କନକ ବ୍ୟୁରୋ : କରୋନା କାଳରେ ବିହାର ନିର୍ବାଚନ ପରେ ପ୍ରଥମ ଥର ପାଇଁ ଦେଶରେ ବଡ ଲଢେଇ ପାଇଁ ବିଗୁଲ ବାଜିଛି । ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଛି । ଜାତୀୟ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀ କରି ୫ଟି ପ୍ରଦେଶ ପାଇଁ ୮ଟି ପର୍ଯ୍ୟାୟରେ ମତଦାନ କରିବାକୁ ତାରିଖ ଘୋଷଣା କରିଛନ୍ତି । କୋଭିଡ କଟକଣା ଭିତରେ ମାର୍ଚ୍ଚ ୨୭ ତାରିଖରୁ ନିର୍ବାଚନ ଆରମ୍ଭ ହୋଇ ଅପ୍ରେଲ ୨୯ ତାରିଖରେ ଶେଷ ହେବ । କେବଳ ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ୨୯୪ ଆସନ ପାଇଁ ଭୋଟ ଗ୍ରହଣ କରାଯିବ ।

Advertisment

ବଡ ଲଢେଇ ପାଇଁ ବାଜିଲା ବିଗୁଲ । ୫ ରାଜ୍ୟରେ ନିର୍ବାଚନ ପାଇଁ ତାରିଖ ଘୋଷଣା । ପଶ୍ଚିମବଙ୍ଗ ସମେତ ୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି । ପଶ୍ଚିମବଙ୍ଗର ୨୯୪ ଆସନରେ ୮ଟି ପର୍ଯ୍ୟାୟରେ, ମାର୍ଚ୍ଚ ୨୭, ଏପ୍ରିଲ ୧, ଏପ୍ରିଲ ୬, ଏପ୍ରିଲ ୧୦, ୧୭, ୨୨, ୨୬, ୨୯  ତାରିଖରେ ଭୋଟ ପଡିବ । ଆସାମର ମୋଟ ୧୨୬ ଆସନରେ ମାର୍ଚ ୨୭, ଏପ୍ରିଲ ୧ ଓ ଏପ୍ରିଲ ୬ରେ ୩ଟି ପର୍ଯ୍ୟାୟରେ ମତଦାନ କରିବାକୁ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ତାମିଲନାଡୁର ୨୩୪, କେରଳର ୧୪୦ ଓ ପୁଡୁଚେରୀର ୩୦ ବିଧାନସଭା ଆସନ ଲାଗି ଗୋଟିଏ ପର୍ଯ୍ୟାୟରେ ୬ ଏପ୍ରିଲରେ ଭୋଟଗ୍ରହଣ ହେବ । କୋଭିଡ କଟକଣା ମଧ୍ୟରେ  ଭୋଟଗ୍ରହଣ କରାଯିବ । ଆଉ ନିର୍ବାଚନ ଫଳାଫଳ ଘୋଷଣା ହେବ ମେ ୨ ତାରିଖରେ ।

କୋଭିଡ କଟକଣା ଭିତରେ ନିର୍ବାଚନ ହେବ ।  

ନିର୍ବାଚନରେ ସମସ୍ତ ପୋଲିଂ ଅଧିକାରୀଙ୍କ ଟିକାକରଣ ହେବ । 

ଘରକୁ ଘର ବୁଲି କେବଳ ୫ ଜଣ ପ୍ରଚାର କରିପାରିବେ

ନିର୍ବାଚନ ପୂର୍ବରୁ ଟିକା ଆସିବା ସମସ୍ତଙ୍କ ଆତ୍ମବିଶ୍ୱାସ ବଢାଇଛି

ମୋଟ ୮୨୪ଟି ବିଧାନସଭା ଆସନରେ ନିର୍ବାଚନ ହେବ

ମୋଟ ୧୮ କୋଟି ୬୮ ଲକ୍ଷ ମତଦାତା ଭୋଟ ଦେବେ

ତାରିଖ ଘୋଷଣା ସହ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି

ସବୁଠାରୁ ରୋଚକ ନିର୍ବାଚନ ହେଉଛି ପଶ୍ଚିମବଙ୍ଗରେ । ଏଠାରେ ମମତାଙ୍କ ଗଡକୁ ଭାଙ୍ଗିବାକୁ ପୁରା ଦମ ଲଗାଇଦେଇଛି ବିଜେପି । ନିର୍ବାଚନ ବିଜେପି ବନାମ ଟିଏମସି ହେବାକୁ ଯାଉଛି । ମୋଦିଙ୍କଠାରୁ ଆରମ୍ଭ କରି ଅମିତ ଶାହା, ଜେପି ନଡ୍ଡା ଓ ବିଜେପିର ବଡ ବଡ ନେତା ରାଜ୍ୟକୁ ଘନ ଘନ ଗସ୍ତ କରୁଛନ୍ତି । ପଶ୍ଚିମବଙ୍ଗରେ ୨୦୧୬ ଫଳାଫଳକୁ ଦେଖିଲେ ମୋଟ ୨୯୪ ଆସନ ମଧ୍ୟରୁ  ଟିମଏସି ୪୪.୯୧ପ୍ରତିଶତ ଭୋଟ ସହ ୨୧୧ ଆସନ ପାଇଥିଲା । କଂଗ୍ରେସ ୪୪, ସିପିଏମ ୨୬ ଓ ବିଜେପି ୧୦.୧୬ ପ୍ରତିଶତ ସହ ମାତ୍ର ୩ ଆସନ ପାଇଥିଲା । ଲୋକସଭା ନିର୍ବାଚନରେ କିନ୍ତୁ ଟିଏମସିକୁ କଡା ଟକ୍କର ଦେଇଥିଲା ବିଜେପି ।

କେରଳରେ ସିପିଏମ ନେତୃତ୍ୱାଧୀନ ଏଲଡିଏଫ ଓ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ମଧ୍ୟରେ କଡା ମୁକାବିଲା ହେବାକୁ ଯାଉଛି । ଏଠାରେ ସବୁ ୫ ବର୍ଷରେ ସରକାର ପରିବର୍ତନ ହେବାର ପରମ୍ପରା ରହିଆସିଛି । ସେହିଭଳି ତାମିଲନାଡୁରେ  ଶାସକ ଏଆଇଏଡିଏମକେ-ବିଜେପି ମେଂଟକୁ କଡା ଟକ୍କର ଦେଉଛି ଡିଏମକେ-କଂଗ୍ରେସ ମେଂଟ । ଆସାମରେ ବିଜେପି ଦ୍ୱିତୀୟ ଥର ପାଇଁ କ୍ଷମତାସୀନ ହେବା ଲକ୍ଷ୍ୟ ରଖିଛି । ୨୦୧୬ରେ କଂଗ୍ରେସକୁ ହରାଇ ବିଜେପି କ୍ଷମତାକୁ ଆସିଥିଲା ।