କନକ ବ୍ୟୁରୋ : ନବରଙ୍ଗପୁର ପାପଡାହାଣ୍ଡି ବ୍ଲକର ଡଙ୍ଗରା ପଂଚାୟତରେ କଂଗ୍ରେସ ନେତାଙ୍କ ବାଇକ, କାର ପୋଡିଦେଲେ ଲୋକେ । ବିଳମ୍ବିତ ରାତିରେ ୨ ଯୁବକ ଆସି ଝାଡେଶ୍ୱରଙ୍କ ବାଇକ୍, କାରରେ ନିଆଁ ଲଗାଇ ଦେଇଥିଲେ । ସାହି ଲୋକ ଦେଖି ତୁରନ୍ତ ଝାଡେସ୍ୱରଙ୍କୁ ଏନେଇ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ଝାଡ଼େଶ୍ୱର ପହଂଚି ଗ୍ରାମବାସୀ ସହ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ବି କିନ୍ତୁ ବାଇକ ଓ କାର ସଂପ୍ରୂ୍ଣ୍ଣ ଜଳି ଯାଇଥିଲା । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଝାଡ଼େଶ୍ୱର । ଝାଡେଶ୍ୱର କଂଗ୍ରେସ ଦଳର ଜଣେ ଟାଣୁଆ ନେତା । ପଂଚାୟତ ନିର୍ବାଚନରେ କଂଗ୍ରେସ ଦଳ ଭଲ ସ୍ଥିତି ଥିବା ଦେଖି ବିପକ୍ଷ ଦଳ ସହି ନପାରି ଏଭଳି କାଣ୍ଡ ଘଟାଇଥିବା ଝାଡେଶ୍ୱର କହିଛନ୍ତି ।

Advertisment

ସେହିଭଳି ବାରିପଦା ବଡ଼ସାହି ବ୍ଲକ ଟଙ୍ଗାସୋଳ ପଂଚାୟତରେ ସରପଂଚ ପ୍ରାର୍ଥୀଙ୍କୁ ଆକ୍ରମଣ । ଅନ୍ୟ ଗୋଷ୍ଠୀର ଲୋକେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ପ୍ରାର୍ଥୀ ଦଶରଥ ମୁର୍ମୁଙ୍କୁ ବନ୍ଦ କୋଠରୀରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି କିଛି ଲୋକ । ଯାହାର ଚିତ୍ର ମୋବାଇଲରେ କଏଦ ହୋଇଛି । ନିର୍ବାଚନ ପୂର୍ବଦିନ ରାତିରେ ଲୋକଙ୍କ ଟଙ୍କା ବାଂଟୁଥିବା ଅଭିଯୋଗରେ ଦଶରଥ ମାଡ଼ ମାରିଥିଲେ ଅନ୍ୟ ଗୋଷ୍ଠୀର ଲୋକ । ପୂର୍ବରୁ ୪ ଥର ସରପଂଚ ହୋଇଛନ୍ତି ଦଶରଥ । ଚଳିତ ଥର ପଂଚମଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି । ଏବେ ପର୍ଯ୍ୟନ୍ତ ଦଶରଥ ନିଖୋଜ ଥିବା ବେଳେ ଏନେଇ ଥାନାରେ କୌଣସି ବି ଅଭିଯୋଗ କରିନାହାନ୍ତି ପରିବାର ଲୋକ ।

ଏହାବାଦ୍ ନୂଆପଡ଼ା ଖଡିଆଳ ବ୍ଲକ ସାନମହେଶ୍ୱର ପଂଚାୟତର ଗୋଟିଏ ବୁଥରେ ଉତ୍ତେଜନା ଦେଖିବାକୁ ମିଳିଛି । ଝୋଲପଥର ଗାଁର ୧୩ ନମ୍ବର ବୁଥରେ ଉତେଜନା ଦେଖିବାକୁ ମିଳିଥିଲା । ସରପଞ୍ଚଙ୍କ ଏଜେଣ୍ଟ ଝୋଲପଥର ଗାଁର ନହୋଇ ଅନ୍ୟ ଗାଁର କରାଯାଇଥିବା ଅଭିଯୋଗରେ ଉତେଜନା ପ୍ରକାଶ ପାଇଥିଲା । ସରପଂଚ ପ୍ରାର୍ଥୀଙ୍କ ସମର୍ଥକମାନେ କିଛି ସମୟ ପାଇଁ ଭୋଟରଙ୍କୁ ବାହାରକୁ ବାହାର କରିଦେଇଥିଲେ ।କିଛି ସମୟ ଉତେଜନା ପରେ ପୁଣି ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି ।