ଓଡିଶାରେ କଂଗ୍ରେସ-ଜେଏମଏମ୍ ମେଣ୍ଟ ଚୂଡାନ୍ତ: ୩ ବିଧାନସଭା ଆସନରେ ମେଂଟ ପ୍ରାର୍ଥୀ, ଦୁଇ ଆସନରେ ଦେଖିବାକୁ ମିଳିବ ବନ୍ଧୁତ୍ୱପୂର୍ଣ୍ଣ ଲଢେଇ

207

କନକ ବ୍ୟୁରୋ: ଜାତୀୟ ସ୍ତରରେ ହୋଇଥିବା ମହାମେଂଟ ଆଧାରରେ ଓଡିଶାରେ ମଧ୍ୟ କଂଗ୍ରେସ-ଜେଏମଏମ ମଧ୍ୟରେ ମେଂଟ ପ୍ରାୟତଃ ଚୂଡାନ୍ତ ହୋଇଛି । ଝାଡଖଣ୍ଡରେ ଉଭୟ ଦଳ ମଧ୍ୟରେ ମେଂଟ ଚୂଡାନ୍ତ ହେବା ପରେ ଓଡିଶାର ମୟୂରଭଂଜ ଏବଂ ସୁନ୍ଦରଗଡ ଜିଲ୍ଲାରେ ଦୁଇ ଦଳ ମଧ୍ୟରେ ଆସାନ ବୁଝାମଣା ହୋଇଛି । ଜେଏମଏମକୁ ମୟୂରଭଂଜ ଲୋକସଭା ସମେତ ଜିଲ୍ଲାର ବାଙ୍ଗିରିପୋଷି, ରାଇରଙ୍ଗପୁର ଏବଂ ସାରସକଣା ବିଧାନସଭା ଆସନବକୁ ଜେଏମଏମକୁ ଛାଡିଛି କଂଗ୍ରେସ । ଏହା ସହିତ ମୟୂରଭଂଜର ମୋରଡା ଏବଂ ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଆସନରେ ଦୁଇ ଦଳ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଲଢେଇ ହେବା ନେଇ ଜେଏମଏମ ସୂଚନା ଦେଇଛି ।

ତେବେ ଏନେଇ ବିଧିବଦ୍ଧ ଘୋଷଣା ଆସନ୍ତା ୨୯ରେ ହେବ । ଭୁବନେଶ୍ୱରରେ ଉଭୟ ଦଳ ମିଳିବ ସାମ୍ବାଦିକ ସମ୍ମିଳନୀ କରି ଏସଂପର୍କରେ କରିବେ ବୋଲି ଜେଏମଏମ ରାଜ୍ୟ ସଭାପତି ମହେଶ ହେମ୍ବ୍ରେମ ସୂଚନା ଦେଇଛନ୍ତି । ତେବେ ମୟୂରଭଂଜ ଲୋକସଭା ଆସନରେ ଜେଏମଏମ ପକ୍ଷରୁ ଦଳର ସୁପ୍ରିମୋ ଶିବୁ ସୋରେନଙ୍କ କନ୍ୟା ଅଂଜନୀ ସୋରେନଙ୍କୁ ପ୍ରାର୍ଥୀ କରାଯିବା ଏକ ପ୍ରକାର ଚୂଡାନ୍ତ ହୋଇସାରିଛି । ସେ ମେଂଟ ପ୍ରାର୍ଥୀ ହେବେ । ମାତ୍ର ଜିଲ୍ଲାର ଏକମାତ୍ର ଅଣସଂରକ୍ଷିତ ଆସନ ମୋରଡାରେ ଉଭୟ ଦଳ ବନ୍ଧୁତ୍ୱପୂର୍ଣ୍ଣ ଲଢେଇ କରିବେ । ଯାହାକି ଉଭୟ ଦଳକୁ ଦ୍ୱନ୍ଦ୍ୱରେ ପକେଇଛି । ସାଂସଦ ପ୍ରାର୍ଥୀ ମେଂଟରୁ ହୋଇଥିବା ବେଳେ ସଂସଦୀୟ କ୍ଷେତ୍ରରେ ଏକ ଆସନରେ ବନ୍ଧୁତ୍ୱପୂର୍ଣ୍ଣ ଲଢେଇ ପୁରା ଜିଲ୍ଲାରେ ଉଭୟ ଦଳର କର୍ମୀଙ୍କୁ ଅଡିଆରେ ପକେଇଦେଇଛି ।

ଏହାକୁ ନେଇ ଜିଲ୍ଲା କଂଗ୍ରେସରେ କ୍ରମଶଃ ଅସନ୍ତୋଷ ବଢି ବଢି ଚାଲିଛି । ଜିଲ୍ଲା କଂଗ୍ରେସର ଅନେକ ବରିଷ୍ଠ ନେତା ଏପରି ମେଂଟ ନୀତିକୁ ପସନ୍ଦ କରୁନଥିବା ଜଣାପଡିଛି । ଏନେଇ ପିସିସି ସଭାପତିଙ୍କୁ ମଧ୍ୟ ଅବଗତ କରାଯାଇଥିବା ଜଣେ ବରିଷ୍ଠ କଂଗ୍ରେସ ନେତା ସୂଚନା ଦେଇଛନ୍ତି । ସେହିପରି ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ଆସନରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । କଂଗ୍ରେସ ନେତା ତଥା ସୁନ୍ଦରଗଡ ସାଂସଦ ପ୍ରାର୍ଥୀ ଜର୍ଜ ତିର୍କୀଙ୍କ ପୁଅ ରୋହିତ ଜୋସେଫ ତିର୍କୀଙ୍କୁ ଏହି ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଛି । ତେଣୁ ଉଭୟ ଦଳ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଲଢେଇ ବେଶ୍ ରୋଚକ ହେବ ବୋଲି ଚର୍ଚା ହେଉଛି ।