ଓଡ଼ିଶାର ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା । କେଉଁଠି ବୋମା ତ, କେଉଁଠି ବୁଲୁଛି ଖଣ୍ଡା । ଦକ୍ଷିଣରେ ଗଡ଼ିଲା ମୁଣ୍ଡ, ଉପକୂଳରେ ଫୁଟିଲା ବୋମା, ପଶ୍ଚିମରେ ପ୍ରାର୍ଥୀଙ୍କୁ ଅପହରଣ ଅଭିଯୋଗ

127

କନକ ବ୍ୟୁରୋ: ରାଜ୍ୟରେ ଜଳୁଛି ପ୍ରାକ୍ ନିର୍ବାଚନୀ ହିଂସାର ନିଆଁ । ପ୍ରଥମ ପର୍ଯ୍ୟାୟ ମତଦାନ ପରେ ନିର୍ବାଚନ ତାତି ଯେତିକି ବଢିଛି, ତାଠୁ ଢେର ଅଧିକ ହିଂସା ବଢିଛି । ଗଞ୍ଜାମରେ ମୁଣ୍ଡ ଗଡିଛି, ଟିଟିଲାଗଡ଼ରୁ ବିଧାୟକ ପ୍ରାର୍ଥୀଙ୍କୁ ଅପହରଣ କରାଯିବା ଭଳି ଅଭିଯୋଗ ଆସିଛି ଆଉ ରାଜଧାନୀର ଛାତି ଉପରେ ବୋମାମାଡ ହୋଇଛି । ସେପଟେ ଖଲ୍ଲିକୋଟ ହିଂସାକାଣ୍ଡ ଓ ହତ୍ୟା ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି । ଆଉ ନେତୃତ୍ୱ ଆଇପିଏସ୍ ଅଧିକାରୀ ଆରକେ ଶର୍ମାଙ୍କୁ ଦିଆଯାଇଛି । ଖଲ୍ଲିକୋଟ ଥାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ତେବେ ସାରା ଦେଶରେ ଶାନ୍ତିପ୍ରିୟ ରାଜ୍ୟ ଭାବେ ପରିଚୟ ସୃଷ୍ଟି କରିଥିବା ଓଡ଼ିଶା ମୁଣ୍ଡରେ ଠିକ୍ ନିର୍ବାଚନ ସମୟରେ ଅପବାଦର ଦାଗ ଲାଗିଛି । କାଁ-ଭାଁ ଗୋଟିଏ ଦୁଇଟି ସ୍ଥାନରେ ହିଂସାକାଣ୍ଡ ଘଟିନି ବରଂ କେଉଁଠି ମୁଣ୍ଡ ଗଡ଼ିଛି, ତ ଆଉ କେଉଁଠି ବୋମା ଫୁଟିଛି । ଏମିତି କି ନିର୍ବାଚନରେ ପ୍ରାର୍ଥୀ ଥିବା ନେତାଙ୍କୁ ଅପହରଣ ପରେ ମାର୍ପିଟ୍ କରିଥିବା ଅଭିଯୋଗ ଆସିଛି ।

ଖଲ୍ଲିକୋଟରେ ଲାଗିଥିବା ହିଂସାର ନିଆଁ, ଏଯାଏଁ ଭିତରେ ଭିତରେ କୁହୁଳୁଛି । ଏଭଳି ସ୍ଥିତିରେ ଶ୍ରୀକୃଷ୍ଣଶରଣପୁର ଗାଁର ଗଳିକନ୍ଦିରେ ପଇଁତରା ମାରୁଛନ୍ତି ପୁଲିସ ଓ ଯବାନ । ଶାନ୍ତିଶୃଙ୍ଖଳା ଉପରେ ପୂରା ନଜର ରହିଥିବା ବେଳେ ପ୍ରାକ୍ ନିର୍ବାଚନୀ ହିଂସା ଘଟଣାରେ ଏପର୍ଯ୍ୟନ୍ତ ୯ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ରାମଚନ୍ଦ୍ରପୁର ଗାଁର ଜିତେନ୍ଦ୍ର ତରାଇ ।
ଏପଟେ ଖଲ୍ଲିକୋଟ ହିଂସାକାଣ୍ଡ ଓ ହତ୍ୟା ଘଟଣାର ତଦନ୍ତ ପାଇଁ ଗଠନ ହୋଇଛି ଏସଆଇଟି । ଏସଆଇଟି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ । ମାମଲାରେ ଫେରାର ଥିବା ଅଭିଯୁକ୍ତଙ୍କୁ ଗିରଫ କରିବ । ସାଇନଟିଫିକ୍, ଫରେନସିକ୍ ଓ ଡିଜିଟାଲ ତଥ୍ୟ ଅଧାରରେ ତଦନ୍ତ କରିବ । ଆଉ ୩୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବ । ଆଉ ଏସ୍ଆଇଟି ଟିମର ନେତୃତ୍ୱ ନେବେ ଆଇପିଏସ୍ ଅଧିକାରୀ ଆର୍କେ ଶର୍ମା ।

ଅନ୍ୟପଟେ ଦକ୍ଷିଣର ନିର୍ବାଚନୀ ହିଂସାକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ପଶ୍ଚିମ ଓଡ଼ିଶାର ଟିଟିଲାଗଡ଼ରୁ ଆସିଛି ହିଂସାର ଖବର । ଟିଟିଲାଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କୁ ଅପହରଣ ପରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ସେହିପରି ତାଙ୍କ ସହଯୋଗୀ ଡୋଳାମଣି ବସ୍ତିଆ ଓ ଲବେନ୍ଦ୍ରଙ୍କୁ ଆକ୍ରମଣ କରି ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଏପଟେ ଉପକୂଳରେ, ରାଜଧାନୀର ଛାତି ଉପରେ ଫୁଟିଛି ବୋମା । ନୂଆପଲ୍ଲୀ ଗଡ଼ସାହି ବିଜେଡି ପାର୍ଟି ଅଫିସ୍ ସମ୍ମୁଖରେ ବୋମାମାଡ ହୋଇଛି । ଘଟଣାରେ କେହି ମୃତାହତ ହୋଇନାହାନ୍ତି । କିନ୍ତୁ ଗୋଟିଏ ବାଇକ୍ ସମ୍ପୂର୍ଣ୍ଣ ଜଳିଯାଇଛି । ଘଟଣାକୁ ନେଇ ନୂଆପଲ୍ଲୀରେ ଉତେଜନା ପ୍ରକାଶ ପାଇଛି । ଏହି ଘଟଣା ପରେ ପରବର୍ତ୍ତୀ ସମୟରେ ଆସି କିଛି ଦୁର୍ବୃତ୍ତ ମାରପିଟ୍ କରିଥିବା ଅଭିଯୋଗ ହୋଇଛି ।