କୋଟିଆରେ ହେବ ନିର୍ବାଚନ: ସହମତି ଭିତିରେ ପ୍ରାର୍ଥୀ ଦେବା ପାଇଁ ଫେଲ ମାରିଲା ସର୍ବଦଳୀୟ ନେତାଙ୍କ ଉଦ୍ୟମ

81

କନକ ବ୍ୟୁରୋ: ସର୍ବଦଳୀୟ ପ୍ରାର୍ଥୀ ମମତା ଯାନୀ, ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲ୍ । କୋଟିଆରେ ଜିଲ୍ଲା ପରିଷଦ ପାଇଁ ଏହି ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଲଢ଼େଇ । କୋଟିଆରେ ସହମତି ଭିତିରେ ପ୍ରାର୍ଥୀ ଦେବା ପାଇଁ ସର୍ବଦଳୀୟ ନେତାଙ୍କ ଉଦ୍ୟମ ଫେଲ ମାରିଛି । ସର୍ବଦଳୀୟ ନେତାଙ୍କ ସମ୍ମତିରେ ମମତା ଯାନୀ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଏହାପରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଟିକାଇ ଗେମେଲ ଓ ସବିନା ଗୁଡିଆ ମଧ୍ୟ ନାମାଙ୍କନ ଦାଖଲ କରିଥିଲେ ।

କୋଟିଆକୁ କବ୍ଜା କରିବାକୁ ଆନ୍ଧ୍ରର ଷଡ଼ଯନ୍ତ୍ରକୁ ଭଣ୍ଡୁର କରିବା ପାଇଁ ପାର୍ଟି ନୁହେଁ ମାଟି ଆଗ ନ୍ୟାୟରେ ଏକାଠି ହୋଇଥିଲେ ସବୁ ଦଳର ନେତା । ନିର୍ବାଚନ ନକରି ସହମତି ଭିତିରେ ଜିଲ୍ଲା ପରିଷଦ ସଦସ୍ୟ ଚୟନ ପାଇଁ ଉଦ୍ୟମ ହୋଇଥିଲା । ଦୁଇ ଦିନର କସରତ ପରେ ସ୍ୱାଧୀନ ପ୍ରାର୍ଥୀ ସବିନା ଗୁଡିଆ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଥିଲେ । ହେଲେ ଟିକାଇ ଗେମେଲ ପ୍ରାର୍ଥୀପତ୍ର ପ୍ରତ୍ୟାହାର ନକରିବାରୁ, ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଟକ୍କର ।

ଅଭିଯୋଗ ହୋଇଛି, ଆନ୍ଧ୍ରର ଦଲାଲ୍ ଓ ଏଜେଂଟଙ୍କ କଥାରେ ପ୍ରାର୍ଥୀତ୍ୱରୁ ଓହରିଲେ ନାହିଁ ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲ । ପ୍ରଥମେ ସେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଥିଲେ । ପରେ ଆନ୍ଧ୍ର ଏଜେଂଟଙ୍କ ସମର୍ଥନ ତାଙ୍କ ପ୍ରତି ରହିଥବା କୁହାଯାଉଛି । ତେବେ ଆନ୍ଧ୍ରକୁ ଏହି ନିର୍ବାଚନରେ ଉଚିତ ଜବାବ ଦିଆଯିବ ବୋଲି କହିଛନ୍ତି ସର୍ବଦଳୀୟ ନେତା ।

ଚୟନ ଭିତିରେ ଜିଲ୍ଲା ପରିଷଦ ସଦସ୍ୟ ନିର୍ବାଚନ କରି ଆନ୍ଧ୍ରକୁ ଏକତାର ବାର୍ତା ଦେବାକୁ ଜୋରଦାର ଉଦ୍ୟମ କରାଯାଇଥିଲା । ମଙ୍ଗଳବାର ଦିନତମାମ କୋରାପୁଟର ନେତାମାନେ ବୈଠକ କରିଥିଲେ । ତେବେ ଶେଷ ମୁହୂର୍ତ ପର୍ଯ୍ୟନ୍ତ ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲଙ୍କୁ ମନାଇ ପାରିନଥିଲେ ।

ପୂର୍ବରୁ ଆନ୍ଧ୍ର ଅଗଣତାନ୍ତ୍ରିକ ଭାବେ ନିର୍ବାଚନ କରିସାରିଛି । କୋଟିଆ ପଂଚାୟତରେ ୧୩ଟି ୱାର୍ଡ ମେମ୍ବର, ଗୋଟିଏ ସରପଂଚ, ଗୋଟିଏ ସମିତି ସଭ୍ୟ ଓ ଗୋଟିଏ ଜିଲ୍ଲା ପରିଷଦ ପଦବୀ ରହିଛି । ସମିତି ସଭ୍ୟ ଅପ୍ରତିଦ୍ୱନ୍ଦୀ ଥିବା ବେଳେ ସଂରପଂଚ ପଦବୀ ପାଇଁ ୭ ଜଣ ମଇଦାନକୁ ଓହ୍ଲାଇଛନ୍ତି ।