ନିର୍ବାଚନୀ ହଟଚମଟର ସାକ୍ଷୀ ‘ମାହାଙ୍ଗା’: ମତଲୁବ ଓ ସଂଖ୍ୟାଲଘୁଙ୍କ ଉପରେ ନଜର

152

କନକ ବ୍ୟୁରୋ: ସବୁବେଳେ ରାଜନୈତିକ ହଟଚମଟ ସୃଷ୍ଟି କରି ଆସିଥିବା କଟକ ଜିଲ୍ଲାର ମାହାଙ୍ଗା ବିଧାନସଭା ନିର୍ବାଚନମଣ୍ଡଳୀରେ ଏଥର ବି ନିର୍ବାଚନୀ ବାତାବରଣ ସରଗରମ। ମାହାଙ୍ଗା ମତଲୁବ ଅଲ୍ଲୀ ଓ ଶରତ କରଙ୍କ ଲଢେଇ ଏବଂ ପାଳିପାଳି ବିଜୟର ସାକ୍ଷୀ ରହିଛି। ଅନେକ ରାଜନେତାଙ୍କ ଉତ୍ଥାନ ପତ୍ତନର କାରଣ ବି ରହି ଆସିଛି।

ଏଭଳି ଏକ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀରୁ ୨୦୧୪ରେ ୨୮ ହଜାର ପାଖାପାଖି ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ମନ୍ତ୍ରୀ ପ୍ରତାପ ଜେନା ନିଜର ହ୍ୟାଟ୍ରିକ ବିଜୟ ପାଇଁ ଭାଗ୍ୟ ପରୀକ୍ଷା କରୁଛନ୍ତି। କିନ୍ତୁ ଗତ ନିର୍ବାଚନରେ ପ୍ରତାପଙ୍କ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଥିବା ସ୍ବାଧୀନ ପ୍ରାର୍ଥୀ ଶାରଦା ପ୍ରଧାନ ଏଥର ବିଜେପି ଟିକେଟରେ ନିର୍ବାଚନ ଲଢୁଛନ୍ତି। ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ଥିବା ବରିଷ୍ଠ ନେତା ସେକ୍ ମତଲୁବ ଅଲ୍ଲୀ ଓ ବିଜେପି ପ୍ରାର୍ଥୀ ସମୀର ସାମଲ ଏଥର ନିର୍ବାଚନ ମଇଦାନରେ ନାହାନ୍ତି। ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନରେ ପ୍ରଥମ ଥର ଭାଗ୍ୟ ପରୀକ୍ଷା କରୁଛନ୍ତି ଦେବେନ୍ଦ୍ର କୁମାର ସାହୁ।

କିନ୍ତୁ ୨୦୧୪ରେ ବିଜେଡି ସାଂସଦ ଭାବେ ନିର୍ବାଚିତ ହୋଇଥିବା ବୈଜୟନ୍ତ ପଣ୍ଡା ଏଥର ବିଜେପି ଟିକେଟରେ ନିର୍ବାଚନ ଲଢିବା ଏବଂ ୨୦୧୪ରେ ୬୧ ହଜାର ୬୫୭ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିବା ଶାରଦା ପ୍ରଧାନ ବିଜେପି ପ୍ରାର୍ଥୀ ଭାବେ ଏଥର ନିର୍ବାଚନ ଲଢିବା ମାହାଙ୍ଗାର ରାଜନୈତିକ ବାତାବରଣକୁ ସରଗରମ କରିିଛି। ୨୦୧୪ରେ ୨୨ ହଜାର ୨୯୭ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିବା ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ମନ୍ତ୍ରୀ ସେକ୍ ମତଲୁବ ଅଲ୍ଲୀ ଏଥର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁ ନାହାନ୍ତି କି କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାରକୁ ବାହାରୁ ନାହାନ୍ତି। ମତଲୁବଙ୍କ ଅନେକ ସମର୍ଥକ ଇତିମଧ୍ୟରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ବିଜେଡିରେ ସାମିଲ ହୋଇ ସାରିଥିବା ବେଳେ ଆଉ କେତେଜଣ ନିର୍ବାଚନ ସମୟରେ ସ୍ଥିତି ଆକଳନ କରି ଚୁପ୍ ରହିଛନ୍ତି।

ନିଶ୍ଚିନ୍ତକୋଇଲିର ୨୭ ଓ ମାହାଙ୍ଗାର ୩୭ ପଂଚାୟତକୁ ନେଇ ଗଠନ ହୋଇଛି ମାହାଙ୍ଗା ନିର୍ବାଚନମଣ୍ଡଳୀ। ୨୦୧୭ ପଂଚାୟତ ନିର୍ବାଚନରେ ନିଶ୍ଚିନ୍ତକୋଇଲିର ଗୋଟିଏ ଜିଲ୍ଲା ପରିଷଦ ଆସନ ବିଜେପି ଖାତାକୁ ଯାଇଥିବା ବେଳେ ଅନ୍ୟସବୁ ଗୁଡିକ ବିଜେଡି ହାତରେ ରହିଛି। କିନ୍ତୁ ଏହି ଦୁଇଟି ବ୍ଲକରେ ରହିଛନ୍ତି ପାଖାପାଖି ୨୮ ହଜାର ସଂଖ୍ୟାଲଘୁ ଭୋଟ। ଏହା ଉପରେ ମତଲୁବ ଅଲ୍ଲୀଙ୍କ ପ୍ରଭାବ ରହୁଥିବା ବେଳେ ଗତ ନିର୍ବାଚନରେ ଏହି ଭୋଟର କିଛି ଅଂଶ ସ୍ବାଧୀନ ପ୍ରାର୍ଥୀ ଶାରଦା ପ୍ରଧାନଙ୍କ ଖାତାକୁ ବି ଯାଇଥିଲା। କିନ୍ତୁ ଶାରଦା ବିଜେପିକୁ ଯିବା ପରେ ମତଲୁବଙ୍କ ପ୍ରଭାବ ଥିବା ଏହି ଭୋଟ ଅଧିକ ପରିମାଣରେ ବିଜେଡି ଏବଂ କିଛି ପରିମାଣରେ କଂଗ୍ରେସ ଖାତାକୁ ଯିବ ବୋଲି ଆକଳନ କରାଯାଉଛି। ମତଲୁବ ଖୋଲାଖୋଲି ଏଯାଏ କାହା ସପକ୍ଷରେ ପ୍ରଚାର କରୁ ନଥିଲେ ବି ପ୍ରାର୍ଥୀ ଚୟନକୁ ନେଇ ରହିଥିବା ତାଙ୍କର କ୍ଷୋଭ ହୁଏତ କଂଗ୍ରେସକୁ ସୁହାଇ ନ ପାରେ ବୋଲି ଆକଳନ କରାଯାଉଛି।

ଅନ୍ୟପଟେ ଉଭୟ ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ ହେଉଛନ୍ତି ମାହାଙ୍ଗା ବ୍ଲକର ବାସିନ୍ଦା। ସେମାନେ ନିଜନିଜ ଅଞ୍ଚଳର ଅଧିକରୁ ଅଧିକ ଭୋଟ ହାତେଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ଏଭଳି ସ୍ଥିତି ପ୍ରତାପଙ୍କ ପାଇଁ ଅନେକାଂଶରେ ଅନୁକୂଳ ହେଉଥିଲେ ବି ପଂଚାୟତ ନିର୍ବାଚନ ସମୟର ଦଳୀୟ କନ୍ଦଳ କିଛିଟା ସମସ୍ୟା ସୃଷ୍ଟି କରିଛି। ପଂଚାୟତ ନିର୍ବାଚନରେ ବିଜେଡି ଟିକେଟ ଆଶାୟୀ ଥିବା ଅନେକ ସ୍ଥାନୀୟ ବିଜେଡି ନେତା ନିରାଶ ହେବା ପରେ ଏବେ ବି ଅସନ୍ତୁଷ୍ଟ ହୋଇ ରହିଛନ୍ତି। ପ୍ରତି ପଂଚାୟତରେ ପ୍ରାୟ ଏଭଳି ସ୍ଥିତି ରହିଛି। କିନ୍ତୁ ପ୍ରତାପ ସେମାନଙ୍କୁ ମନାଇ ନିଜ ଶିବିରକୁ ଆଣିବାରେ କୌଣସି ତ୍ରୁଟି ରଖୁ ନଥିଲେ ବି ଏ ପ୍ରସଙ୍ଗ ବିଜେଡି ଭୋଟକୁ କିଛି ମାତ୍ରାରେ ପ୍ରଭାବିତ କରିବ ବୋଲି ଆକଳନ କରାଯାଉଛି।

ବିଜେଡିର ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ଭୋଟକୁ ବୈଜୟନ୍ତ ବିଜେପି ପଟକୁ ନେଇ ପାରିବେ କି ନାହିଁ, ତାହା ଏଯାଏ ଅବଶ୍ୟ ସ୍ପଷ୍ଟ ହୋଇନାହିଁ। ସେପଟେ ବିଜେଡି ଏବଂ ପ୍ରତାପଙ୍କ ପାଇଁ ଅଭିନେତା ତଥା ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ବର୍ଷାଙ୍କ ପ୍ରଚାର ସାଧାରଣରେ ଉତ୍ସାହ ସୃଷ୍ଟି କରୁଛି। ୨୦୧୪ ନିର୍ବାଚନରେ ମତଦାନ ହୋଇଥିବା ୧ ଲକ୍ଷ ୮୧ ହଜାର ୪୬୨ ଭୋଟରୁ ପ୍ରତାପଙ୍କ ଖାତାକୁ ଯାଇଥିଲା ୮୯ ହଜାର ୫୩୧ ଖଣ୍ଡ ଭୋଟ। ଏଥର ମତଦାନ ବଢିବା ସହ ପ୍ରାର୍ଥୀ ଓ ପ୍ରସଙ୍ଗ ବି ବଦଳିଛନ୍ତି। ଏଭଳି ସ୍ଥିତିରେ ନିର୍ବାଚନ ଦିନ ପାଖେଇ ଆସୁଥିବା ବେଳେ ଭୋଟ ବିଭାଜନ, ଟଣାଓଟରା ଏବଂ ଅଙ୍କକଷାକୁ ନେଇ ମାହାଙ୍ଗା ରାଜନୀତିରେ ଉଷ୍ମତା ବଢିବାରେ ଲାଗିଛି।