ନିର୍ବାଚନ ପୂର୍ବରୁ ଅଶାନ୍ତ କ୍ୟାମ୍ପସ ! ଭଦ୍ରକ କଲେଜରେ ଛାତ୍ରଙ୍କୁ ଛୁରାମାଡ

17

କନକ ବ୍ୟୁରୋ : ଛାତ୍ର ସଂସଦ ନିର୍ବାଚନ ପାଇଁ ଭୋଟଦାନ ତାରିଖ ଯେତେକି ପାଖେଇ ଆସୁଛି କଲେଜ କ୍ୟାମ୍ପସର ବାତାବରଣ ସେତିକି ଉଷ୍ମ ହେଉଛି । ଏପରିକି ବିଭିନ୍ନ ସ୍ଥାନରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହେଉଛି । ପୂର୍ବରୁ ରାଜ୍ୟର ପ୍ରମୁଖ ବିଶ୍ୱବିଦ୍ୟାଳୟ ଓ କଲେଜରେ ବୋମାମାଡ ପାଇଁ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି । ଏବେ ଏହାର ଦ୍ୱିତୀୟ ଭାଗ ଭଦ୍ରକରେ ଦେଖିବାକୁ ମିଳିଛି ।

ଗତକାଲି ଭଦ୍ରକ ମହାବିଦ୍ୟାଳୟରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । କଲେଜ କ୍ୟାଂପସରେ କ୍ୟାମ୍ପେନିଙ୍ଗ କରୁଥିବା ଜଣେ ଛାତ୍ରଙ୍କୁ ଛୁରା ମାଡ କରିଛନ୍ତି ପ୍ରତିପକ୍ଷ । ଏହି ଛୁରାମାଡରେ ଗୁରୁତର ଆହତ ହୋଇଛନ୍ତି ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ବିଶ୍ୱଜିତ ସ୍ୱାଇଁ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଗୁରୁତର ଅବସ୍ଥାରେ ବିଶ୍ୱଜିତକୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିଛି । ଏଥିସହ ଏହି ଘଟଣା ୨ ଜଣ ଛାତ୍ରଙ୍କୁ ଗିରଫ କରିଛି ପୋଲିସ ।

ବିଜୁଛାତ୍ର ଜନତା ଦଳ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ସମୟରେ ବିଶ୍ୱଜିତ ସ୍ୱାଇଁଙ୍କ ଉପରେ ହୋଇଛି ଆକ୍ରମଣ । ଗତକାଲି ବିଶ୍ୱଜିତଙ୍କୁ କଲେଜ ନିକଟସ୍ଥ ଦୀପକ ହୋଟେଲ ଆଗରେ ଭଦ୍ରକ ଡେମୋକ୍ରାଟିକ ପାର୍ଟିର ୫ ଜଣ କର୍ମୀ ଆକ୍ରମଣ କରି ଛୁରା ମାଡ କରିଥିବା ଅଭିଯୋଗ ହୋଇଛି । ଭଦ୍ରକ କଲେଜର ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିବା ପାଇଁ ହିଂସାକାଣ୍ଡ ଭିଆଇଥିବା କ୍ୟାଂପସରେ ଚର୍ଚ୍ଚା ହେଉଛି ।