନ ଭିନ୍ନ ଦଳରେ ରହି ନିର୍ବାଚନ ରଣନୀତି ନିର୍ଧାରଣ କରିବେ। କିଛି ଦିନ ତଳେ ପୂର୍ବତନ ମନ୍ତ୍ରୀ ପ୍ରଶାନ୍ତ ନନ୍ଦଙ୍କୁ ବିଜେଡି ରାଜ୍ୟସଭା ପଠାଇଥିଲା। ହେଲେ ତାଙ୍କ ପୁଅ ଋଷଭ ନନ୍ଦ ନିକଟରେ ବିଜେପିରେ ଯୋଗଦେଇଛନ୍ତି। ଗୋଟିଏ ନିର୍ବାଚନମଣ୍ଡଳୀରୁ ଗୋଟିଏ ପରିବାରରୁ ପୃଥକ୍ ପୃଥକ୍ ରଣନୀତି କିଭଳି ନିର୍ଧାରଣ କରାଯିବ, ତାହା ଦଳୀୟ ନେତାଙ୍କୁ ଚିନ୍ତାରେ ପକାଇଲାଣି କି ନାହିଁ, ତାହା ଅଲଗା କଥା। ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କିନ୍ତୁ ଏହି ଘଟଣାରେ ଆଚମ୍ବିତ।
ସେମିତି ବିଜେଡି ଛାଡି ବିଜେପିକୁ ଚାଲିଯାଇଛନ୍ତି ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ସେ ଏରସମା ବାଲିକୁଦା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ପୁଅ ସମ୍ବିତ କିନ୍ତୁ ବିଜେଡି ସଂଗଠନରେ ଅଛନ୍ତି। ପାରାଦୀପ ଆସନ ଉପରେ ତାଙ୍କର ଆଖି ରହିଛି। ଦଳ ତାଙ୍କୁ ପ୍ରାର୍ଥୀ କରୁ କି ନ କରୁ, ଗୋଟିଏ ପରିବାରରୁ କିଭଳି ଏହି ଆସନରେ ଗୋଟିଚାଳନା ହେବ ତାହା ଦେଖିବା କଥା। ସେହିଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ଜଣେ ଆଗଧାଡିର କଂଗ୍ରେସ ନେତା। ତାଙ୍କ ଝିଅ ସୁନୀତା ବିଶ୍ବାଳଙ୍କୁ ବିଜେଡି ସୁନ୍ଦରଗଡ ଲୋକସଭା ଆସନରେ ପ୍ରାର୍ଥୀ କରିଛି। ହେଲେ ଆଉ ଜଣେ ଝିଅ ଅମିତା ବିଶ୍ବାଳ ଏବେ ସୁନ୍ଦରଗଡ ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଆସନରେ ମଧ୍ୟ ଅନୁରୂପ ଚିତ୍ର ଦେଖିବାକୁ ମିଳିଛି। ବିଜେଡି ସେଠାରେ ପୂର୍ଣ୍ଣଚନ୍ଦ୍ର ବାକାଙ୍କୁ ପ୍ରାର୍ଥୀ କରିଛି। ତାଙ୍କ ଝିଆରୀ ତଥା ମାଥିଲି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ନାୟକଙ୍କୁ କଂଗ୍ରେସ ଦେଇଛି ଟିକେଟ। କୌତୂହଳର କଥା ହେଲା, ଏହି ପରିବାରର ଅନ୍ୟ ଜଣେ ସଦସ୍ୟା ହେଉଛନ୍ତି ପୂର୍ଣ୍ଣଚନ୍ଦ୍ରଙ୍କ ଝିଅ ଶାନ୍ତିଲତା ମାଝୀ। ଗତ ପଞ୍ଚାୟତ ନିର୍ବାଚନରେ ଶାନ୍ତିଲତା ବିଜେପି ପକ୍ଷରୁ ଜିଲ୍ଲା ପରିଷଦ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ସେ ଏମାନଙ୍କ ବିରୋଧରେ ପ୍ରଚାର କରିବେ ବୋଲି ଜଣାପଡ଼ିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/bjd-aa-1-1.jpg)
/kanak/media/post_attachments/wp-content/uploads/2019/03/BAPA-PUA-300x169.jpg)
/kanak/media/post_attachments/wp-content/uploads/2019/03/BOLANGIR-750x430-1-300x172.jpg)
/kanak/media/post_attachments/wp-content/uploads/2019/03/CHITRAKONDA-750x430-1-300x172.jpg)