କଂଗ୍ରେସର ମହିଳା ପ୍ରାର୍ଥିତ୍ୱ ଅଙ୍କ ଛିଡୁନି : ଅବଶିଷ୍ଟ ଆସନ ପାଇଁ ସ୍କ୍ରିନିଂ କମିଟିର ତନାଘନା, ଆଜି ସିଇସି ବୈଠକ, ପରେ ପ୍ରାର୍ଥୀ ଘୋଷଣା

ଆଉ ୨ ଲୋକସଭା, ୫୪ ବିଧାନସଭା ପ୍ରାର୍ଥୀ ଘୋଷଣା

80

କନକ ବ୍ୟୁରୋ: ଶୁକ୍ରବାର ରାତିରେ ଏଆଇସିସି ଓଡ଼ିଶାର ୨ଟି ଲୋକସଭା ଓ ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା। ଏଥିରେ କୋରପୁଟ ଲୋକସଭା ଆସନରୁ ସପ୍ତଗିରି ଉଲ୍ଲାକା ଓ ବଲାଙ୍ଗୀର ଲୋକସଭା ଆସନ ପାଇଁ ସମରେନ୍ଦ୍ର ମିଶ୍ରଙ୍କ ନାମ ରହିଛି। ସମରେନ୍ଦ୍ର ହେଉଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପୁତ୍ର। ତେବେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା ବାକି ରହିଛି। ଏହି ତାଲିକାକୁ ଚୂଡ଼ାନ୍ତ କରିବା ପାଇଁ ଗତକାଲି ନୂଆଦିଲ୍ଲୀରେ ସ୍କ୍ରିନିଂ କମିଟି ପକ୍ଷରୁ ମାରାଥନ୍ ବୈଠକ ଜାରି ରହିଛି। ବୈଠକ ପରେ ପ୍ରାର୍ଥୀ ତାଲିକା କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି)କୁ ପଠାଯିବ। ଆଜି ସିଇସି ବୈଠକ ବସିବ। ସେଥିରେ ସ୍କ୍ରିନିଂ କମିଟି ଚୂଡ଼ାନ୍ତ କରିଥିବା ପ୍ରାର୍ଥୀ ତାଲିକାକୁ ସିଇସି ଅନୁଧ୍ୟାନ କରି ଅନୁମୋଦନ କରିବା ପରେ ପ୍ରାର୍ଥୀମାନଙ୍କ ନାମ ଘୋଷଣା ହେବ।

ଏଆଇସିସି ଘୋଷଣା କରିଥିବା ବିଧାନସଭା ଆସନଗୁଡ଼ିକ ପାଇଁ ବର୍ତମାନର ବିଧାୟକମାନଙ୍କୁ ପ୍ରାର୍ଥୀ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ତଲସରା ଆସନରେ ଡା. ପ୍ରଫୁଲ୍ଲ ମାଝୀ, ଆଳି ଆସନରୁ ଦେବେନ୍ଦ୍ର ଶର୍ମା, ରାଜନଗର ଆସନରୁ ଅଂଶୁମାନ ମହାନ୍ତି, ପାରଳାଖେମୁଣ୍ଡିରୁ କେ.ସୂର୍ଯ୍ୟ ରାଓ, ଲକ୍ଷ୍ମୀପୁରରୁ କୈଳାସ କୁଲେସିକା, କୋଟପାଡ଼ରୁ ଚନ୍ଦ୍ରଶେଖର ମାଝୀ, ଜଗତ୍ସିଂହପୁରରୁ ଚିରଞ୍ଜୀବ ବିଶ୍ବାଳ ପ୍ରମୁଖ। ଦଳର ପୁରୁଖା ନେତା ଜୟଦେବ ଜେନା, ସୁରେଶ ରାଉତରାୟ, ପ୍ରସାଦ ହରିଚନ୍ଦନ, ସନ୍ତୋଷ ସିଂହ ସାଲୁଜା, ସୁରେନ୍ଦ୍ର ସିଂହ ଭୋଇ, ରିପୁନାଥ୍ ସେଠଙ୍କୁ ମଧ୍ୟ ସୁଯୋଗ ମିଳିଛି। ଜେଲରେ ଥିବା ମାଓବାଦୀ ନେତା ସବ୍ୟଶାଚୀ ପଣ୍ଡାଙ୍କ ପତ୍ନୀ ଶୁଭଶ୍ରୀ ପଣ୍ଡା(ମିଲି)ଙ୍କୁ ଟିକେଟ୍ ଦିଆଯାଇଥିବା ବେଳେ ପୂର୍ବତନ ମହିଳା କଂଗ୍ରେସ ସଭାନେତ୍ରୀ ସୁସ୍ମିତା ବେହେରାଙ୍କୁ ବି ପ୍ରାର୍ଥୀ କରାଯାଇଛି।

ସିଇସି ପ୍ରାର୍ଥୀ ତାଲିକା ଅନୁମୋଦନ କରିବା ପରେ ଏଆଇସିସି ପକ୍ଷରୁ ୨ଟି ଲୋକସଭା ଓ ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରାଯାଇଥିଲା। ଗତ ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଘୋଷିତ ପ୍ରାର୍ଥୀ ତାଲିକା ଅନୁଯାୟୀ ୬ଟି ଲୋକସଭା ଓ ୩୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରାଯାଇଥିଲା। ଏହାକୁ ମିଶାଇ ୨ଟି ପର୍ଯ୍ୟାୟରେ ମୋଟ ୮ଟି ଲୋକସଭା ଓ ୯୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇସାରିଛି।

ତେବେ ପରବର୍ତୀ ପର୍ଯ୍ୟାୟ ପାଇଁ ଚାଲିଥିବା ପ୍ରାର୍ଥୀ ଚୟନ କସରତ ସଂପର୍କରେ ସୂଚନା ଦେଇ ପିସିସି କାର‌୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି, ସ୍କ୍ରିନିଂ କମିଟି ପକ୍ଷରୁ ରାତି ସୁଦ୍ଧା ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରି ସିଇସିକୁ ପଠାଯିବ। ଆଜି ଓଡ଼ିଶା ପାଇଁ ସିଇସି ବୈଠକ ବସିବ। ଅନ୍ୟପକ୍ଷରେ ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ସୁପାରିସ ସତ୍ତ୍ବେ ଅଦ୍ୟାବଧି ଘୋଷିତ ୮ଟି ଲୋକସଭା ଆସନରେ ଜଣେ ବି ମହିଳାଙ୍କୁ ପ୍ରାର୍ଥୀ ଭାବେ ଛିଡ଼ା କରାଇନାହିଁ କଂଗ୍ରେସ ଦଳ। ସେପଟେ ଦଳରେ ମହିଳା ପ୍ରତିନିଧିତ୍ବ ସ୍ବର ଜୋରଦାର ଶୁଭୁଥିବାରୁ ଓଡ଼ିଶା ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା, ବରିଷ୍ଠ କଂଗ୍ରେସ ନେତ୍ରୀ ବିଜୟଲକ୍ଷ୍ମୀ ସାହୁ ପ୍ରମୁଖ ନିଜ ନିଜ ସମର୍ଥକମାନଙ୍କ ସହିତ ଦିଲ୍ଲୀରେ ଡେରା ପକାଇଛନ୍ତି। ଏହା କଂଗ୍ରେସ ନେତା ଓ କର୍ମକର୍ତାମାନଙ୍କ ଉପରେ ଉପରେ ଚାପ ସୃଷ୍ଟି କରୁଛି। ଏହି ପ୍ରସଙ୍ଗ ଗୁରୁତ୍ବ ବହନ କରୁଥିଲେ ବି ମହିଳା ପ୍ରାର୍ଥୀଙ୍କ ପାଇଁ ଅଙ୍କକଷା ଛିଡ଼ୁନଥିବା ଚର୍ଚା ହେଉଛି। କେବଳ ମହିଳା ପ୍ରାର୍ଥୀ ପ୍ରସଙ୍ଗ ନୁହେଁ, ଅନ୍ତିମ ପର୍ଯ୍ୟାୟର ସ୍କ୍ରିନିଂ କମିଟି ଓ ସିଇସି ବୈଠକ ଉପରେ ରହିଛି ସମସ୍ତଙ୍କର ନଜର।