କନକ ବ୍ୟୁରୋ: ବିଜୟ-ଦିଲ୍ଲୀପ ଯୋଡ଼ି ଭାଙ୍ଗିଗଲା କି ? ଦିଲ୍ଲୀପଙ୍କ ଅଗୋଚରରେ ବିଜୟ କ’ଣ ବିଜେପିକୁ ଫେରିବାର ନିଷ୍ପତ୍ତି ନେଇଗଲେ ? ସେମିତି ବିଜୟଙ୍କ ଅଜାଣତରେ ଦିଲ୍ଲୀପ କ’ଣ ନବୀନ ନିବାସ ଯାଇ ଆଲୋଚନା କରିଥିଲେ ? ଓଡ଼ିଶା ରାଜନୀତିର ଏହି ଚର୍ଚ୍ଚିତ ଯୋଡ଼ିକୁ ଭାଙ୍ଗିଲା କିଏ ?

Advertisment

publive-image

ବିଜୟଙ୍କ ବିଜେପି ପ୍ରତ୍ୟାବର୍ତ୍ତନ ଓ ଦିଲ୍ଲୀପଙ୍କ ନିରବତାକୁ ନେଇ ଏବେ ଓଡ଼ିଶା ରାଜନୈତିକ ମହଲରେ ଏମିତି ପ୍ରଶ୍ନ ଉଙ୍କିମାରୁଛି। ବିଜୟ ଓ ଦିଲ୍ଲୀପ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ପରି। ଅନେକ ରାଜନୈତିକ ନିଷ୍ପତ୍ତି ଉଭୟ ମିଳିତ ଭାବେ ନିଅନ୍ତି। ଅନେକ ପ୍ରସଙ୍ଗରେ ଉଭୟଙ୍କର କଥା ଓ ଆଭିମୁଖ୍ୟ ସମାନ ଥାଏ। ଏମିତି କ’ଣ ଘଟିଲା ଯେ ଉଭୟଙ୍କ ଅଲଗା ଅଲଗା ରାସ୍ତା ବାଛିବାକୁ ବାଧ୍ୟ ହେଲେ ନା ଦିଲ୍ଲୀପ ପୁଣି ବିଜୟଙ୍କ ରାସ୍ତାରେ ଯିବେ ?

publive-image

୨୦୦୯ ମାର୍ଚ୍ଚ ମାସରେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଏକା ସଙ୍ଗେ ବିଜେପିରେ ଯୋଗ ଦେଇଥିଲେ। ୨୦୧୮ ନଭେମ୍ବର ୩୦ ତାରିଖରେ ଉଭୟ ଏକା ସଙ୍ଗେ ବିଜେପିରୁ ଇସ୍ତଫା ଦେଇଥିଲେ। ବିଭିନ୍ନ ପ୍ରସଙ୍ଗରେ ଉଭୟ ବିଜେପି ବିରୋଧରେ ବିଷୋଦଗାର କରିଥିଲେ। ବିଜେପିରୁ ଇସ୍ତଫା ଦେଲା ପରେ ଉଭୟ ବିଜେଡିକୁ ଯିବେ ବୋଲି ଚର୍ଚ୍ଚା ଜୋର୍ ଧରିଥିଲା। ଗତ ୨୩ ତାରିଖରେ ଦିଲ୍ଲୀପ ନବୀନ ନିବାସ ବି ଯାଇଥିଲେ। ତାହା ପରେ ସେ ବିଜେଡିରେ ଯୋଗ ଦେବେ ବୋଲି ଆଲୋଚନା ଚାଲିଲା। କିନ୍ତୁ ତାହା ପରେ ନା ଦିଲ୍ଲୀପ ନା ତାଙ୍କ ସମର୍ଥକ, କେହି ଏହି ପ୍ରସଙ୍ଗରେ ମୁହଁ ଖୋଲିଲେ ନାହିଁ। ଏପରିକି ଦିଲ୍ଲୀପ ନବୀନ ନିବାସ ଯିବା ନେଇ ତାଙ୍କ ପାଖରେ ଖବର ନ ଥିବା ବିଜୟ କହିଥିଲେ।

publive-image

ନିର୍ବାଚନ ଆଉ କମ୍ ଦିନ ରହିଛି। ଦିଲ୍ଲୀପଙ୍କ ନିଜ ନିର୍ବାଚନମଣ୍ଡଳୀରେ ଦ୍ବିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବ। ସେଠାରେ ପ୍ରଚାର ଜୋର୍‌ଦାର୍  ଚାଲୁ ରହିଛି। କିନ୍ତୁ ଦିଲ୍ଲୀପ ଏ ପର୍ଯ୍ୟନ୍ତ ରହସ୍ୟଜନକ ଭାବେ ନିରବ ରହିଛନ୍ତି। ଗତକାଲି ବିଜୟଙ୍କ ଯୋଗଦାନ ପରେ ଦିଲ୍ଲୀପ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ରାଜନୈତିକ ମହଲର ନଜର ରହିଛି। ତେବେ ସମୟ କମ୍ ଥିବାରୁ ଚଳିତ ନିର୍ବାଚନରେ ଦିଲ୍ଲୀପ ଅଧିକ ସକ୍ରିୟ ହେବାର ସମ୍ଭାବନା କମ୍ ବୋଲି ଆକଳନ କରାଯାଉଛି।

ଇସ୍ତଫା ଦେଲା ବେଳେ ମୁହାଁମୁହିଁ ହୋଇଥିଲେ

୨୦୧୮ ନଭେମ୍ବର ୩୦ ତାରିଖରେ ବନ୍ଧୁ ଦିଲ୍ଲୀପ ରାୟଙ୍କ ସହ ବିଜୟ ମହାପାତ୍ର ବିଜେପିରୁ ଇସ୍ତଫା ଦେଇଥିଲେ। ତାହା ପରେ ଗଣମାଧ୍ୟମରେ ବିଜେପି ଓ ରାଜ୍ୟ ନେତୃତ୍ବ ଉପରେ ବିଜୟ ଭୀଷଣ ବର୍ଷିଥିଲେ। କହିଥିଲେ, ଦଳର ମୁଖଶାଳା ବଡ଼, ହେଲେ ମନ୍ଦିର ‌େଛାଟ। ଏଠି ରାଜ୍ୟର ସ୍ବାର୍ଥ ପାଇଁ କାହାର ଚିନ୍ତା ନାହିଁ। ନିଜ ନିଜର ସ୍ବାର୍ଥ ରକ୍ଷା ପାଇଁ ଆତ୍ମଘୋଷିତ ବଡ଼ ନେତାମାନେ ଚିନ୍ତିତ। ୧୨୦+ ମିସନ୍ ସମ୍ପୂର୍ଣ୍ଣ ଭୁଲ ଆକଳନ। ଘରୋଇ ଭାବେ ଆଲୋଚନା କାଳରେ ଦଳର ସମସ୍ତେ ଏହାକୁ ସ୍ବୀକାର କରିଛନ୍ତି। ୨୦୦୯ ମସିହାରେ ବିଜେପିରେ ତରବରିଆ ଭାବେ ଯୋଗ ଦେବା ତାଙ୍କର ମସ୍ତବଡ଼ ଭୁଲ ନିଷ୍ପତ୍ତି ଥିଲା। ବିଜେପିରେ ସବୁ ଜିନିଷ ଚରମସୀମାରେ ପହଞ୍ଚିଯାଇଥିଲା। ଓଡ଼ିଶାର ସ୍ବାର୍ଥ ପ୍ରସଙ୍ଗ ଉଠାଇଲେ ତାହାକୁ ଭିନ୍ନ ଚିତ୍ରଣ କରାଯାଉଥିଲା। ଏହା ପଛ‌େର ଅହଙ୍କାରୀ ଓ ଆତ୍ମଘୋଷିତ ବଡ଼ ନେତାଙ୍କ ଚକ୍ରାନ୍ତ ଥିଲା। ଏ ସମ୍ପର୍କରେ ବହୁବାର ପ୍ରଧାନମନ୍ତ୍ରୀ, ଅମିତ ଶାହ ଓ କେନ୍ଦ୍ରୀୟ ନେତୃବର୍ଗଙ୍କୁ ଜଣାଇଥି‌େଲ ବି ସୁଫଳ ମିଳିଲା ନାହିଁ। ଦଳ ଛାଡ଼ିବା ବ୍ୟତୀତ ତାଙ୍କ ପାଇଁ ଅନ୍ୟ କିଛି ରାସ୍ତା ନ ଥିଲା।

publive-image

ସେହିପରି ବିଜେପି ବି ଜବାବ ଦେଇ କହିଥିଲା, ଗୋଷ୍ଠୀ ଗଠନ କରିବା ବିଜୟ ମହାପାତ୍ରଙ୍କ ଡିଏନ୍‌ଏରେ ଅଛି। ବିଜେପିରେ ସେ ଗୋଷ୍ଠୀବାଦ ସୃଷ୍ଟି କରିବାକୁ ଚାହୁଁଥିଲେ, ଯାହା କି ସଫଳ ହେଲା ନାହିଁ। ଦିଲ୍ଲୀପ ରାୟ ମଧ୍ୟ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଇସ୍ତଫା ଦେଇଛନ୍ତି। ଆଇଜିଏଚ୍ ଓ ବ୍ରାହ୍ମଣୀ ସେତୁ କେବଳ ବାହାନା। ଉଭୟ ବିଜୟ ଓ ଦିଲ୍ଲୀପ ଦୀର୍ଘ ଦିନ ହେବ ଦଳର କୌଣସି କାର୍ଯ୍ୟକ୍ରମରେ ସାମିଲ ହେଉ ନ ଥିଲେ। ସେମାନେ ଦଳରେ ଥାଇ ନ ଥିଲା ପରି। ଉଭୟଙ୍କ ଇସ୍ତଫା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।