କନକ ବ୍ୟୁରୋ: ସାମ୍ନାରେ ସ୍ମାର୍ଟ ବୋର୍ଡ । ଆଗରେ ଜିଲ୍ଲାର ଆଗଧାଡ଼ିର ବଡ଼ ବଡ଼ ଅଧିକାରୀ । ହାତରେ ଧରିଛନ୍ତି କାଗଜ କଲମ । ଲାଗୁଛି ଯେପରି ଜଣେ ଶିକ୍ଷକ, ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି । କିନ୍ତୁ ଏଠାକାର ଚିତ୍ର ସମ୍ପୂର୍ଣ୍ଣ ଅଲଗା । ଆଗ ଧାଡ଼ିରେ ବସିଥିବା ସବୁ ବ୍ୟକ୍ତି ହେଉଛନ୍ତି କୋରାପୂୁଟ ଜିଲ୍ଲାର ବରିଷ୍ଠ ଅଧିକାରୀ । କିଏ ଉପଜିଲ୍ଲାପାଳ ତ ଆଉ କିଏ ତହସିଲଦାର । କିଏ ବିଡିଓ ତ ଆଉ କିଏ ନିର୍ବାହୀ ଅଧିକାରୀ । ଆଗାମୀ ନିର୍ବାଚନ ପାଇଁ ଏମାନଙ୍କୁ ଦିଆଯାଉଛି ତାଲିମ । ନିର୍ବାଚନ କିପରି ସୁରୁଖୁରୁରେ ସଞ୍ଚଳନ କରାଯିବ, ସେଥିପାଇଁ କମିସନର ଜାରି କରିଛନ୍ତି ଏକ ନିୟମ ପୁସ୍ତକ । ଏହାକୁ ଭଲଭାବେ ପଢ଼ିବା ଓ ବୁଝିବା ପାଇଁ କୋରାପୁଟ ଜିଲ୍ଲାପାଳ ଦ୍ୱାରା ତିନିଦିନିଆ ପାଠ୍ୟକ୍ରମର ଆୟୋଜନ କରାଯାଇଛି । ଅଧିକାରୀ କ’ଣ ପଢ଼ିଲେ, କ’ଣ ବୁଝିଲେ, ସେସବୁର ପରୀକ୍ଷା ବି ଦେବେ ।

ପରୀକ୍ଷାରେ ଯିଏ ଭଲ ମାର୍କ ରଖିବ, ତାକୁ ମିଳିବ ଗୁରୁଦାୟିତ୍ୱ । ଆଉ ଯିଏ କମ ମାର୍କ ପାଇବ, ତାକୁ ପୁଣି ପଢ଼ିବାକୁ ପଡ଼ିବ । ୫ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ବିଭକ୍ତ କରାଯାଇଛି ।
- କ୍ଳାସ-୧ରେ ୨୨ ଜଣ ଅଧିକାରୀଙ୍କୁ ଲେଭଲ ମାଷ୍ଟର ଟ୍ରେନର
- କ୍ଳାସ-୨ରେ ୮୪ ଜଣ ଅଧିକାରୀଙ୍କୁ ଆସେମ୍ବଲୀ ଲେଭଲ ମାଷ୍ଟର ଟ୍ରେନର
- ବି-ଗ୍ରେଡ୍ରେ ରହିଥିବା ୨୦୪ ଜଣ ଅଧିକାରୀଙ୍କୁ ସେକ୍ଟର ଅଫିସର ଭାବେ ରଖାଯାଇଛି ।

ରିର୍ଟନିଂ ଅଫିସର ଭାବେ ୨ ଜଣ ସବ୍-କଲେକ୍ଟର ରହିଥିବା ବେଳେ, ଏ ସମସ୍ତଙ୍କୁ ଗାଇଡ୍ କରିବେ ଖୋଦ୍ କୋରାପୁଟ ଜିଲ୍ଲାପାଳ । ଏହି ଅଧିକାରୀ ମାନେ ତାଲିମ ପାଇବା ପରେ ସେମାନେ ନିଜ ନିଜ ଅଚଂଳରେ ଅନ୍ୟମାନଙ୍କୁ ଦେବେ ତାଲିମ । ଏଥିପାଇଁ ସବୁ ଅଧିକାରୀ ପଢ଼ୁଛନ୍ତି ନିର୍ବାଚନୀ ପାଠ ।